୬ ମାସରୁ ୧୨ ବର୍ଷର ପିଲାଙ୍କ ଉପରେ ଟିକା ପରୀକ୍ଷଣ କରିବ ଫାଇଜର

ନୂଆଦିଲ୍ଲୀ:    ୬ମାସରୁ ୧୨ ବର୍ଷର ପିଲାଙ୍କ ଉପରେ ଟିକା ପରୀକ୍ଷଣ କରିବ ଫାଇଜର । ଆମେରିକା, କାନାଡ଼ା ସମେତ ବିଭିନ୍ନ ଦେଶରେ ୧୨ରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ କରୋନା ଟିକା ଦିଆଯାଉଛି । ଏବେ ଆମେରିକୀୟ ଫାର୍ମା କମ୍ପାନୀ ଫାଇଜର ୧୨ ବର୍ଷରୁ କମ୍ ପିଲାଙ୍କ ଉପରେ ଟିକା ପରୀକ୍ଷା କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି ।

ଏହି କ୍ଲିନିକାଲ ଟ୍ରାଏଲରେ ୬ମାସରୁ ୧୨ ବର୍ଷର ୪ହଜାର ୫ଶହ ପିଲା ସାମିଲ ହେବେ । ଆମେରିକା ସମେତ ପୋଲାଣ୍ଡ, ଫିନଲ୍ୟାଣ୍ଡ ଓ ସ୍ପେନରେ ଏହି ଟ୍ରାଏଲ କରାଯିବ । ପ୍ରଥମ ପର୍ଯ୍ୟାୟ ଟ୍ରାଏଲରେ ମାତ୍ର ୧୪୪ ଜଣ ପିଲାଙ୍କୁ ସାମିଲ କରାଯାଇଥିଲା । ଏହାର ଫଳାଫଳ ସକାରାତ୍ମକ ରହିଥିବାରୁ ଅଧିକ ପିଲାଙ୍କ ଉପରେ ଟିକା ପରୀକ୍ଷଣ କରିବାକୁ ଫାଇଜର ନିଷ୍ପତ୍ତି ନେଇଛି ।

 

୫ମାସରୁ ୫ବର୍ଷ ମଧ୍ୟରେ ପିଲାଙ୍କୁ ୩ ମାଇକ୍ରୋଗ୍ରାମର ଏକ ଡୋଜ୍ ଦିଆଯିବ । ସେହିପରି ୫ବର୍ଷରୁ ୧୧ବର୍ଷର ପିଲାଙ୍କୁ ୧୦ ମାଇକ୍ରୋଗ୍ରାମର ଡୋଜ୍ ଦିଆଯିବ । ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହି ପରୀକ୍ଷଣର ଫଳାଫଳ ଆସିବ । ଆମେରିକାର ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରଭେନସନ ଅନୁସାରେ ସେଠାରେ ପ୍ରାୟ ୭ ମିଲିୟନ ପିଲାଙ୍କୁ ଟିକା ଦିଆସରିଛି ।

ତେବେ ଭାରତରେ ୧୨ ବର୍ଷରୁ ଉର୍ଦ୍ଧ୍ୱ ପିଲାଙ୍କୁ କିଭଳି ଟିକାକରଣ କରାଯାିପାରିବ ତାହାକୁ ନେଇ  ଫାଇଜର ସହିତ ଭାରତର ଆଲୋଚନା ଜାରି ରହିଛି ।

Leave a Reply