ଭାରତର ତାଲିବାନ ନୀତିକୁ ନେଇ କ’ଣ କହିଲେ ବୈଦେଶିକ ମନ୍ତ୍ରୀ, ଜାଣନ୍ତୁ

କାବୁଲ: ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ତିନୋଟି ଦେଶ ଏହାକୁ ସମର୍ଥନ ଦେଇଛନ୍ତି। ଏହି ତିନି ଦେଶ ମଧ୍ୟରେ ଅଛନ୍ତି ଋଷ,ଚୀନ ଓ ପାକିସ୍ତାନ। ଚୀନ୍ ତାଲିବାନକୁ ମାନ୍ୟତା ଦେଇଥିବା ପ୍ରଥମ ଦେଶ ହୋଇଛି। ଏହା ମଧ୍ୟରେ ଗୋଟିଏ ବଡ଼ ପ୍ରଶ୍ନ ଉଠୁଛି ଯେ, ଭାରତ କ’ଣ ତାଲିବାନକୁ ମାନ୍ୟତା ଦେବ। ଏହି ପ୍ରସଙ୍ଗ ଉପରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଭାରତର ପକ୍ଷ ସ୍ପଷ୍ଟ କରିଛନ୍ତି। ଭାରତ ୱେଟ୍ ଆଣ୍ଡ୍ ୱାଚ୍ (ଅପେକ୍ଷା କର ଓ ଦେଖ) ସ୍ଥିତିରେ ଅଛି ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, ଏବେ ଆଫଗାନିସ୍ତାନରେ ସ୍ଥିତି ଅତ୍ୟନ୍ତ ଅସ୍ଥିର ଅଛି। ଆମେ ଏବେ ସ୍ଥିତି ଉପରେ ନଜର ରଖିଛୁ। ବର୍ତ୍ତମାନ ଆମର ପ୍ରାଥମିକତା ହେଉଛି ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବା।

ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଆଫଗାନିସ୍ତାନ ସହିତ ଭାରତର ସମ୍ପର୍କ ଐତିହାସିକ ଓ ଏହା ନିରନ୍ତର। ଆଗାମୀ ଦିନରେ ଆଫଗାନିସ୍ତାନ ପ୍ରତି ଆମର ଆଭିମୁଖ୍ୟକୁ ଏହା ନିର୍ଦ୍ଧାରିତ କରିବ। ବର୍ତ୍ତମାନ ଆମର ପ୍ରାଥମିକତା ହେଉଛି ଆଫଗାନିସ୍ତାନରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା। ତାଲିବାନ ଓ ଏହାର ପ୍ରତିନିଧି କାବୁଲରେ ଅଛନ୍ତି ଓ ଆମକୁ ସେମାନଙ୍କ ସହିତ ଆଲୋଚନା କରିବାକୁ ପଡିବ।

ଜୟଶଙ୍କର ଜାତିସଂଘରେ ସାମ୍ବାଦିକଙ୍କୁ କହିଛନ୍ତି ଯେ, ଆଫଗାନିସ୍ତାନର ସ୍ଥିତି ଏଠାରେ ମୋର ଆଲୋଚନାର ମୁଖ୍ୟ ବିଶୟବସ୍ତୁ। ଜାତିସଂଘ ମହାସଚିବ ଓ ଅନ୍ୟ ସହଯୋଗୀଙ୍କ ସହିତ ଆମେରିକାର ବୈଦେଶିକ ସଚିବଙ୍କ ସହିତ ଏହି ପ୍ରସଙ୍ଗରେ ମୋର ଆଲୋଚନା ହୋଇଛି।

Leave a Reply