ଦଳଗତ ପ୍ରଦର୍ଶନ କରି ରଣଜୀ ସେମିଫାଇନାଲରେ ପହଞ୍ଚିପାରିଲେ, ଚୟନକର୍ତ୍ତାଙ୍କ ନଜରକୁ ଆସିପାରିବୁ : ବିପ୍ଲବ

1 min read

ଭୁବନେଶ୍ୱର : ବିପ୍ଳବ ସାମନ୍ତରାୟ । ବର୍ତ୍ତମାନ ଓଡ଼ିଶା କ୍ରିକେଟ ଉଜ୍ଜଳତମ ପ୍ରତିଭା । ପଡ଼ିଆ ମଧ୍ୟରେ ବ୍ୟାଟିଂରେ ଉଲ୍ଲେଖନୀୟ ପ୍ରଦର୍ଶନ ତାଙ୍କୁ ଦେଇଥିଲା ପରିଚୟ । କିଛିବର୍ଷ ପୂର୍ବେ ତାଙ୍କୁ ମନୋନୟନ କରାଯାଇଥିଲା ଇଣ୍ଡିଆନ ପ୍ରିମିୟର ଲିଗକୁ । ସନରାଇଜର୍ସ ହାଇଦ୍ରାବଦ ଟିମର ସେ ଥିଲେ ସଦସ୍ୟ ।  ବ୍ୟକ୍ତିଗତ ପ୍ରଦର୍ଶନ ସହ ଘରୋଇ କ୍ରିକେଟରେ ଅଧିନାୟକ ଭାବେ ମଧ୍ୟ ଦାୟିତ୍ୱ ତୁଳାଇ ସାରିଛନ୍ତି । କୋଭିଡ଼ ପରବର୍ତ୍ତୀ କ୍ରିକେଟର ରୂପରେଖ, ଜାତୀୟ କ୍ରିକେଟ ମାନଚିତ୍ରରେ ଓଡ଼ିଶାର ସ୍ଥିତିକୁ ନେଇ ତାଙ୍କ ସହିତ ହୋଇଥିବା ଆଲୋଚନା କିଛି ଅଂଶ ଆମେ ଏଠାରେ ଉପସ୍ଥାପନ କରୁଛୁ

. କରୋନା ପରବର୍ତ୍ତୀ କ୍ରିକେଟକୁ ଆପଣ କେମିତି ଦେଖୁଛନ୍ତି ?

ଉତ୍ତର- ଯେତେବେଳେ କରୋନାର ପ୍ରକୋପ ଆରମ୍ଭ ହେଲା, ପ୍ରାଥମିକ ଭାବେ ବହୁତ ଜାତୀୟ, ଅର୍ନ୍ତଜାତୀୟ ପ୍ରତିଯୋଗିତା ବନ୍ଦ କରିଦିଆଗଲା । ଏପରିକି ଟି-ଟ୍ୱେଣ୍ଟିଂ ବିଶ୍ୱକପ ମଧ୍ୟ ଚଳିତ ବର୍ଷ ଅନୁଷ୍ଠିତ ହୋଇ ପାରିଲା ନାହିଁ । ହେଲେ ଧୀରେ ଧୀରେ ସେପ୍ଟି ପ୍ରୋଟୋକଲରେ କ୍ରିକେଟ ଆରମ୍ଭ ହେଲା । ୱେଷ୍ଟଇଣ୍ଡିଜ-ଇଂଲଣ୍ଡ ସିରିଜ ହିଁ ସାରା ବିଶ୍ୱକୁ କରୋନା ପରବର୍ତ୍ତୀ କ୍ରିକେଟ ପାଇଁ ରାହା ଦେଖାଇଲା ।

୨. କିଛି ଘଟଣା ଯାହା କରୋନା ଆପଣଙ୍କଠାରୁ ଛଡ଼ାଇ ନେଇଛି ବୋଲି ମନେ କରୁଛନ୍ତି ?

ଉତ୍ତର- ହୁଏତ ଏହି ବର୍ଷ ଟି-ଟ୍ୱେଣ୍ଟିଂ ୱାଲ୍ଡ କପ ହୋଇଥିଲେ ଶେଷଥର ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ କ୍ରିକେଟ ଦଳର ଜର୍ସିରେ ଦେଖିବାକୁ ମିଳିଥାନ୍ତା । ମାତ୍ର ତାହା ହୋଇ ପାରିଲା ନାହିଁ । ଯାହା ବି ହେଇ ବିସିସିଆଇ ସମସ୍ତ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଆଇପିଏଲକୁ ଆୟୋଜନ କଲା । ଏଥିପାଇଁ ୟୁଏଇ ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦେବା କଥା ।

 

.କୋଭିଡ କଟକଣା ଯୋଗୁ ବହୁ ଘରୋଇ କ୍ରିକେଟ ପ୍ରତିଯୋଗିତା ବାଧାପ୍ରାପ୍ତ ହୋଇଛି । ଏହାର କି ପ୍ରଭାବ ପଡ଼ିବ ବୋଲି ଆପଣ ଭାବୁଛନ୍ତି?

ଉତ୍ତର- କୋଭିଡ ଯୋଗୁ କେବଳ ଭାରତ ନୁହେଁ, ସାରା ବିଶ୍ୱର ଘରୋଇ କ୍ରିକେଟ ଦୀର୍ଘ ସମୟ ପାଇଁ ବାଧାପ୍ରାପ୍ତ ହେଲା । ଗୋଟିଏ ସିଜିନ୍ ଏକ ପ୍ରକାର ନଷ୍ଟ ହୋଇଗଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।  କେତେକ ଖେଳାଳି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଘରୋଇ କ୍ରିକେଟ ଖେଳିଥାଆନ୍ତି । ଘରୋଇ କ୍ରିକେଟରେ ସେମାନଙ୍କ ପ୍ରଦର୍ଶନ ହିଁ ତାଙ୍କୁ ଆଗକୁ ନେଇଥାଏ । ଆଇପିଏଲରେ ସବୁ ଘରୋଇ ଖେଳାଳିଙ୍କୁ ସୁଯୋଗ ମିଳି ନ ଥାଏ । ତେଣୁ କରୋନା ବହୁତ ପ୍ରଭାବ ପକାଇଛି ।

୪. ଆଗାମୀ ଦିନରେ ଘରୋଇ କ୍ରିକେଟର ରୂପରେଖ କିପରି ଦେଖୁଛନ୍ତି?

ଉତ୍ତର-ବିସିସିଆଇ ସଫଳତାର ସହ ଆଇପିଏଲ ଆରମ୍ଭ କରିପାରିଛି । ହୁଏତ ଏହା ଦେଶ ବାହାରେ ହୋଇଛି କିନ୍ତୁ ଆଗାମୀ ଦିନରେ ସଫଳତାର ସହ ଆମ ଦେଶରେ କ୍ରିକେଟ ଆୟୋଜନ ହୋଇ ପାରିବ । ବିସିସିଆଇ ପାଖରେ ସଫଳତାର ସହ ଏହି କ୍ରୀଡାକୁ ଆୟୋଜନ କରିବା ପାଇଁ ଦକ୍ଷତା ରହିଛି । ତେଣୁ ଆମେ ସମସ୍ତେ ସକରାତ୍ମକ ମନୋଭାବ ରଖିବା ଉଚିତ । ସବୁ ଫର୍ମାଟରେ ଘରୋଇ କ୍ରିକେଟ ସମ୍ଭବ ହୁଏତ ନ ହୋଇ ପାରେ । ହେଲେ ରଣଜୀ ଟ୍ରଫି ଭଳି ବହୁ ପ୍ରତୀକ୍ଷିତ ଫର୍ମାଟ ହେଲେ ଖେଳାଳି ଉପକୃତ ହେବେ ।

 

୫. କୋଭିଡ କାରଣରୁ ଓଡ଼ିଶା କ୍ରିକେଟ କେତେ ପ୍ରଭାବିତ ହୋଇଛି?

ଉତ୍ତର-କୋଭିଡ଼ କାରଣରୁ କେବଳ ଓଡ଼ିଶା ନୁହେଁ, ସମସ୍ତ ଟିମ୍ ପ୍ରଭାବିତ ହୋଇଛନ୍ତି । ଦଳଗତ ଅଭ୍ୟାସ ଜମା ସମ୍ଭବ ହୋଇନାହିଁ । ହାତଗଣତି କେତୋଟି ଉଦାହରଣକୁ ବାଦ୍ ଦେଲେ ଅଧିକାଂଶ ରାଜ୍ୟରେ କ୍ରିକେଟ ଅଭ୍ୟାସ ଆରମ୍ଭ ହୋଇନାହିଁ । ତେଣୁ ଏହି ସମୟରେ ଖେଳାଳି ମାନେ ନିଜର ଖାଦ୍ୟପେୟ ଏବଂ ଫିଟନେସ ଇତ୍ୟାଦି ଉପରେ ଧ୍ୟାନ ଦେଇଥିବେ । କାରଣ ଯଦି ଆଗକୁ କ୍ରିକେଟ ପାଇଁ ଗ୍ରୀନ ସିଗନାଲ ମିଳିଯାଏ । ତେବେ ସେ ସମୟରେ କ୍ରିକେଟରେ ଦକ୍ଷତା ଏବଂ ମାନସିକତା ହିଁ ଉତ୍ତମ ପ୍ରଦର୍ଶନରେ ସହାୟକ ହେବ । ପୂର୍ବରୁ ଅଭ୍ୟାସ ବାଧାପ୍ରାପ୍ତ ହୋଇଥିବାରୁ ବ୍ୟକ୍ତିଗତସ୍ତରରେ ପୂର୍ବାପେକ୍ଷା ଉନ୍ନତତର ପ୍ରଦର୍ଶନ କରିବା ଏକ ଚ୍ୟାଲେଞ୍ଜ ହେବ ।

.ଆଇପିଏଲ ୨୦୦୮ରୁ ଆରମ୍ଭ ହୋଇ ୨୦୨୦ରେ ପହଞ୍ଚିସାରିଲାଣି । ହେଲେ ଓଡ଼ିଆ ଖେଳାଳିଙ୍କ ପ୍ରତିନିଧିତ୍ୱ ଆଶାଜନକ ନୁହେଁ, ଏ ନେଇ ଆପଣ କ’ଣ ମତ ରଖିବେ?

ଉତ୍ତର- ପ୍ରକୃତ ଏହା ବହୁତ ଦୁଃଖ ଲାଗେ । ଆଇପିଏଲର ଅଧିକାଂଶ ଦକ୍ଷ ଖେଳାଳି ପ୍ରଦର୍ଶନ କରନ୍ତି । କିନ୍ତୁ ଏମିତି କେତେକ ଖେଳାଳି ଅଛନ୍ତି, ସେମାନଙ୍କ ପ୍ରଦର୍ଶନ ଏତେଟା ଭଲ ନୁହେଁ । ସେହି ତୁଳନାରେ ଓଡ଼ିଶାରେ ଅନେକ ପ୍ରତିଭାବାନ ଖେଳାଳି ରହିଛନ୍ତି । ସବୁ ଫର୍ମାଟରେ ଭଲ ପ୍ରଦର୍ଶନ କରିଥିଲେ ବି ଏକାଧିକ ପ୍ରତିଭା ଓଡ଼ିଶାରୁ ଆଇପିଏଲ ଖେଳିପାରୁନାହାନ୍ତି ।

 

୭. ଓଡ଼ିଶା କ୍ରିକେଟର ଉନ୍ନତି ପାଇଁ ବିଗତ ଦଶନ୍ଧିରେ ବହୁତ ପଦକ୍ଷେପ ନିଆଯାଇଛି । ବିଦେଶୀ କୋଚ, ଉନ୍ନତମାନର ଟ୍ରେନିଂ ଇତ୍ୟାଦି, ଏତେ ସବୁ ପରେ ବି ଆମେ ଆଶାନୁରୂପ ସଫଳ ହୋଇନେ କାହିଁକି?

ଉତ୍ତର- ପରୀକ୍ଷଣ ସେତେବେଳେ ସଫଳ ବୋଲି ଆମେ କହିପାରିବା, ଯେତେବେଳ ସେ ଅନୁଯାୟୀ ଫଳାଫଳ ପାଇବା । ସେହି ଦୃଷ୍ଟିରେ ଦେଖିଲେ ବିଗତ ୪ ବର୍ଷରେ ଆମେ ଦୁଇଥର ରଣଜୀ ଟ୍ରଫି କ୍ରିକେଟର କ୍ୱାଟର ଫାଇନାଲରେ ଖେଳିଛୁ । ହେଲେ କ୍ୱାଟର ଫାଇନାଲଠୁ ଆଗକୁ ଯାଇ ପାରୁ ନାହୁଁ । ତେଣୁ ଦଳଗତ ଭାବେ ଆମେ ସେମି ଫାଇନାଲ କିମ୍ବା ଫାଇନାଲ ଖେଳିପାରୁନାହୁଁ । ୫ ବର୍ଷ ତଳେ ବିଜୟ ହଜାରେ ଟ୍ରଫିର ମୋ ଅଧିନାୟକତ୍ୱରେ ଆମେ ସେମିଫାଇନାଲ ଯାଇଥିଲୁ । ଅନୁରୂପଭାବେ ସୟଦମୁସ୍ତାକ ଅଲ୍ଲୀ ଟ୍ରଫିରେ ୨ ଥର ସେମି ଫାଇନାଲରେ ହାରିଯାଇଛୁ । ଫାଇନାଲ ଯାଇପାରୁନୁ, ତେଣୁ ଫାଇନାଲ ଯାଇ ପାରିଲେ ସିଲେକ୍ଟରଙ୍କ ଧ୍ୟାନ ଆକର୍ଷଣ କରିପାରିବୁ । କାରଣ ନିଜସ୍ୱ ପ୍ରଦର୍ଶନ ଦ୍ୱାରା ସହ ଦଳର ପ୍ରଦର୍ଶନ ହିଁ ଚୟନର ମାପକାଠି ହୋଇଥାଏ । ବିଶେଷ କରି ବଡ଼ ଟୁର୍ନାମେଣ୍ଟରେ ନକଆଉଟ ପର୍ଯ୍ୟାୟରେ ସଫଳତା ହିଁ ରାଜ୍ୟ କ୍ରିକେଟ ପାଇଁ ନୂଆ ମୋଡ଼ ଆଣିବ ।

୮. ଆଇପିଏଲକୁ ନେଇ କେଉଁ ଅନୁଭୂତି ଆପଣଙ୍କ ସ୍ମୃତିରେ ବାରମ୍ବାର ଆସିଥାଏ ?

ଉତ୍ତର- ବିଶେଷ କରି 2013ରେ ଆମେ 3 ନମ୍ବରରେ ରହିଥିଲୁ। ୧୨୦,୧୩୦ ଏବଂ ୧୪୦ ରନ କରି ଆମେ ପ୍ରତିପକ୍ଷକୁ ରୋକି ପାରିଥିଲୁ । ଏହା ଆମର ଦଳଗତ ପ୍ରଦର୍ଶନର ସଫଳ  । ସେହି ବର୍ଷ ଆମେ ଚମ୍ପିୟାନ ଲିଗ୍ସକୁ ମଧ୍ୟ କ୍ୱାଲିଫାଏ କରିଥିଲୁ । ନେଟ୍ସରେ ସାଙ୍ଗକରାଙ୍କ ସହ ବ୍ୟାଟିଂ କରିବା ସହ ତାଙ୍କ ଟିପ୍ସ ଗ୍ରହଣ କରିବା ବହୁତ ଭଲ ଲାଗେ । ଡେଲ ଷ୍ଟେଇନଙ୍କୁ ନେଟ୍ସରେ ଖେଳିବାର ଅନୁଭୂତି ନିଆରା । ଡାରେନ ସାମି ଟିମର ସବୁଠୁ ଏଣ୍ଟରଟେନିଂ ପ୍ଲେୟାର ଥିଲେ । ଏହାକୁ ବାଦ୍ ଦେଇ କ୍ରିଷ୍ଣାମାଚରୀ ଶ୍ରୀକାନ୍ତ, ଭିଭିଏସ ଲକ୍ଷ୍ମଣ ସହ ସମୟ ବିତାଇବା ମୂହୁର୍ତ୍ତ ମନେ ରହିବ ।

 

୯. ବର୍ତ୍ତମାନ ଫଟାଫଟ କ୍ରିକେଟର ଜମାନା । ଓଡ଼ିଶାରେ ଥରେ ଓଡ଼ିଶା ପ୍ରିମିୟର ଲିଗ ଆରମ୍ଭ ହୋଇ ବନ୍ଦ ହୋଇଗଲା । ବର୍ତ୍ତମାନ ସେହିପରି ଏକ ଟୁର୍ଣ୍ଣାମେଣ୍ଟର ଆବଶ୍ୟକତା ରହିଥିବା ଅନୁଭବ କରୁଛନ୍ତି କି ?

ଉତ୍ତର- ନିଶ୍ଟିତ ଭାବେ ରହିଛି । ଏହି ପ୍ରତିଯୋଗିତାର ପ୍ରସାରଣ ଉପରେ ମଧ୍ୟ ଦୃଷ୍ଟି ଦେବାର ରହିଛି । ଚଳିତ ବର୍ଷ ମଧ୍ୟ ଓସିଏ ପକ୍ଷରୁ ଏଭଳି ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବା ପାଇଁ ଯୋଜନା ଥିଲା । ହେଲେ କୋଭିଡ ହିଁ ବାଧକ ହେଲା । ଏହା ହୋଇ ପାରିଲେ ଓଡ଼ିଶାର କୋଣ ଅନୁକୋଣରେ ଥିବା ପ୍ରତିଭାଙ୍କୁ ନିଜ ଦକ୍ଷତା ପ୍ରଦର୍ଶନ କରିବାକୁ ସୁଯୋଗ ମିଳିବ ।

୧୦. ଚଳିତ ଆଇପିଏଲରେ କେଉଁ ଦଳ ଚମ୍ପିୟାନ ହେବ ବୋଲି ଭାବୁଛନ୍ତି  । କିଏ ଏହି ଟୁର୍ନାମେଣ୍ଟରୁ ସଫଳ କ୍ରିକେଟର ହୋଇ ବାହାରିବେ ବୋଲି ମନେ କରୁଛନ୍ତି?

ଉତ୍ତର-ଚଳିତ ଆଇପିଏଲରେ ଆହୁରି ମ୍ୟାଚ ବାକି ଅଛି । ଏବେଠୁ କିଏ କ୍ୱାଲିଫାୟାରକୁ ଯିବ, କିଏ ଫାଇନାଲିଷ୍ଟ ହେବ, ତାହା କହିବା ମୁସ୍କିଲ । କେଉଁ ଦଳ ଚମ୍ପିୟାନ ହେବ, ତାହା କହିବା କଷ୍ଟକର ।  ଆରମ୍ଭରୁ ଯଦି ଆମ୍ଭେ ପ୍ରଦର୍ଶନକୁ ବିଚାର କରିବା ତେବେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବର ମୟଙ୍କ ଅଗ୍ରୱାଲଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

Leave a Reply