ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରାଯିବା ଠିକ୍‌ ନିଷ୍ପତ୍ତି ବୋଲି କହିଲେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍‌

1 min read

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନର ପତନ ସହ ଆରମ୍ଭ ହୋଇଛି ତାଲିବାନର ଅନ୍ଧାରୀରାଜ୍। ଆଫଗାନିସ୍ତାନକୁ ତାଲିବାନ ଦଖଲକୁ ନେବା ପରେ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବିଡେନ। ସେ କହିଛନ୍ତି, ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବା ନିଷ୍ପତ୍ତିରେ ସେ ଅଟଳ ଅଛନ୍ତି। ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ନେଇ ସାରା ବିଶ୍ୱରୁ ସମାଲୋଚନାର ଶିକାର ହୋଇଥିବା ବିଡେନ କହିଛନ୍ତି, ୨୦ ବର୍ଷ ପରେ ଯୁଦ୍ଧବିଧ୍ୱସ୍ତ ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବା ନିଷ୍ପତ୍ତିରେ ସେ ଅଟଳ ଅଛନ୍ତି।

ପୂର୍ବ ରାଜିନାମା ଅନୁସାରେ ସୈନ୍ୟ ପ୍ରତ୍ୟାହାର କିମ୍ବା ତୃତୀୟ ଦଶନ୍ଧି ଲାଗି ସୈନ୍ୟ ପ୍ରେରଣ- ଏହି ଦୁଇଟି ମଧ୍ୟରୁ ସେ ଗୋଟିଏକୁ ବାଛିବା ଜରୁରୀ ଥିଲା। ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କରିଥିବା ରାଜିନାମା ଅନୁସାରେ ସେ ସୈନ୍ୟ ପ୍ରତ୍ୟାହାର କରିବାକୁ ଯଥାର୍ଥ ମନେ କରିଛନ୍ତି। ଏହି ରାଜିନାମା ଅନୁସାରେ ଆଫଗାନିସ୍ତାନରେ ଆମେରିକୀୟ ସୈନ୍ୟଙ୍କ ସୁରକ୍ଷା ଲାଗି କୌଣସି ଅସ୍ତ୍ରବିରତି କିମ୍ବା ରାଜିନାମା ହୋଇନଥିଲା। ଆମେରିକାର ସବୁଠାରୁ ଦୀର୍ଘ ଯୁଦ୍ଧ ପରିପ୍ରେକ୍ଷୀରେ ସେ ତାଙ୍କ ଦେଶ ଲାଗି ସୈନ୍ୟ ପ୍ରତ୍ୟାହାର ପରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ଆମେରିକୀୟଙ୍କ ସହ ସର୍ବଦା ରହି ଆସିଛନ୍ତି।

ଯାହା ଆଶା କରୁଥିଲା ତାହାଠାରୁ ବହୁ ପୂର୍ବରୁ ସତ୍ୟ ଉନ୍ମୋଚିତ ହୋଇଛି। ଦେଶରୁ ଆସୁଥିବା ଦୁର୍ଦ୍ଦଶାର ଚିତ୍ରକୁ ସେ ସ୍ୱୀକାର କରୁଛନ୍ତି ମାତ୍ର ସେ ଏହାକୁ ଏକ ବ୍ୟକ୍ତିଗତ ସ୍ତରକୁ ନେଇଛନ୍ତି। ସେ କହିଛନ୍ତି ୨୦ ବର୍ଷ ପରେ ସୈନ୍ୟ ପ୍ରତ୍ୟାହାର କରିବା ଲାଗି ଏକ ଉତ୍ତମ ସମୟ ଆସି ନଥିଲା। ଅଧିକ ବର୍ଷ ରହିଥିଲେ ବି ସେପରି କିଛି ବେଶ୍ ଫରକ ପଡି ନଥାନ୍ତା। ତାଲିବାନର ବିଜୟ ପ୍ରସଙ୍ଗରେ ସେ କହିଛନ୍ତି ଆଫଗାନିସ୍ତାନର ରାଜନୈତିକ ନେତାମାନ ହାତଛଡା କରିବା ସହ ଦେଶ ଛାଡି ପଳାୟନ କଲେ। ସାମରିକ ଶକ୍ତିର ପତନ ଘଟିଲା। ଏପରିକି ଅନେକ ସ୍ଥାନରେ ତାଲିବାନ ସହ ଯୁଦ୍ଧ ଲାଗି ଚେଷ୍ଟା ବି କରାଗଲା ନାହିଁ।

ଦୀର୍ଘ ୨୦ ବର୍ଷ ମଧ୍ୟରେ ଆମେରିକା ଟ୍ରିଲିୟନ ଡଲାର ଖର୍ଚ୍ଚ କରିଛି। ଆଫଗାନମାନଙ୍କୁ ଆମେରିକା ଅନେକ ସୁଯୋଗ ଦେଇଛି। ମାତ୍ର ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ଲଢେଇ ଲାଗି ଆମେ ସେମାନଙ୍କୁ ଇଚ୍ଛାଶକ୍ତି ଯୋଗାଇ ପାରିବୁ ନାହିଁ ବୋଲି ସେ କହିଛନ୍ତି। ତାଲିବାନ ବିରୋଧରେ ଲଢିବା ଲାଗି ଆଫଗାନ ସୈନ୍ୟ ଚାହିଁଲେ ନାହିଁ। ଏ କ୍ଷେତ୍ରରେ ସେମାନଙ୍କ ଲାଗି ଆମେରିକୀୟ ସୈନ୍ୟ କାହିଁକି ମରିବେ। ଏଥିଲାଗି ସେଠାରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ଯଥାର୍ଥ ଥିଲା।

ଏକ ଅନିଶ୍ଚିତ ଫଳାଫଳ ସମ୍ପନ୍ନ ଯୁଦ୍ଧରେ ଆମେରିକାର ପୁଅ ଝିଅମାନଙ୍କ ଆଉ କେତେ ପିଢି ଆଫଗାନମାନଙ୍କ ଲାଗି ବଳି ପଡିବେ ବୋଲି ପ୍ରଶ୍ନ କରିଛନ୍ତି ବିଡେନ। ଗୃହଯୁଦ୍ଧରୁ ରକ୍ଷା ଲାଗି ପୂର୍ବତନ ରାଷ୍ଟ୍ରପତି ଅସରଫ ଘନି ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି। ସେ ଗତ ଜୁଲାଇରେ ଘନିଙ୍କ ସହ ଫୋନରେ କଥା ହୋଇଥିଲେ। ସୈନ୍ୟ ପ୍ରତ୍ୟାହାର ପରେ ସମ୍ଭାବ୍ୟ ଗୃହଯୁଦ୍ଧ ଲାଗି ପ୍ରସ୍ତୁତ ରହିବାକୁ ସେ ତାଙ୍କୁ ପରାମର୍ଶ ଦେଇଥିଲେ। ଏଥିଲାଗି ଆଫଗାନ ରାଜନେତାମାନେ ହାତ ମିଳାଇବା ଆବଶ୍ୟକ ବୋଲି ସେ କହିଥିଲେ। ମାତ୍ର ତାଙ୍କ ପରାମର୍ଶ ବିଫଳ ହୋଇଥିଲା ବୋଲି ସେ କହିଛନ୍ତି।

Leave a Reply