କାବୁଲ ବିମାନ ବନ୍ଦର ଉପରେ ଆମେରିକା କବଜା, ଗୁଳିମାଡରେ ୫ ନିହତ

1 min read

କାବୁଲ: ତାଲିବାନ ଦ୍ୱାରା ଆଫଗାନିସ୍ତାନ ସରକାରକୁ କ୍ଷମତାଚ୍ୟୁତ କରିବା ପରେ ଏଭଳି ଚିତ୍ର ଆସୁଛି ଯାହା ଅବିଶ୍ୱସନୀୟ । କାବୁଲ ବିମାନବନ୍ଦର ଏବେ କୌଣସି ବସଷ୍ଟାଣ୍ଡ୍ ଭଳି ଲାଗୁଛି । ବସଷ୍ଟାଣ୍ଡରେ ଯେମିତି ବସରେ ଚଢିବାକୁ ଲୋକଙ୍କ ମଧ୍ୟରେ ଠେଲାପେଲା ହୁଏ କାବୁଲ ବିମାନ ବନ୍ଦରରେ ସେହି ଭଳି ହେଉଛି । ତାଲିବାନ ଭୟରେ ତ୍ରସ୍ତ ସାଧାରଣ ନାଗରିକ କୌଣସି ମତେ ନିଜ ଦେଶ ଛାଡିବାକୁ ବିମାନ ବନ୍ଦରରେ ଗହଳି କରିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୋଟିଏ ଭିଡିଓରେ ଲୋକଙ୍କୁ ବିମାନ ଭିତରକୁ ଯିବାକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି ।
କୁହାଯାଉଛି ଯେ, ଲୋକ ବିନା ଟିକେଟରେ ବିମାନରେ ଚଢିବାକୁ ଉଦ୍ୟମ କରୁଛନ୍ତି । ଅନେକ ଖାଲି ହାତରେ କୌଣସି ମତେ ଦେଶ ଛାଡିଯିବାକୁ ଉଦ୍ୟମ କରୁଛନ୍ତି । କାବୁଲ ବିମାନ ବନ୍ଦରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆମେରିକା ବିମାନ ବନ୍ଦରକୁ ନିଜ ନିୟନ୍ତ୍ରଣକୁ ନେଇଛି ।

ଆମେରିକା ସେନା ନିୟନ୍ତ୍ରଣରେ ATC

ଏହା ମଧ୍ୟରେ ଆମେରିକା ସେନା ବିମାନବନ୍ଦରର ଏଟିସି ବା ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ନିଜ ନିୟନ୍ତ୍ରଣକୁ ନେଇଥିବା ଜଣା ପଡିଛି । ୫ ହଜାର ଆମେରିକୀୟ ସୈନିକ ବିମାନ ବନ୍ଦରରେ ମୁତ୍ତୟନ ଅଛନ୍ତି । ବିମାନ ବନ୍ଦରରେ ଲାଗିଥିବା ଭିଡକୁ ଘଉଡାଇବା ପାଇଁ ଆମେରିକୀୟ ସୈନିକ ଫାଙ୍କା ଗୁଳିଚାଳନା କରିଛନ୍ତି ।

ବିମାନ ବନ୍ଦର ବାହାରେ ତାଲିବାନ ସହ ସଂଘର୍ଷ

ଅନ୍ୟ ଏକ ଖବର ଅନୁସାରେ ବିମାନ ବନ୍ଦର ଆଡକୁ ଯାଉଥିବା କିଛି ମହିଳା ଓ ଯୁବତୀ ମୁଣ୍ଡରେ ହିଜାବ ପିନ୍ଧିନଥିବାରୁ ତାଲିବାନ ସେମାନଙ୍କୁ ଗୁଳି କରି ହତ୍ୟା କରିଥିବା କୁହାଯାଉଛି । ତାଲିବାନର ଗୁଳି ମାଡରେ ବିମାନ ବନ୍ଦର ବାହାର ଥିବା ଲୋକ ନିହତ ହୋଇଛନ୍ତି । ବାହାରେ କିଛି ମୃତ ଦେହ ପଡିଥିବାର ଭିଡିଓ ଭାଇରାଲ ହେଉଛି । ଆମେରିକୀୟ ସୈନିକ ତାଲିବାନ ଆତଙ୍କବାଦୀଙ୍କୁ ଘଉଡାଇବା ପାଇଁ କରିଥିବା ଆକ୍ରମଣରେ କିଛି ପ୍ରାଣ ହରାଇଛନ୍ତି ବୋଲି ମଧ୍ୟ କୁହାଯାଉଛି ।

Leave a Reply