କ୍ୱାରେଣ୍ଟାଇନ ସେଣ୍ଟରରୁ ଭିଡିଓ କଲରେ ମା’ଙ୍କ ଶେଷକୃତ୍ୟ ଦେଖିଲା ପୁଅ…

ଗଞ୍ଜାମ: କରୋନା ସବୁକିଛି ବଦଳାଇ ଦେଇଛି । କରୋନା ଲୋକଙ୍କୁ ଲୋକଙ୍କଠାରୁ ଦୁରେଇ ଦେଇଛି । ଦୁରେଇ ରହିବା ପାଇଁ ଲୋକ ବାଧ୍ୟ । କାରଣ ସାମାଜିକ ଦୂରତା ହିଁ କରୋନାରୁ ରକ୍ଷା ପାଇବାର ଏକମାତ୍ର ଅସ୍ତ୍ର । କିନ୍ତୁ ଏହି ଦୂରତା ଅନେକଙ୍କ ପାଇଁ ପାଲଟି ଯାଉଛି ଜୀବନବ୍ୟାପି ଅଭିଶାପ । କେଉଁଠି ବାପା ପୁଅକୁ ଦେଖି ପାରୁନି ତ’ କେଉଁଠି ପୁଅ ମା’କୁ ଶେଷ ଦର୍ଶନ କରିପାରୁନି  । ସେହିଭଳି ଗୋଟିଏ ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଆଡପଡାରେ ଦେଖିବାକୁ ମିଳିଛି । ଯେଉଁଠି ପ୍ରବାସୀ ପୁଅ ଘରକୁ ଫେରିକି ବି ଘରକୁ ଯାଇପାରିନି । କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଛି । ଆଉ ସେଇଠି  ପାଉଛି ମା’ଙ୍କ ମୃତ୍ୟୁ ଖବର । କିନ୍ତୁ ଦୁର୍ଭାଗ୍ୟକୁ ସେ ମୁଖାଗ୍ନୀ ଦେଇପାରେନା । କାରଣ କରୋନା କାଳରେ ମମତାକୁ ଲାଗିଛି ଗ୍ରହଣ । ମା’ପାଇଁ ପୁଅର ଭଲ ପାଇବା ଉପରେ ସାମାଜିକ ଦୂରତାର ଅଭସମ୍ପାତ ।

ଦିନେ ପେଟର ଭୋକକୁ ମେଣ୍ଟେଇବା ପାଇଁ  ଭିଟାମାଟି ଛାଡ଼ିବାକୁ ପଡ଼ିଥିଲା ।  ସେଇ ଭୋକ ଆଜି ଭିଟାମାଟିକୁ ଲେଉଟିବାକୁ ହାତଠାରୁଛି । ଘରକୁ ପ୍ରବାସୀଙ୍କର ଲେଉଟାଣି ତ ହେଉଛି କିନ୍ତୁ ଠିକଣାରେ ଟିକେ ପରିବର୍ତ୍ତନ ହୋଇଛି । ପ୍ରବାସୀ ଲେଉଟିବା ପରେ ଘରେ ନରହି ରହୁଛନ୍ତି ସରକାରଙ୍କର ସଙ୍ଗରୋଧ କେନ୍ଦ୍ରରେ ।

ନିୟମ ଅନୁସାରେ ପ୍ରବାସୀ ୨୮ ଦିନ ପର୍ଯ୍ୟନ୍ତ ସମାଜ ଠାରୁ ନିଜକୁ ଦୁରରେ ରଖି ସେଠାରେ ରହିବେ ।  ଆଉ ଏହି ସମୟ ଭିତରେ ଜଣେ ପ୍ରବାସୀଙ୍କ ଉପରେ ଲଦି ହୋଇପଡ଼ିଛି ଦୁଃଖର ପାହାଡ଼ । ମାଆ ଛାଡ଼ି ଚାଲିଯାଇଛି ଆରପାରିକୁ । ନା ଆଉ କେବେ ଫେରିବ ନା ବୋଉଲୋ ଡ଼ାକିଲେ ଓଲୋ କହି ଉତ୍ତର ଦେବ ।

ବୋଉ ମୁଁ ତୋ ପାଖକୁ ଯାଉଛି… । ଆଉ ପହଞ୍ଚିଲା ପରେ ପୁଅ ଫୋନ କରି କହିଲା ବୋଉଲୋ ମୁଁ ପହଞ୍ଚି ଗଲି… । ସାଙ୍ଗମାନଙ୍କ ସହ ଭଲରେ ଭଲରେ ଆସି ସକାଳୁ ସକାଳୁ ପହଞ୍ଚିଯାଇଛି… । ତୁସେଠି ଭଲରେ ଥିବୁ ସରକାରଙ୍କ କଥାକୁ ଠିକ୍‌ ଠିକ୍‌ ମାନି ଚଳିବୁ ବୋଲି ମାଆ କହିଥିଲା ପୁଅକୁ । ଅହମ୍ମଦାବାଦରୁ ଗାଁକୁ ଫେରିଥିବା ସୁଶାନ୍ତ ପାଇଁ ଏହା ଥିଲା ମା’ଙ୍କ ଶେଷକଥା ଶେଷ ସ୍ନେହ । କାରଣ ରାତିରେ ଖାଇ ସୋଇବା ପରେ ପୁଅ ଫୋନକୁ କଲ ଆସିଲା । ସୁଶାନ୍ତ ତମ ବୋଉ ଆଉ ଏ ଦୁନିଆରେ ନାହାନ୍ତି । ଏହା ଶୁଣିବା ପରେ ଯେମିତି ସୁଶାନ୍ତର ଗୋଡ଼ ତଳୁ ମାଟି ଖସିଗଲା ଉପରୁ ଆକାଶ ଛିଡ଼ିଗଲା । ପୂର୍ବରୁ ବାପାଙ୍କୁ ହରାଇଥିବା ପୁଅ ଆଜି ତା ଶେଷ ସାହାରାକୁ ହରାଇଦେଇଛି । ଏହା ଭାବି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ କୋହ ଫଟାଇ କାନ୍ଦୁଥିଲା ପୁଅ । ହେଲେ କାନ୍ଦର ସବ୍ଦ କ୍ୱାରେଣ୍ଟାଇନ୍‌ର ୪ କାନ୍ଥ ଭିତରେ ରଦ୍ଧ ହୋଇ ରହିଗଲା । ସୁଶାନ୍ତ ମା’ଙ୍କ ଶେଷକୃତ୍ୟରେ ସାମିଲ ହେବାକୁ ଚାହିଁଥିଲେ । କିନ୍ତୁ କରୋନା ଭୟରେ ତାଙ୍କୁ ସଙ୍ଗରୋଧ କେନ୍ଦ୍ର ଛାଡିବାକୁ ଦିଆଯାଇନଥିଲା । ଭିଡିଓକଲ ଯୋଗେ ମା’ର ଶେଷକୃତ୍ୟକୁ ଦେଖିଥିଲେ ସୁଶାନ୍ତ । ବଡ଼ପୁଅ ଭାବେ ମୁଖାଗ୍ନୀ ଦେଇପାରିନଥିଲେ ସୁଶାନ୍ତ । ମାନସିକ ବିକାରଗସ୍ତ ସାନପୁଅ ଦେଇଥିଲା ମୁଖାଗ୍ନୀ ।

ସୂଚନା ଅନୁଯାୟୀ, ଗୁଜୁରାଣ ମେଣ୍ଟାଇବା ପାଇଁ ୨୨ ବର୍ଷୀୟ ପୁଅ ସୁଶାନ୍ତ ଅହମଦ।ବ।ଦ ସ୍ପିନିଂ ମିଲରେ ୬ ମାସ ହେବ କାମ କରୁଥିଲେ । କରୋନା ପାଇଁ ପ୍ରବାସୀ ଓଡ଼ିଆଙ୍କ ସହ ଲେଉଟିଥିଲେ ନିଜ ଘରକୁ । ବାହାରୁ ଆସିଥିବା କାରଣରୁ ତାଙ୍କୁ କ୍ୱାରେଣ୍ଟାଇନ ହଲରେ ରହିବାକୁ ପଡ଼ିଥିଲା । ତେବେ ସେହି ସମୟରରେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ ପରେ ମଧ୍ୟ ମାଆର ଶେଷ ଦର୍ଶନ ପାଇ ନଥିଲା ପୁଅ । ଏହାପରେ ଭିଡିଓ କଲିଂରେ ସୁଶାନ୍ତ ଦେଖିଥିଲେ ଶେଷ କର୍ମ ।

ମାଆର ଯନ୍ତ୍ରଣା ଆଗେରେ ଉଭେଇଗଲା ପୁଅର କୁଆଁ କୁଆଁ ଡ଼ାକ, ନବ ଜନ୍ମିତ ପୁଅକୁ ରାସ୍ତାରେ ଛାଡ଼ି ଚାଲିଗଲା ମାଆ…

Leave a Reply