ଲୋକସଭାରେ ଆଗତ ହୋଇଥିବା ମହିଳା ସଂରକ୍ଷଣ ବିଲ୍ କ’ଣ?

1 min read

ନନ୍ଦିଘୋଷ ବ୍ୟୁରୋ: ବିରୋଧୀ ହଟ୍ଟେଗାଳ ମଧ୍ୟରେ ଲୋକସଭାରେ ଆଗତ ହୋଇଛି ମହିଳା ସଂରକ୍ଷଣ ବିଲ୍ । ଏହି ବିଲ ଉପସ୍ଥାପନ କରିବା ବେଳେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ କହିଛନ୍ତି କି, ଏହା ହେଉଛି ନାରୀଶକ୍ତି ବନ୍ଦନ ଅଧିନିୟମ ବିଲ୍ । ତେବେ ଏହି ବିଲ ଆଗତ ହେବା ପୂର୍ବରୁ ଅନେକ ବିବାଦମାନ ମଧ୍ୟ ଦେଖିବାକୁ ମିଳିଥିଲା ।

ଏହି ବିଲରେ କ’ଣ ଅଛି

ଏହି ବିଲ୍ ଉପସ୍ଥାପନ କରି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ସମ୍ବିଧାନ ବିଧେୟକ ୨୦୨୩ ଏକ ଗୁରୁତ୍ବପୂର୍ଣ୍ଣ ବିଲ୍ । ଏହାଦ୍ବାରା ୩୩ ପ୍ରତିଶତ ମହିଳା ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ (ଏନସିଟି)ରେ ସଂରକ୍ଷଣ ପାଇବେ । ସେପଟେ ଧାରା ୩୩୦ A କୁ ସଂଶୋଧନ କରାଯାଇଛି । ଯାହାଦ୍ବାରା ବିଧାନସଭାରେ ମଧ୍ୟ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ । ଏହି ସଂରକ୍ଷଣ ୧୫ ବର୍ଷ ପାଇଁ ମହିଳାଙ୍କ ପାଇଁ ରହିବ । ଏହାଦ୍ବରା ବହୁ ମହିଳା ନେତା ହେବାର ସୁଯୋଗ ପାଇବେ । କିନ୍ତୁ ପୂର୍ବରୁ ଓଡ଼ିଶାରେ ବିଜେଡି ସରକାର ଏହା ଉପରେ ଧ୍ୟାନ ଦେବ ସହ ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ।

ବଦଳିଲା ସଂସଦ ଭବନ । ବଦଳିବ କି ସାଂସଦଙ୍କ ଭାବ ଓ ଭାବନା ? ନୂଆ ସଂସଦର ପ୍ରଥମ ଦିନରେ ମହିଳା ସଂରକ୍ଷଣ ନେଇ ଆଲୋଚନା । ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍ । ଆଇନରେ ପରିଣତ ହେଲେ ୨୦୨୯ରେ ମିଳିବ ଫାଇଦା । ନାରୀଶକ୍ତି ବନ୍ଦନ ଅଧିନିୟମ ଭାବେ ନାମିତ କଲେ ପିଏମ୍  । ଲୋକସଭାରେ ୧୮୧ ଜଣ ରହିବେ  ମହିଳା ସାଂସଦ । ବିଲ୍ରେ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇ ରହିବ । ଏହି ସଂରକ୍ଷଣ ୧୫ ବର୍ଷ ପାଇଁ ମହିଳାଙ୍କ ପାଇଁ ରହିବ । ପୁଣି ସଂରକ୍ଷଣ ପାଇଁ ଆଉ ଥରେ ନୂଆ କରି ବିଲ୍ ଆଣିବାକୁ ପଡ଼ିବ । ତେବେ ରାଜ୍ୟ ସଭା ଓ ଯେଉଁ ରାଜ୍ୟରେ ବିଧାନପରିଷଦ ରହିଛି, ସେଠାରେ ଏହି ସଂରକ୍ଷଣ ଲାଗୁ ହେବ ନାହିଁ । ନୂଆ ବିଧେୟକରେ ଗୋଟିଏ ବଡ଼ କଣ୍ଟା ରହିଛି । ଲୋକସଭାରେ ପରିସିମନ ପରେ ହିଁ ଏହି ବ୍ୟବସ୍ଥା ଲାଗୁ ହୋଇପାରିବ । ତେବେ ଜନଗଣନା ନହେଲା ପର୍ଯ୍ୟନ୍ତ ଲୋକସଭାରେ ପରିସିମନ ହୋଇପାରିବ ନାହିଁ । ୨୦୨୧ରେ ଜନଗଣନା ହେବାର ଥିଲେ ମଧ୍ୟ ହୋଇପାରିନଥିଲା । ତେଣୁ ୨୦୨୬ ପର୍ଯ୍ୟନ୍ତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିବ ନାହିଁ । ୨୦୨୯ ଲୋକସଭା ନିର୍ବାଚନ ବେଳକୁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିବ ବୋଲି ଆଶା କରାଯାଉଛି  ।

ମହିଳା ସଂରକ୍ଷଣ ବିଲ୍ ପୂର୍ବରୁ ମଧ୍ୟ ଅଣାଯାଇଥିଲା ବୋଲି କହି କଂଗ୍ରେସ କ୍ରେଡିଟ ନେବାକୁ ଚେଷ୍ଟା କରିଥିଲା  । ଯାହାକୁ ନେଇ ଗୃହରେ ପ୍ରବଳ ହଙ୍ଗାମା ମଧ୍ୟ ହୋଇଥିଲା । ୨୦୧୦ରେ କଂଗ୍ରେସ ସରକାର ୩୩ ପ୍ରତିଶତ ସଂରକ୍ଷଣ ବିଲକୁ ରାଜ୍ୟସଭାରେ ଆଗତ କରାଇଥିଲେ । ସେତେବେଳେ ପ୍ରବଳ ବିରୋଧ ଯୋଗୁଁ ଏହାକୁ ଲୋକସଭାରେ ଆଗତ କରାଯାଇପାରିନଥିଲା । ସମାଜବାଦୀ ପାର୍ଟି ଓ ରାଷ୍ଟ୍ରିୟ ଜନତା ଦଳ ଏହାକୁ ବିରୋଧ କରିଥିଲେ  । ସେମାନଙ୍କ ତର୍କ ହେଲା ଏହି ବିଲ୍ ଦ୍ବାରା କେବଳ ସହରୀ ମହିଳାଙ୍କୁ ଫାଇଦା ମିଳିବ  । ତେଣୁ ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କୁ ମଧ୍ୟ ସଂରକ୍ଷଣ ଦେବା ଦରକାର  । ଯାହା ଦ୍ବାରା ଗ୍ରାମାଞ୍ଚଳରେ ଥିବା ମହିଳା ନେତୃତ୍ବ ମାନେ ମଧ୍ୟ ସଂରକ୍ଷଣ ବିଲ୍ର ଫାଇଦା ଉଠାଇପାରିବେ ।

ମହିଳା ସଂରକ୍ଷଣ ବିଲ ଲୋକସଭାରେ ଆଗତ ହେବା ପରେ ବିଜେଡି ସାଂସଦ ଶର୍ମିଷ୍ଠା ସେଠି ପ୍ରତିକ୍ରିୟା ରଖିଛନ୍ତି । ବିଜୁ ଜନତା ଦଳର ଏହା ବହୁ ପୁରୁଣା ଦାବି । ବିଜୁ ଜନତା ଦଳ ଏକ ମାତ୍ର ଆଞ୍ଚଳିକ ଦଳ ଯିଏ ଏହି ଦାବି ନେଇ ୨୨ଟି ଦଳ ପାଖକୁ ସମର୍ଥନ ପାଇଁ ଯାଇଥିଲା । ୨୦୧୯ ସାଧାରଣ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ରଖିଥିଲା । ମୁଖ୍ୟମନ୍ତ୍ରୀ ପ୍ରୟାସ  ଆଜି ସଫଳ ହୋଇଛି । ମୁଖ୍ୟମନ୍ତ୍ରୀ ଏହି ବିଲ ପାରିତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ୨୦୧୮ରୁ ଚିଠି ଲେଖିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଦାବି ପୂରଣ ହେବାକୁ ଯାଉଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ । ତାଙ୍କ ନେତୃତ୍ବରେ ବିଜୁ ଜନତା ଦଳର ସାଂସଦ ମାନେ ବାରମ୍ବାର ଏହି ଦାବିକୁ ସଂସଦର ଉଭୟ ଗୃହରେ ଉଠାଇଛନ୍ତି ।

ନୂଆ ସଂସଦ ଭବନରେ ଗୃହକାର୍ଯ୍ୟ ଆରମ୍ଭ ହେବା ସହ ଇତିହାସ ହୋଇଗଲା ପୁରୁଣା ସଂସଦ ଭବନ  । ଏଥିସହ ପୁରୁଣା ସଂସଦ ଭବନକୁ ସମ୍ବିଧାନ ଭବନ କୁହାଯିବ ବୋଲି ସରକାର କହିଛନ୍ତି  । ଏହି ଅବସରରେ କଂଗ୍ରେସ ପକ୍ଷରୁ ସମ୍ବିଧାନ ଧରି ନୂଆ ସଂସଦ ଭବନରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା  ।