ଆପ ମାଧ୍ୟମରେ ଟଙ୍କା ଡବଲ ହେବା କହି ୨୫୦ କୋଟି ଟଙ୍କାର ଠକେଇ

1 min read

ନୂଆଦିଲ୍ଲୀ: ଏକ ବଡ ଠକେଇର ଖୁଲାସା କରିଛି ଉତ୍ତରାଖଣ୍ଡ ପୋଲିସ। ଉତ୍ତରାଖଣ୍ଡ ଏସଟିଏଫ ନୋଏଡାରୁ ଜଣେ ଅଭିଯୁକ୍ତକୁ ୨୫୦ କୋଟି ଟଙ୍କା ଠକେଇ ମାମଲାରେ ଗିରଫ କରିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଠକେଇ ମାତ୍ର ୪ ମାସ ମଧ୍ୟରେ ହୋଇଛି । ଚୀନ୍‌ର ଷ୍ଟାର୍ଟଅପ୍ ସ୍କିମ୍ ଅନ୍ତର୍ଗତ ଏକ ଆପ୍ ମାଧ୍ୟମରେ ଏହି ଠକେଇ କରାଯାଇଛି । ଦେଶର ପ୍ରାୟ ୫୦ ଲକ୍ଷ ଲୋକଙ୍କ ଦ୍ୱାରା ଏହି ଆପକୁ ଡାଉନଲୋଡ୍ କରି ଦିଆଯାଇଛି । ଏହି ଆପ୍ ମାଧ୍ୟମରେ, ଲୋକମାନଙ୍କୁ ୧୫ ଦିନ ମଧ୍ୟରେ ସେମାନଙ୍କର ଟଙ୍କା ଦୁଇଗୁଣ ହେବାର ଲୋଭ ଦିଆଯାଉଥିଲା ।

ଏହି ଠକେଇରେ ୧୫ ଦିନ ମଧ୍ୟରେ ଟଙ୍କା ଦୁଇଗୁଣ କରିବାକୁ ପ୍ରଥମେ ଲୋକଙ୍କୁ ‘ପାୱାର ବ୍ୟାଙ୍କ’ ଆପ୍ ଡାଉନଲୋଡ୍ କରିବାକୁ କୁହାଯାଇଥିଲା, ଏହାପରେ ଲୋକମାନଙ୍କୁ ୧୫ ଦିନରେ ଟଙ୍କା ଦୁଇଗୁଣ କରିବାକୁ ପ୍ରଲୋଭିତ କରାଯାଉଥିଲା। ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ହରିଦ୍ୱାର ବାସିନ୍ଦା ପୋଲିସକୁ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଏକ ପାୱାର ବ୍ୟାଙ୍କ’ ଆପରେ ଟଙ୍କାକୁ ଦୁଇଗୁଣ କରିବା ପାଇଁ ସେ ଯଥାକ୍ରମେ ୯୩ ହଜାର ୭୨ ହଜାର ଜମା କରିଛନ୍ତି ଯେଉଁଥିରେ ୧୫ ଦିନରେ ଟଙ୍କା ଦୁଇଗୁଣ ହେବାକୁ କୁହାଯାଇଥିଲା । କିନ୍ତୁ ଟଙ୍କା ଦ୍ୱିଗୁଣିତ ହୋଇ ନଥିଲା ।

ପୋଲିସ ଷ୍ଟେସନରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ସମସ୍ତ ଠକେଇ ହୋଇଥିବା ପାଣ୍ଠି ବିଭିନ୍ନ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି। ଯେତେବେଳେ ଆର୍ଥିକ କାରବାର ଅନୁଧ୍ୟାନ କରାଗଲା, ସେତେବେଳେ ୨୫୦ କୋଟି ଟଙ୍କା ଠକେଇ ହୋଇଥିବା ସାମ୍ନାକୁ ଆସିଥିଲା।

ଉତ୍ତରାଖଣ୍ଡା ଏସଟିଏଫର ଏସଏସପି ଅଜୟ ସିଂ କହିଛନ୍ତି ଯେ, ପୋଲିସ ଅନୁସନ୍ଧାନରେ ଏକ ବଡ କଥା ସାମ୍ନାକୁ ଆସିଛି ଯେ ଠକେଇ କରୁଥିବା ବିଦେଶୀ ନିବେଶକଙ୍କ ଦ୍ୱାରା ଭାରତର ବ୍ୟବସାୟୀମାନଙ୍କୁ ଅଂଶୀଦାରର ଲୋଭ ଦେଖାଇ ଏକ ଆପ୍ ମାଧ୍ୟମରେ ଲୋକଙ୍କୁ ଋଣ ଦେବା କଥା କୁହାଯାଉଥିଲା। ପରେ ଏହାକୁ ବଦଳାଇ ଲୋକଙ୍କୁ ଟଙ୍କା ଦ୍ୱିଗୁଣିତ କରିବାକୁ ପ୍ରଲୋଭିତ କରି ଟଙ୍କା ବିନିଯୋଗ କରାଯାଉଥିଲା। ସେହି ଟଙ୍କାକୁ ସମାନ ଆକାଉଣ୍ଟରେ ରଖି ଭାରତର ଲୋକଙ୍କ ଆକାଉଣ୍ଟରେ ପଠାଯାଉଥିଲା । ଆରମ୍ଭରେ, କିଛି ଲୋକଙ୍କ ଟଙ୍କା ମଧ୍ୟ ଫେରସ୍ତ କରାଯାଇଥିଲା ।

ଅଭିଯୁକ୍ତଙ୍କ ନିକଟରୁ ୧୯ ଟି ଲାପଟପ୍, ୫୯୨ ସିମ୍ କାର୍ଡ ଜବତ କରାଯାଇଛି: ଏସଏସପି

ଏସଏସପି ଅଜୟ ସିଂ କହିଛନ୍ତି ଯେ, ଅନୁସନ୍ଧାନ ପରେ ଉତ୍ତରାଖଣ୍ଡ ଏସଟିଏଫ ନୋଏଡାରୁ ଜଣେ ଅଭିଯୁକ୍ତ ପୱନ ପାଣ୍ଡେଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ୧୯ ଟି ଲାପଟପ୍, ୫୯୨ଟି ସିମ୍ କାର୍ଡ, ୫ ଟି ମୋବାଇଲ୍ ଫୋନ୍, ୪ ଟି ଏଟିଏମ୍ କାର୍ଡ ଏବଂ ଗୋଟିଏ ପାସପୋର୍ଟ ଜବତ କରିଛି। ଅନୁସନ୍ଧାନରେ STF ଜାଣିବାକୁ ପାଇଥିଲା ଯେ, ଏହି ଟଙ୍କାଗୁଡ଼ିକୁ କ୍ରିପ୍ଟୋ ମୁଦ୍ରାରେ ରୂପାନ୍ତର କରାଯାଇ ବିଦେଶ ପଠାଯାଉଛି । ସାମ୍ବାଦିକ ସମ୍ମିଳନୀରେ ଡେହରାଡୁନର ଏଡିଜି ଅଭିନବ କୁମାର କହିଛନ୍ତି ଯେ ଚୀନ୍‌ର ଷ୍ଟାର୍ଟ ଅପ୍ ଯୋଜନା ଅନୁଯାୟୀ ଏଭଳି ଆପ୍ ପ୍ରସ୍ତୁତ କରାଯାଇଛି। ଏହି ଘଟଣାରେ ଅନ୍ୟ ଅନୁସନ୍ଧାନକାରୀ ଏଜେନ୍ସିମାନଙ୍କୁ ଆଇବି ଏବଂ RA କୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ବିଦେଶୀ ଲୋକ, ଯାହାର ନାମ ଆସୁଛି, ସେମାନଙ୍କ ଦୂତାବାସ ସହିତ ଯୋଗାଯୋଗ କରି ସେମାନଙ୍କ ସୂଚନା ଖୋଜାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ ଉତ୍ତରାଖଣ୍ଡର ୨, ବାଙ୍ଗାଲୋରରେ ଗୋଟିଏ ମାମଲା ରୁଜୁ ହୋଇଛି।

Leave a Reply