ଦୋଳ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼, ମନ୍ଦିରକୁ ଧସେଇ ପଶିଲେ ଶତାଧିକ ଶ୍ରଦ୍ଧାଳୁ

ପୁରୀ: ଆଜି ଦୋଳ ଉତ୍ସବ ଓ ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହୋଇଛି । ଭିଡ଼ ଏତେ ହୋଇଥିଲା ଯେ ଭକ୍ତମାନେ ଶ୍ରୀମନ୍ଦିର ମଧ୍ୟକୁ ଧସେଇ ପଶିଥିଲେ । ସିଂହଦ୍ୱାର ସମ୍ମୁଖ ବାରିକେଡ ଭାଙ୍ଗି ଧସେଇ ପଶିଲେ ଶ୍ରଦ୍ଧାଳୁ । ପ୍ରବଳ ଖରା ଓ ଭକ୍ତଙ୍କ ଭିଡ ଥିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଲମ୍ବା ଧାଡ଼ି ଲାଗି ରହିଥିବାରୁ ଧୌର୍ଯ୍ୟ ହରାଇଲେ ଭକ୍ତ । ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ ପାଇଁ ଭକ୍ତ ବଡ଼ଦେଉଳକୁ ଧସେଇ ପଶିଥିବା ଦେଖିବାକୁ ମିଲିଛି ।

ସୂଚନା ଅନୁସାରେ ଦୋଳ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ଆଜି ଶ୍ରୀଜିଉଙ୍କ ସୁନାବେଶ ମଧ୍ୟ ଅନୁଷ୍ଠିତ ହେବ । ଦୋଳ ପୂର୍ଣ୍ଣିମା ଅବସରରେ ଦୋଳବେଦୀକୁ ବିଜେ ହେବେ ଦୋଳଗୋବିନ୍ଦ । ତେବେ ଆଜି ଭକ୍ତ ଶ୍ରୀମନ୍ଦିରକୁ ଧସେଇ ପଶିବା ପରେ ପୁରୀ ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥିସହ ଶ୍ରୀମନ୍ଦିର ମଧ୍ୟରେ ନୀତିକାନ୍ତି ଓ ଭକ୍ତଙ୍କ ଭିଡ଼ କିଭଳି ରହିଛି ସେନେଇ ମଧ୍ୟ ଅନୁଧ୍ୟାନ କରୁଛନ୍ତି ଜିଲ୍ଲାପାଳ ।