EOWର ମହାଖୁଲାସା, ଘର ବା ଘର ମରାମତି ନାଁରେ ୫ ଲକ୍ଷ ଯାଏଁ ଋଣ ଉଠା ଯାଇଛି

1 min read

ଭୁବନେଶ୍ବର: ଖୋଲୁଛି ସୌମ୍ୟଙ୍କ କଳା ସାମ୍ରାଜ୍ୟର ଗୁମର । ଲୋନ ସ୍କାମକୁ ନେଇ ଆସିଥିବା ଅଭିଯୋଗ ପାଇଁ ଦ୍ବିତୀୟ ଦିନରେ EOW ଜେରା କରିଥିବାବେଳେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ପ୍ରେସ ରିଲିଜ ଜରିଆରେ EOW ପକ୍ଷରୁ ବହୁ ତଥ୍ୟ ଦିଆଯାଇଛି । କୁହାଯାଇଛି କି, ପ୍ରାୟତଃ ଗୋଟିଏ ଶୈଳୀରେ ସବୁ ଲୋନ ଉଠାଯାଇଛି । ନୂଆ ଘର ବା ଘର ମରାମତି ନାଁରେ ୫ ଲକ୍ଷ ଯାଏଁ ଋଣ ଉଠାଯାଇଛି । ତେବେ ଏହି ଋଣ ଉଠାଣରେ ସମ୍ବାଦ/ EML ପକ୍ଷରୁ ନକଲି ସାଲାରି ସ୍ଲିପର ବ୍ୟବହାର କରାଯାଇଛି । ପ୍ରକୃତ ସାଲାରି ସ୍ଲିପ୍ ଓ ବ୍ୟାଙ୍କକୁ ଦିଆଯାଇଥିବା ସ୍ଲିପ ମଧ୍ୟରେ ଫରକ୍ ରହିଥିବା କୁହାଯାଇଛି । ତେବେ ଲୋନ୍ ଫର୍ମ ଅନ୍ୟ କାହା ଦ୍ବାରା ପ୍ରସ୍ତୁତ କରାଯାଇଥିବାବେଳେ ଫର୍ମରେ ଋଣ ଗ୍ରହିତା ନାମକୁ ମାତ୍ର ଦସ୍ତଖତ କରିଥିବା ଜଣାପଡ଼ିଛି । ପ୍ରକୃତ ଋଣ ଗ୍ରହିତା ଋଣ ଟଙ୍କାରୁ ଟଙ୍କାଟିଏ ମଧ୍ୟ ପାଇନାହାନ୍ତି । ଏଭଳି ଅନେକ ତଥ୍ୟ EOW ପକ୍ଷରୁ ପ୍ରେସ ରିଲିଜ ଜରିଆରେ ପ୍ରକାଶ କରାଯାଇଛି ।

ବ୍ୟାଙ୍କ ଲୋନ୍ ସ୍କାମରେ ଫସିବା ପରେ ଏବେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆସୁଛି ଗଦା ଗଦା ଅଭିଯୋଗ । ଅଭିଯୋଗକୁ ସାମ୍ନା କରିବାର ସତସାହସ ନ ଦେଖାଇ ଖେଳୁଛନ୍ତି ଭିକ୍ଟିମ୍ କାର୍ଡ । ନିଜ ଗଣମାଧ୍ୟମକୁ ଆଳ କରି ଲୋକଙ୍କୁ ବିଭ୍ରାନ୍ତି କରିବାକୁ ଚାଲିଛି ଜୋରଦାର ପ୍ରୟାସ । ହେଲେ ଅନ୍ୟକୁ ବୁଦ୍ଧି ଦେଉଥିବା ସୌମ୍ୟ ପଟ୍ଟନାୟକ ଆଇନ ସମସ୍ତଙ୍କ ପାଇଁ ଗୋଟିଏ ବୋଲି ବୁଝୁନାହାନ୍ତି କାହିଁକି ? ଗଣମାଧ୍ୟମ ସଂସ୍ଥାର ମାଲିକ ହେଲେ କ’ଣ ସାତ ଖୁନ ମାଫ୍ ହୋଇଯାଏ ? ଗଣମାଧ୍ୟମ ସଂସ୍ଥା ପାଇଁ କ’ଣ ଆଇନର ଦିଗ ଅଲଗା ? ବ୍ୟାଙ୍କ ଋଣ ସ୍କାମର ଅଭିଯୋଗ ହୋଇଛି ଇଓଡବ୍ଲୁରେ । ନିଜ ସ୍ବାର୍ଥ ପାଇଁ କମର୍ଚାରୀଙ୍କ ଅଗୋଚରରେ ଡକୁମେଣ୍ଟ ଜାଲିଆତି କରିବା ଏବଂ ଏହାକୁ ସରକାରୀ ଭାବେ ବ୍ୟବହାର କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଏହାକୁ ସୌମ୍ୟ କିମ୍ବା ତାଙ୍କ ସଂସ୍ଥାର କେହି ଖଣ୍ଡନ ନକରି ଶୁଖିଲା ସିମ୍ପାଥି ପାଇବା ପାଇଁ ମିଡ଼ିଆକୁ ଢାଲ କରିବା ଉଚିତ ନୁହେଁ ବୋଲି ବରିଷ୍ଠ ସାମ୍ବାଦିକ କହିଛନ୍ତି । ନିଜ ଦୋଷ ଲୁଚାଇବାକୁ ପୂରା ଗଣମାଧ୍ୟମ ସମାଜକୁ ବଦନାମ କରିବାର ଅଧିକାର ଦେଲା କିଏ ? ଏପରିକି ସୌମ୍ୟଙ୍କ ପାଇଁ ଓକିଲାତି କରୁଥିବା ସାମ୍ବାଦିକମାନେ ବି ପ୍ରକୃତ ସତ୍ୟକୁ ତର୍ଜମା କରିବା ଉଚିତ ବୋଲି ବରିଷ୍ଠ ସାମ୍ବାଦିକମାନେ କହିଛନ୍ତି ।