ଆଫଗାନିସ୍ତାନ୍ ଦୂତାବାସର ଟ୍ୱିଟ୍, ଗନି ବାବା ସବୁ ସାରିଦେଲେ

1 min read

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର କ୍ଷମତାକୁ ପ୍ରତ୍ୟାବର୍ତ୍ତନ ସହିତ ଦେଶବାସୀଙ୍କ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ଅଶରଫ ଗନିଙ୍କ ପାଇଁ ମନରେ କେତେ ଘୃଣା ରହିଛି ତାହା ନୂଆଦିଲ୍ଲୀ ସ୍ଥିତ ଆଫଗାନିସ୍ତାନ ଦୂତାବାସର ଗୋଟିଏ ଟ୍ୱିଟରୁ ଜଣା ପଡୁଛି । ଯେଉଁ ଟ୍ୱିଟରେ ଦେଶର ଦୁର୍ଦ୍ଦଷା ପାଇଁ ଗନିଙ୍କୁ ଦାୟୀ କରାଯାଇଥିଲା । ଅବଶ୍ୟ ପରେ ଏହି ଟ୍ୱିଟକୁ ଡିଲିଟ୍ କରି ଦିଆଯାଇଛି ।

ଡିଲିଟ୍ ହୋଇଥିବା ଟ୍ୱିଟରେ ଲେଖାଯାଇଥିଲା ଯେ, ‘ଲଜ୍ଜାରେ ଆମେ ନତମସ୍ତକ । ଅଶରଫ ଗନି ନିଜ ଚାମଚା ମାନଙ୍କ ସହିତ ଦେଶରୁ ଫେରାର ହୋଇ ଯାଇଛନ୍ତି । ସେ ସବୁକିଛି ବରବାଦ କରି ଦେଇଛନ୍ତି । ଜଣେ ପଳାତକ ପାଇଁ ସମର୍ପିତ ଭାବେ କାମ କରିଥିବାରୁ ଆମେ କ୍ଷମାପ୍ରାର୍ଥୀ । ତାଙ୍କ ସରକାର ଆମ ଇତିହାସରେ ଏକ ଦାଗ ହୋଇ ରହିବ’’ ।


ତେବେ ଆଫଗାନିସ୍ତାନ ଦୂତାବାସ ପକ୍ଷରୁ ଏଭଳି କୌଣସି ଟ୍ୱିଟ୍ କରାଯାଇନଥିବା ଦାବି କରାଯାଇଛି । ଦୂତାବାସର ପ୍ରେସ ସଚିବ ଅବଦୁଲ୍ଲାହ ଆଜାଦ ଦୂତାବାସ ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ୍ ହୋଇଥିବା ଦାବି କରିଛନ୍ତି । ସେ କହିଛନ୍ତି ଯେ, ଏହି ଟ୍ୱିଟ୍ ବାବଦରେ ଖବର ପାଇବା ପରେ ମୁଁ ଲଗ୍ ଇନ୍ କରିବାକୁ ଚାହିଁ ମଧ୍ୟ କରି ପାରୁନାହିଁ । ଯାହାର ଅର୍ଥ ହେଉଛି ଟ୍ୱିଟର ହ୍ୟାଣ୍ଡେଲକୁ ହ୍ୟାକ୍ କରାଯାଇଛି ।

ଇଶ୍ୱର ତାଙ୍କୁ ଉତ୍ତରଦାୟୀ କରାନ୍ତୁ : ଅବଦୁଲ୍ଲା

ସୂଚନାଯୋଗ୍ୟ ଯେ, ଗନି ରବିବାର ଦିନ ଦେଶ ଛାଡି ଥିଲେ । ଗନିଙ୍କ ଦେଶ ଛାଡିବା ପରେ ରାଜଧାନୀ କାବୁଲରେ ଆତଙ୍କ ଖେଳିଯାଇଛି । ଲୋକ କୌଣସି ମତେ ଦେଶ ଛାଡି ଚାଲିଯିବାକୁ ଚାହୁଁଛନ୍ତି । ଏହି ସମୟରେ ଆଫାନ ରାଷ୍ଟ୍ରୀୟ ସନ୍ଧି ପରିଷଦର ପ୍ରମ୍ମୁଖ ଅବଦୁଲ୍ଲା ଅବଦୁଲ୍ଲା ଗୋଟିଏ ଅନଲାଇନ୍ ଭିଡିଓ ଜାରି କରି ଗନିଙ୍କୁ ଦେଶ ଛାଡି ଯାଇଥିବାରୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, କଠିନ ପରିସ୍ଥିତିରେ ଗନି ଆଫଗାନିସ୍ତାନ ଛାଡି ଦେଇଛନ୍ତି,ଇଶ୍ୱର ତାଙ୍କୁ ଉତ୍ତରଦାୟୀ କରାନ୍ତୁ ।

ରକ୍ତପାତ ରୋକିବାକୁ ଦେଶ ଛାଡିଲି :ଗନି
ଅନ୍ୟପକ୍ଷରେ ଗନିଙ୍କ କହିବା ହେଉଛି ଦେଶର ସମ୍ପତ୍ତି ଓ ନାଗରିକଙ୍କ ସୁରକ୍ଷା ପାଇଁ ସେ ଦେଶ ଛାଡିଛନ୍ତି । ତାଲିବାନ ଖଣ୍ଡା ବଳରେ ଦେଶ ଜିତିଛି । ଏହା କେବେ ମଧ୍ୟ ନାଗରିକଙ୍କ ହୃଦୟ ଜିତି ପାରିବ ନାହିଁ ।

Leave a Reply