ୟୁପିରେ ବିଜେପିକୁ ବଡ଼ ଝଟକା, ସ୍ୱାମୀ ପ୍ରସାଦଙ୍କ ପରେ ଇସ୍ତଫା ଦେଲେ ଆଉ ୩ ବିଜେପି ବିଧାୟକ

1 min read

ଲକ୍ଷ୍ନୌ: ଦେଶର ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ବିଧାନସଭା ନିର୍ବାଚନ ପାଇଁ ୫ଟି ରାଜ୍ୟର ରାଜନୀତି ଏବେ ସରଗରମ ହୋଇସାରିଛି । ତେବେ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ଶକ୍ତ ଝଟକା । ନିର୍ବାଚନ ପୂର୍ବରୁ ମଙ୍ଗଳବାର ବିଜେପି ଛାଡିଥିଲେ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ । ସ୍ୱାମୀ ପ୍ରସାଦଙ୍କ ପରେ ମଙ୍ଗଳବାର ବିଜେପିର ଆଉ ୩ ବିଧାୟକ ବିଜେପି ଛାଡିଛନ୍ତି । ଏହି ତିନି ବିଧାୟକ ହେଉଛନ୍ତି ତିଲହାର ବିଧାୟକ ରୋଶନ ଲାଲ ବର୍ମା, ବିଲହୈର ବିଧାୟକ ଭଗବତ ପ୍ରସାଦ ସାଗର ଏବଂ ତିନ୍ଦଓ୍ୱାରୀ ବିଧାୟକ ବ୍ରଜେଶ ପ୍ରଜାପତି ।

ମିଳିଥିବା ଖବର ଅନୁସାରେ ଏହି ତିନି ବିଧାୟକ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମର୍ଥନରେ ବିଜେପିରୁ ଇସ୍ତଫା ଦେଇଛନ୍ତି । ବିଜେପିରୁ ଇସ୍ତଫା ଦେଇ ସ୍ୱାମୀ ପ୍ରସାଦ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ସ୍ୱାମୀ ପ୍ରସାଦଙ୍କ ପରେ ରୋଶନ ଲାଲ ବର୍ମା, ଭଗବତ ପ୍ରସାଦ ସାଗର ଏବଂ ବ୍ରଜେଶ ପ୍ରଜାପତି ମଧ୍ୟ ସମାଜବାଦୀ ପାର୍ଟିରେ ଯୋଗ ଦେବେ । ବିଜେପି ଛାଡିବା ପରେ ରୋଶନ ଲାଲ କହିଥିଲେ କି, ଯୋଗୀ ସରକାର ୫ ବର୍ଷ ମଧ୍ୟରେ ସେ କରିଥିବା ଅଭିଯୋଗ ଉପରେ କୌଣସି ସମାଧାନ କରିନଥିଲେ ଯାହା ଫଳରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି ।

ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପିରୁ ଇସ୍ତଫା ଦେବା ପରେ ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟ୍ୱିଟ କରି କହିଛନ୍ତି କି ସ୍ୱାମୀ ପ୍ରସାଦ କ’ଣ ପାଇଁ ଇସ୍ତଫା ଦେଇଛନ୍ତି ତାହା ମୁଁ ଜାଣି ନାହିଁ । କିନ୍ତୁ ମୁଁ ତାଙ୍କୁ ଅନୁରୋଧ କରୁଛି କି ସେ ଆସି କଥା ହୁଅନ୍ତୁ । ଶୀଘ୍ର ଶୀଘ୍ରରେ ନେଇଥିବା ନିଷ୍ପତ୍ତି ପ୍ରାୟତଃ ଭୁଲ ସାବ୍ୟସ୍ତ ହୋଇଥାଏ ବୋଲି ଟ୍ୱିଟ କରି କହିଛନ୍ତି କେଶବ ପ୍ରସାଦ ମୌର୍ଯ୍ୟ ।

Leave a Reply