ମହଙ୍ଗା ପଡ଼ିଲା ଚୋରି, ନିସ୍ତୁକ ମାଡ଼ ମାରି ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକ

ଜଳେଶ୍ୱର: ଚୋରି କରିବା ପଡିଲା ମହଙ୍ଗା । ନିସ୍ତୁକ ମାଡ଼ ମାରିବା ସହ ପୋଲିସରେ ଜିମା ଦେଲେ ଲୋକେ ।  ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ତାରିଣୀ ଛକ ନିକଟରେ ଘଟିଛି ଏଭଳି ଘଟଣା । ବିଳମ୍ବିତ ରାତିରେ ରାଜା ନାମକ ଜଣେ ବ୍ୟକ୍ତି ଅସ୍ଥି ପଞ୍ଚାୟତ ସ୍କୁଲରୁ ଚୋରି କରି କିଛି ସାମଗ୍ରୀ ନେଇଯାଉଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକମାନେ ସନ୍ଦେହରେ ଯୁବକକୁ ଅଟକ ରଖିବା ସହିତ ଯୁବକକୁ ପଚାରା ଉଚରା କରିଥିଲେ । ସ୍କୁଲରୁ ଚୋରି କରିଥିବା କଥା ମାନିବା ପରେ ଉକ୍ତ ଯୁବକଙ୍କୁ ରଶିରେ ବାନ୍ଧି ନିର୍ଦ୍ଧୁମ ଛେଚିଥିଲେ ସ୍ଥାନୀୟ ଲୋକ । ଉକ୍ତ ଯୁବକଙ୍କୁ ମାଡ଼ ମାରିବା ସହିତ ବାଲିଆପାଳ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ଚୋରକୁ ଉଦ୍ଧାର କରି ଥାନାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ।