ବଦଳିବେ କି ବିଜେପିର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ?

ବେଙ୍ଗାଲୁରୁ: କିଛି ବିଜେପି ରାଜ୍ୟ ଭଳି କର୍ଣ୍ଣାଟକରେ ବି ମୁଖ୍ୟମନ୍ତ୍ରୀ ବଦଳିବେ କି ? କର୍ଣ୍ଣାଟକ ରାଜନୀତିରେ ବର୍ତ୍ତମାନ ଏହି ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କୁ ବିଜେପି ହଟାଇ ପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ରାଜ୍ୟରେ କୌଣସି ନାଟକୀୟ ପରିବର୍ତ୍ତନ କେବଳ ଗୁଜବ ବୋଲି କହି ପ୍ରସଙ୍ଗକୁ ଏଡାଇବାକୁ ଚେଷ୍ଟା କରିଛି ବିଜେପି ।

ରାଜ୍ୟ ବିଜେପିରେ ପରିବର୍ତ୍ତନ ପାଇଁ କେନ୍ଦ୍ରୀୟ ନେତୃତ୍ବ ସମର୍ଥ ବୋଲି ଦଳର ଜାତୀୟ ସାଂଗଠନିକ ସଚିବ ବି.ଏଲ. ସନ୍ତୋଷ ନିକଟରେ ମନ୍ତବ୍ୟ ଦେଇଥିଲେ । ସନ୍ତୋଷଙ୍କ ଏହି ମନ୍ତବ୍ୟ ପରେ ବୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଏସବୁ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବେଙ୍ଗାଳୁରୁ ଗସ୍ତ କରିଛନ୍ତି । ଏଣେ ବୋମ୍ମାଇ ଆସନ୍ତା କିଛିଦିନ ମଧ୍ୟରେ ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡୁଛି ।