ଚାଲିଗଲେ ଚିର ସବୁଜ ଗୀତର ସ୍ରଷ୍ଟା ସରୋଜ ପଟ୍ଟନାୟକ

ବାରିପଦା: ଓଡ଼ିଆ ସିନେ ଜଗତକୁ ଆଉ ଏକ ଝଟକା । ଭେଟରାନ ଅଭିନେତା ମିହିର ଦାସଙ୍କ ମୃତ୍ୟୁ ପରେ ଏବେ ଆଉ ଜଣେ ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ହରାଇଲା ଓଡ଼ିଶା । ’ଏଇ ଝୁମାଝୁମା ଗୋଲାପୀ ବେଳାରେ ହେଉ’ କି ’ଏଇ ଯେ ବନଲତା ପାହାଡ’ ପରି ବହୁ ସୁପର ଡୁପର ହିଟ୍ ସଂଗୀତର ସୁରକାର ଏବଂ ଗୀତିକାର ଓଡ଼ିଆ ସିନେ ଜଗତର ଅନ୍ୟତମ ବାଦଶାହ ସରୋଜ ପଟ୍ଟନାୟକ ଓରଫ କାବୁଲ ଦା ଆଉ ନାହାନ୍ତି । ବାରିପଦା ବଡ ବଜାର ସ୍ଥିତ ତାଙ୍କ ବାସଭବନରେ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି ।

ସରୋଜ ପଟ୍ଟନାୟକଙ୍କ ୧୯୪୦ ମସିହା ଜୁନ୍ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ସିଭିଲ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିଲେ । ରାଜ୍ୟ ସରକାରଙ୍କ ଅଧୀନରେ ଚାକିରୀ କରିଥିଲେ। ଗଣେଶ ଜୀଉ ଯେତେବେଳେ ଅଭିମାନ ସିନେମା କରିବା ପାଇଁ ମନ ବଳାଇଲେ ସେତେବେଳେ ସେହି ସିନେମାର ସଙ୍ଗୀତ କରିବାକୁ ସ୍ୱର୍ଗତଃ ରାଧାକୃଷ୍ଣ ଭଞ୍ଜ ଏବଂ ସରୋଜ ପଟ୍ଟନାୟକଙ୍କୁ ବାଛିଥିଲେ। ରାଧାକୃଷ୍ଣ ଓ ସରୋଜ ପଟ୍ଟନାୟକ ଯୋଡ଼ି ସେତେବେଳେ ଓଡ଼ିଆ ସିନେ ଜଗତରେ ଚହଳ ସୃଷ୍ଟି କରିଥିଲା । ଫୁଲ ଚନ୍ଦନ ଫିଲ୍ମର ’ଏଇ ଯେ ବନଲତା ପାହାଡ଼’ ଗୀତଠାରୁ ଆରମ୍ଭ କରି ’କହନା ଏ ଫୁଲ କହନା’ ହେଉ କି ’ମନେ ପଡେ ଆଜି ସେଇ ଦିନ’ ଭଳି ସବୁ ଗୀତ ଥିଲା ସୁପରହିଟ୍ । ଏହା ପରେ ସେ ’ଝିଅଟି ସୀତା ପରି’, ଅଭିଳାଷ, ହାକିମବାବୁ, ଏଇ ସଙ୍ଘର୍ଷ, ମୋ ମନ ଖାଲି ତୋରି ପାଇଁ, ତୁମେ ହିଁ ସାଥି ମୋର ଆଦି ଫିଲ୍ମରେ ମିଠା ସଙ୍ଗୀତର ସୁରରେ ସଜାଇ ଶ୍ରୋତାଙ୍କୁ ଝୁମାଇ ଥିଲେ ।

୧୯୯୮ରେ ସେ ସରକାରୀ ଚାକିରୀରୁ ଅବସର ନେବା ପରେ ବାରିପଦାରେ ରହୁଥିଲେ। ତେବେ ପାଖାପାଖି ୬ମାସ ହେବ ସେ ଶଯ୍ୟାଶାୟୀ ଥିଲେ । ଗତ ବୁଧବାର ସେ ସୁସ୍ଥ ଥିବା ବେଳେ ହଠାତ୍ ତାଙ୍କ ଶରୀରରେ ସୋଡିୟମ ମାତ୍ରା କମିଯାଇଥିଲା ଏବଂ ତାଙ୍କର ହିକ୍କା ଆରମ୍ଭ ହୋଇଥିଲା ବୋଲି ତାଙ୍କ ସାନଭାଇ ସ୍ୱରୂପ ପଟ୍ଟନାୟକ କହିଛନ୍ତି । ତାଙ୍କ ମୃତ୍ୟୁରେ ସମଗ୍ର ଓଡ଼ିଶାର ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

 

Leave a Reply