ନୂତନ ବର୍ଷ ୨୦୨୩କୁ ଅଭିନନ୍ଦନ

ଭୁବନେଶ୍ବର: ବିଦାୟ ନେଇଛି ବର୍ଷ ୨୦୨୨ । ନୂଆ ଆଶା, ନୂଆ ଉତ୍ସାହ ନେଇ ପଦାର୍ପଣ କରିଛି ନୂଆବର୍ଷ ୨୦୨୩ । ସାରା ବିଶ୍ବ ନୂତନ ନୂଆ ବର୍ଷକୁ କରିଛି ଅଭିନନ୍ଦନ । ଓଡ଼ଇଶାରେ ବି ଦେଖିବାକୁ ମିଳିଛି ନୂଆବର୍ଷ ଉତ୍ସାହ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆତସବାଜି କରି ନୂଆବର୍ଷକୁ ସ୍ବାଗତ କରିଛନ୍ତି ଓଡ଼ିଶାବାସୀ । ଏହାସହ ଦେବପୀଠ, ପର୍ଯ୍ୟଟନସ୍ଥଳିରେ ଦେଖିବାକୁ ମିଳିଥିଲା ଲୋକଙ୍କ ଭିଡ଼ । ଲୋକେ ପରସ୍ପରକୁ ଅଭିନନ୍ଦନ ଜଣାଇ ନୂଆ ରୂପରେ ନୂଆ ଆଶାରେ ନୂଆ ଜୀବନଯାତ୍ରା ଆରମ୍ଭ କରିବାକୁ ଦେଉଛନ୍ତି ପ୍ରତିଶ୍ରୁତି ।

କୋଣାର୍କରେ ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟ

କୋଣାର୍କରେ ୨୦୨୩ର ପ୍ରଥମ ସୂର୍ଯ୍ୟୋଦୟ । ନୂଆ ବର୍ଷର ପ୍ରଥ ସୂର୍ଯ୍ୟୋଦୟ ଦେଖିବାକୁ ଲାଗିଛି ପର୍ଯ୍ୟଟକଙ୍କ ଗହଳି । ସୂର୍ଯ୍ୟଦେବଙ୍କୁ ନମନ କରି ନୂଆ ବର୍ଷ ଆରମ୍ଭ କରିବାକୁ ଚନ୍ଦ୍ରଭାଗା ଲୋକଙ୍କ ଭିଡ଼ । ହଜାର ହଜାର ପର୍ଯ୍ୟଟକ ସୂର୍ଯ୍ୟଦେବଙ୍କ ଦର୍ଶନ କରିବା ସହ ଚନ୍ଦ୍ରଭାଗାରେ ସମୁଦ୍ର ସ୍ନାନ କରିଛନ୍ତି । ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆଜି ପର୍ଯ୍ୟଟକଙ୍କ ପାଇଁ ଟିକେଟ ଫ୍ରି କରାଯାଇଛି ।

ଦେବପୀଠରେ ଶ୍ରଦ୍ଧାଳୁଙ୍କ ଗହଳି

 

ରଙ୍ଗୀନ ଆଲୋକ, ଡିଜେ ସାଉଣ୍ଡରେ ଜିରୋନାଇଟ୍ ସେଲିବ୍ରେସନ ପରେ ସକାଳୁ ସକାଳୁ ବିଭିନ୍ନ ଦେବପୀଠରେ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଗହଳି । ଶ୍ରୀକ୍ଷେତ୍ର ପୁରୀ, ବାବା ଆଖଣ୍ଡଳମଣି, ବାବା ଲିଙ୍ଗରାଜ, ବାବା ଲୋକନାଥ, ବାବା କପିଳେଶ୍ବର, ମା’ ବିରଜା, ମା’ ସାରଲା, ମା’ ମଙ୍ଗଳା, ମା’ ତାରାତାରିଣୀ, ଝଙ୍କଡ଼ବାସିନୀ ମା’ ତାରିଣୀ ସମେତ ସମସ୍ତ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଦେବଦେବୀଙ୍କ ଦର୍ଶନ କରି ନୂଆ ବର୍ଷକୁ ନୂଆ ଆଶାରେ ଆରମ୍ଭ କରିଛନ୍ତି ଲୋକେ । ଦେଶ, ରାଜ୍ୟ, ବିଶ୍ବ ଓ ପରିବାରର ମଙ୍ଗଳ କାମନା କରିବା ସହ ଦୁଃଖ ଦୂର କରିବାକୁ କରିଛନ୍ତି ନିବେଦନ । ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶବାସୀଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।