ପରିବାରରେ ତିନି ଦିବ୍ୟାଙ୍ଗ ସନ୍ତାନଙ୍କ ସହ ରହୁଥିଲେ ମହିଳା, ଗଣଦୁଷ୍କର୍ମର ହେଲେ ଶିକାର..

1 min read
Woman Allegedly Gang Raped in Khordha

ଖୋର୍ଦ୍ଧା: ପୁଣି ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଶୌଚ ହୋଇ ଫେରୁଥିବା ବେଳେ ଉଠାଇ ନେଇ, ଦୁଷ୍କର୍ମ କଲେ ଦୁଇ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ଛକଡ଼ିପୁର ଗ୍ରାମରେ ।

ଛକଡ଼ିପୁର ଗାଁର ଜଣେ ବିବାହିତା ମହିଳା ଘରର ବାରିପଟକୁ ସୌଚ ପାଇଁ ଯାଇଥିଲେ । ସେଠାରୁ ଫରିବା ବେଳେ ହଠାତ୍‌ ଦୁଇ ଜଣ ଯୁବକ ତାଙ୍କ ନିକଟରେ ପହଞ୍ଚିଥିଲେ । ଆଉ ଅମାନୁଷିକ ଭାବେ ମହିଳାଙ୍କ ଧରି ହାତ-ଗୋଡ଼-ମୁହଁ ବାନ୍ଧି ଦେଇଥିଲେ । ପରେ ଏକ ବାଇକ୍‌ ଯୋଗେ ମହିଳାଙ୍କୁ ସେଠାରୁ ଉଠାଇ ନେଇଥିଲେ ।

ମହିଳାଙ୍କୁ ନେଇ ଗାଁଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ବିରିବାଡ଼ି ବଜାରର ଏକ ଘରେ ପହଞ୍ଚିଥିଲେ । ସେଠାରେ ମହିଳାଙ୍କ ସହ ଦୁଇ ଜଣ ଯୁବକ ପ୍ରାୟ ଦୁଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲେ । ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି ।

ଏହି ଘଟଣା ଗତ ୧୭ ତାରିଖରେ ଘଟିଥିଲା । ୧୮ ତାରିଖରେ ମହିଳା ଜଣକ କୁହୁଡ଼ି ଫାଣ୍ଡିରେ ଅଭିଯୋଗ କରିଥିଲେ । ଏହାକୁ ୨ ଦିନ ବିତିବା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ବାରମ୍ବାର ମହିଳା ଜଣକ ଥାନାର ଦ୍ୱାରସ୍ଥ ହେବା ପରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନାଯୋଗ୍ୟ ମହିଳାଙ୍କର ୫ ସନ୍ତାନ ଥିବା ବେଳେ ସେଥିରୁ ତିନି ଜଣ ଶାରୀରିକ ଅକ୍ଷମ । ମହିଳାଙ୍କ ସ୍ୱାମୀ ସୁଦୂର ବାଙ୍ଗାଲୋରରେ ନିର୍ମାଣ ଶ୍ରମିକ ଭାବେ କାମ କରନ୍ତି । ସ୍ୱାମୀଙ୍କ ଭୟରେ ସେ ଏହି ଘଟଣା ପ୍ରଥମେ ଲୁଚାଇବାକୁ ଚେଷ୍ଟା କରିଥିଲେ । ହେଲେ ପରେ ସାହସ ଜୁଟାଇ ଥାନାର ଦ୍ୱାରସ୍ତ ହେଲେ ।

Leave a Reply