କୋଣାର୍କରେ ଓଡ଼ିଶା ଟ୍ରାଭେଲ ବାଜାରର ପଞ୍ଚମ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କୋଣାର୍କ: କୋଣାର୍କ ଇକୋ ରିଟ୍ରିଟରେ ଓଡିଶା ଟ୍ରାଭେଲ ବାଜାରର ପଞ୍ଚମ ସଂସ୍କରଣର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିଛନ୍ତି  । ଏଥିରେ ୧୮ଟି ରାଜ୍ୟରୁ ୭୦ରୁ ଅଧିକ ଘରୋଇ ଟୁର ଅପରେଟର ଅଂଶଗ୍ରହଣ କରିବା ସହିତ ନିଜ ନିଜର ପର୍ଯ୍ୟଟନ ଉତ୍ପାଦ ଗୁଡିକୁ ପ୍ରଦର୍ଶିତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ନିକଟ ଅତୀତରେ ଓଡିଶା ଅନେକ ଉତ୍କୃଷ୍ଟ ପର୍ଯ୍ୟଟନ ଅନୁଭୂତି ସୃଷ୍ଟି କରିବା ପାଇଁ ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଆନ୍ତର୍ଜାତୀୟ ମାନକ ସମକକ୍ଷ ପ୍ରମୁଖ ପର୍ଯ୍ୟଟନ ଉତ୍ପାଦଗୁଡିକ ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଓଡିଶା କେବଳ ଭ୍ରମଣ ଓ ଆତିଥେୟତା ବ୍ୟବସାୟର ଉତ୍କୃଷ୍ଟତମ ବ୍ରାଣ୍ଡଗୁଡିକୁ ଆକର୍ଷିତ କରିବାକୁ ସକ୍ଷମ ହେବ ଏବଂ ଭ୍ରମଣ ଭିତ୍ତିକ ସ୍ୱତନ୍ତ୍ର ଅଭିଜ୍ଞତା ପର୍ଯ୍ୟଟକ ମାନଙ୍କୁ ପ୍ରଦାନ କରିବ ।”
ଏଥିସହ ପର୍ଯ୍ୟଟନ କ୍ଷେତ୍ରର ହିତାଧିକାରୀମାନଙ୍କୁ ସ୍ୱାଗତ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ଟୁର ପେରେଟର ମାନଙ୍କ ସକ୍ରିୟ ଯୋଗଦାନକୁ ପ୍ରଶଂସା କରିଥିଲେ । ଏହି ଅବସରରେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ରାଜ୍ୟର ପ୍ରଚାର ପ୍ରସାର ପାଇଁ ଓଡିଶା ଟୁରିଜିମର ପଦକ୍ଷେପଗୁଡିକ ଉପରେ ଏକ ଉପସ୍ଥାପନା କରିଥିଲେ । ସେ କହିଛନ୍ତି, “ରାଜ୍ୟକୁ ନୂତନ ପିଢିର ଭ୍ରମଣକାରୀମାନଙ୍କୁ ଆକର୍ଷିତ କରିବା ପାଇଁ ଓଡିଶା ଇକୋ ରିଟ୍ରିଟ୍, ବୋଟ୍ କ୍ଲବ୍, ୟାଚ୍, କାରାଭାନ, କ୍ୟାମ୍ପିଙ୍ଗ ଭଳି ନୂତନ ଓ ଅଭିନବ ଉତ୍ପାଦଗୁଡିକ ଉପରେ ଧ୍ୟାନ ଦେଉଛି । ଇକୋ ଟୁର୍ ନେଚର କ୍ୟାମ୍ପଗୁଡିକୁ ବନ ବିଭାଗ ଦ୍ୱାରା ସ୍ଥାନୀୟ ସମୁଦାୟଗୁଡିକର ଅଂଶଗ୍ରହଣ ମାଧ୍ୟମରେ ପରିଚାଳନା କରାଯାଉଛି ଯାହା ସ୍ଥାୟୀ ଓ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ଉପରେ ରାଜ୍ୟର ଏକ ବ୍ୟବସ୍ଥା ଅଟେ ।