ଆମେରିକାକୁ ଡରାଉଛି କି ଋଷର ଶସ୍ତା ତେଲେ ? ଭାରତକୁ ଦେଲା ଚେତାବନୀ

1 min read

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ହେଉଛି । ୟୁକ୍ରେନ ମାଟି ପାଲଟିଛି ଯୁଦ୍ଧ କ୍ଷେତ୍ର । ଋଷ ସେଠାରେ ପ୍ରତିଦିନ ତାଣ୍ଡବ ରଚୁଛି । ନଷ୍ଟ ହେଉଛି ସମ୍ପତ୍ତି, ଯାଉଛି ସାଧାରଣ ଲୋକଙ୍କ ଜୀବନ । ଆମେରିକା ଓ ନାଟୋ ଦେଶ ସୈନ୍ୟ ସହାୟତା ଯୋଗାଇ ନଥିଲେ ବି ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଓ ମାନବୀନ ସହାୟତା ଯୋଗାଇ ଆସୁଛନ୍ତି । ଏହାସହ ଋଷ ଉପରେ ପ୍ରତିବନ୍ଧକ ପରେ ପ୍ରତିବନ୍ଧକ ଲଗାଇ ଚାଲିଛନ୍ତି । ଯାହାର ପ୍ରଭାବ ଋଷର ଅଶୌଧିତ ତେଲ ରପ୍ତାନୀ ଉପରେ ପଡିଛି । ଏମିତି ସ୍ଥିତିରେ ଋଷ ଭାରତକୁ ରିହାତି ଦରରେ ତେଲ ଦେବାକୁ ଅଫର ଦେଇଛି । ଏମିତିରେ କି ବ୍ୟାରେଲ୍ ପିଛା ୨୦ରୁ ୨୫ ଡଲାର କମ ଟଙ୍କାରେ ତେଲ ଦେବାକୁ ବନ୍ଧୁ ରାଷ୍ଟ୍ର ଭାରତକୁ ଅଫର ଦେଇଛି ଋଷ । ଏମିତି ଅଫର ଶୁଣି ଆମେରିକା ବାଇଆ, ପାଗଲା ଭଳି ହେଉଛି । ସ୍ଥିତି ଏମିତି ଯେ, ଆମେରିକା ଭାରତକୁ ଚେତାବନୀ ଦେଇ ଦେଇଛି । ଭାରତ ଯଦି ଋଷ ପାଖରୁ ତେଲ କିଣେ ତେବେ ଏହା ଆକ୍ରମଣକାରୀ (ଋଷ) ସହ ଛିଡ଼ା ହେବା ପରି ହେବ ବୋଲି ଆମେରିକା କହିଛି । ଏଥିରୁ ଗୋଟିଏ ପ୍ରଶ୍ନ ଉଠୁଛି, ଭାରତ-ଋଷ-ଚୀନ ମଧ୍ୟରେ ବଢୁଥିବା ବ୍ୟବସାୟୀକ ଘନିଷ୍ଠତା ଆମେରିକାକୁ ଡରାଉଛି କି ?

ଗୋଟିଏ ପଟେ ୟୁକ୍ରେନ ଯୁଦ୍ଧରେ ଆମେରିକାର ଭୁମିକାକୁ ନେଇ ପୂରା ବିଶ୍ବ ପ୍ରଶ୍ନ ଉଠାଉ ଥିବା ବେଳେ ତେଲ ବଜାରରେ ଭାରତ, ଋଷ ଓ ଚୀନ ମଧ୍ୟରେ ବଢୁଥିବା ସହଭାଗୀତା ଆମେରିକାକୁ ବିଚଳିତ କରିବାରେ ଲାଗିଛି । ଋଷଠାରୁ ତେଲ କିଣିବା ଚର୍ଚ୍ଚା ଭିତରେ ହ୍ବାଇଟ୍ ହାଉସ୍ ପ୍ରବକ୍ତା ଭାରତକୁ ଚେତାବନୀ ଦେବାକୁ ପଛାଇନାହାନ୍ତି । ସେ କହିଛନ୍ତି, ଯଦି ଭାରତ ଏମିତି କରେ ତେବେ ଏହା ଆକ୍ରମଣକାରୀଙ୍କ ସହ ଛିଡ଼ା ହେବା ପରି ହେବ ଓ ଇତିହାସ ଏହାକୁ ମନେ ରଖିବ । ସୂଚନାଯୋଗ୍ୟ, ଆମେରିକା ଚାହୁଁଛି ସେ ଋଷ ଉପରେ ଲଗାଇଥିବା ପ୍ରତିବନ୍ଧକକୁ ଅନ୍ୟ ଦେଶମାନେ ମଧ୍ୟ ମାନନ୍ତୁ ।

ଆମେରିକା ଚେତାବନୀର ଉତ୍ତର କ’ଣ ?

ଭାରତ ତରଫରୁ, ଆମେରିକାର ଚେତାବନୀ ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ଆସିନାହିଁ । ହେଲେ ବିରୋଧୀ ଦଳ କଂଗ୍ରେସର ବରିଷ୍ଠ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, ‘ଆମେରିକା ସହ ଆମର ସମ୍ପର୍କ ଅଛି, ହେଲେ ଏହାର ମାନେ ନୁହେଁ ଆମେ ଋଷ ସହ ସମ୍ପର୍କ କାଟି ଦେବା । ଋଷ ସହ ସମ୍ପର୍କକୁ ନେଇ ଭାରତ ସରକାରଙ୍କୁ ବୁଝି ବିଚାରି ଆଗକୁ ବଢ଼ିବାକୁ ପଡିବ ।’

ପ୍ରକୃତ କଥା ହେଲା, କିଛିଦିନ ପୂର୍ବରୁ ଭାରତର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ଏବଂ ଋଷ ଉପ ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡାର ନୋଭାକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ଭାରତକୁ ଶସ୍ତାରେ ଋଷ ତେଲ ବିକ୍ରି କରିବାକୁ ଅଫର ଦେଇଥିଲା । ଭାରତ ଋଷଠାରୁ ଶସ୍ତାରେ ତେଲ କିଣିବ ବୋଲି ସମସ୍ତେ ଚିନ୍ତା କରୁଛନ୍ତି । ଯାହାକୁ ନେଇ ବିଚଳିତ ଆମେରିକା ଏମିତି ପ୍ରତିକ୍ରିୟା ଦେଉଛି ।

ଡରୁଛି କି ଆମେରିକା ?

ଆମେରିକା ଭଲ ଭାବେ ଜାଣିଛି, ସେ କି ନାଟୋ ଦେଶ ଯେତେ ଯାହା କଲେ ବି ଭାରତ, ଋଷ ସହ ସମ୍ପର୍କ କାଟିବ ନାହିଁ । କାରଣ ଏହି ଦୁଇ ଦେଶର ବନ୍ଧୁତ୍ବ କାହା ପାଖରେ ଅଛପା ନାହିଁ । ଏହାପ ପରେ ବି ଆମେରିକାର ଏମିତି ଧମକକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ଋଷ ଉପରେ ପ୍ରତିବନ୍ଧକ ଲଗାଇବା ନୂଆ ସମୀକରଣ ସୃଷ୍ଟି କରୁଛି ।  ଭାରତ-ଋଷ-ଚୀନ ମଧ୍ୟରେ ବ୍ୟବସାୟୀକ ସମ୍ପର୍କ ବଢ଼ିବା ଆମେରିକାକୁ ଡରାଉଛି କି ? ବୈଦେଶିକ ବିଶେଷଜ୍ଞଙ୍କ ମତରେ ଆମେରିକା ନିଜେ ଋଷ ଓ ଚୀନ ମଧ୍ୟରେ ସମ୍ପର୍କ ବଢିବାରେ ସହାୟକ ହୋଇଛି ଓ ଏହାର ପରିଣାମ ଏବେ ଭୋଗୁଛି । ପୂର୍ବତନ ରାଷ୍ଟ୍ରଦୂତ ଅନିଲ ତ୍ରୀଗୁଣାୟତଙ୍କ ମତରେ, ‘ଭାରତ ନିଜ ପ୍ରତିବଦ୍ଧତା ସହ ଛିଡା ହୋଇଛି । ଇରାକ, ଲିବିଆ ଓ ୟମନରେ ଆମେରିକା ଏମିତି କରିଥିଲା ।’

ସୂଚନାଯୋଗ୍ୟ, ଋଷ ବିରୋଧରେ ଆମେରିକା ପ୍ରତିବନ୍ଧ ପରେ ବି ସଂଯୁକ୍ତ ରାଷ୍ଟ୍ରରେ ଋଷ ଆକ୍ରମଣକୁ ଭାରତ ଭର୍ସନା କରିଥିଲେ ବି ନିଜ ବନ୍ଧୁ ବିରୋଧରେ ଏପର୍ଯ୍ୟନ୍ତ ଭୋଟ୍ ଦେଇନାହିଁ ।