ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି ଜାଣନ୍ତୁ?

1 min read

ନୂଆଦିଲ୍ଲୀ: ବିଶ୍ୱ ହେଉ କିମ୍ବା ଦେଶ, ସବୁସ୍ଥାନରେ ସେଲିବ୍ରେଟି ସୋସିଆଲ ମିଡିଆ ପୋଷ୍ଟରୁ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି । ଯଦି ଭାରତ କଥା କହିବା ତାହାଲେ ଇନଷ୍ଟାଗ୍ରାମରେ ପ୍ରତି ପୋଷ୍ଟରେ ଅଧିକ ଟଙ୍କା ଚାର୍ଜ କରୁଥିବା ସେଲିବ୍ରେଟିଙ୍କ ମଧ୍ୟରେ ବିରାଟ କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି । ୨୦୨୧ହୋପର ଇନଷ୍ଟାଗ୍ରାମ ରିଚ୍ ଲିଷ୍ଟ ଅନୁସାରେ ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଟଙ୍କା ଚାର୍ଜ କରିବାରେ ବିରାଟ କୋହଲି ୧୯ତମ ସ୍ଥାନରେ ରହିଛନ୍ତି ।

ବିରାଟ କୋହଲି ପ୍ରତି ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ୬ ଲକ୍ଷ ୮୦ ହଜାର ଡଲାର ଅର୍ଥାତ ପ୍ରାୟ ୫ କୋଟି ଟଙ୍କା ଚାର୍ଜ କରିଥାନ୍ତି । ଯଦି ଫଲୋଅର୍ସଙ୍କ କଥା କହିବା ତାହାଲେ ଏହି ମାମଲାରେ ଭାରତରେ ପ୍ରଥମ ସ୍ଥାନରେ ରହିଛନ୍ତି ବିରାଟ କୋହଲି । ବିରାଟଙ୍କର ଇନଷ୍ଟାଗ୍ରାମରେ ୧୭୭ ମିଲିୟନ ଫଲୋଅର୍ସ ରହିଛି । କୋହଲିଙ୍କ ପରେ ଏହି ଲିଷ୍ଟର ଦ୍ୱିତୀୟ ସ୍ଥାନରେ ଅଛନ୍ତି ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ବିଶ୍ୱର ଟପ୍-୫୦ ଲିଷ୍ଟରେ ଏହି ଦୁଇ ଭାରତୀୟ ରହିଛନ୍ତି । ତେବେ ପ୍ରିୟଙ୍କ ଚୋପ୍ରା ଗୋଟିଏ ପୋଷ୍ଟ ପାଇଁ ୪୦୩, ୦୦୦ ଡଲାର ଅର୍ଥାତ ପ୍ରାୟ ୩ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

ତେବେ ଏହି ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ପର୍ତ୍ତୁଗାଲ ଫୁଟବଲର କ୍ରିଷ୍ଟିଆନ ରୋନାଲ୍ଡୋ । ସେ ଇନଷ୍ଟାଗ୍ରାମରେ ପ୍ରତି ପୋଷ୍ଟ ପାଇଁ ୧,୬୦୪,୦୦୦ ଡଲାର ଅର୍ଥାତ ପ୍ରାୟ ୧୨ କୋଟି ଟଙ୍କା ଚାର୍ଜ କରିଥାନ୍ତି । ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟରେ ସବୁଠାରୁ ଅଧିକ ଟଙ୍କା ଚାର୍ଜ କରିବା ଖେଳାଳିଙ୍କ ମଧ୍ୟରେ କ୍ରିଷ୍ଟିଆନ ରୋନାଲ୍ଡଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଷ୍ଟାର ଫୁଟବଲର ଲିଓନାଲ ମେସୀ । ଆର୍ଜେଣ୍ଟିନାର ଷ୍ଟାର ଫୁଟବଲର ମେସୀ ଇନଷ୍ଟାଗ୍ରାମରେ ପ୍ରତି ପୋଷ୍ଟରେ  ପ୍ରାୟ ୮.୬୮ କୋଟି ଟଙ୍କା ନେଇଥାନ୍ତି । ସେହିପରି ତୃତୀୟ ସ୍ଥାନରେ ଅଛନ୍ତି ବ୍ରାଜିଲ ଫୁଟବଲର ନେମାର ଜୁନିଅର । ସେ ଇନଷ୍ଟାଗ୍ରାମରେ ପ୍ରତି ପୋଷ୍ଟ ପାଇଁ ପ୍ରାୟ ୬.୧୨ କୋଟି ଟଙ୍କା ଚାର୍ଜ କରିଥାନ୍ତି । ଏହା ପରେ ଚତୁର୍ଥ ସ୍ଥାନରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ଅଛନ୍ତି ।

Leave a Reply