ତାଲିବାନର ଆଟାକ୍‌ ପରେ ଆଫଗାନୀଙ୍କ କାଉଣ୍ଟର ଆଟାକ୍, ତାଲିବାନୀଙ୍କୁ ହତ୍ୟା କରି ୩ଜିଲ୍ଲା ଅକ୍ତିଆର କଲେ ପ୍ରତିରୋଧୀ ଗୋଷ୍ଠୀ

1 min read

କାବୁଲ: ତାଲିବାନକୁ ଶକ୍ତଧକ୍କା । ତାଲିବାନୀଙ୍କ ବିରୋଧରେ ବଢୁଛି ବିଦ୍ରୋହର ସ୍ବର । ଅନ୍ଧାରୀ ଶାସନକୁ ବିରୋଧ କରି ସଇତାନ ବିରୋଧରେ ଦମନଲୀଳା ଆରମ୍ଭ କରିଛନ୍ତି ଆଫଗାନ ଜନତା । ୬୦ରୁ ଊର୍ଦ୍ଧ୍ବ ତାଲିବାନୀଙ୍କୁ ହତ୍ୟା କରାଯାଇଥିବା ଆସିଛି ଖବର । ୩ ଜିଲ୍ଲା ପୋଲ-ଏ-ହେସର, ଦେହ ସଲାହ ଓ ବାନୁକୁ ନିଜ ହାତକୁ ନେଇଛନ୍ତି ଆଫଗାନି ଜନତା । ତାଲିବାନ ବିରୋଧରେ ସ୍ବର ଶାଣିତ କରୁଥିବା ଏହି ପ୍ରତିରୋଧୀ ଦଳ ଏବେ ଅନ୍ୟ ଜିଲ୍ଲାରୁ ତାଲିବାନକୁ ହଟାଇବାକୁ ଯୋଜନା ଚଳାଇଛନ୍ତି । ତାଲିବାନ ବିରୋଧୀଙ୍କ ନିକଟରେ ବି ବହୁ ଅସ୍ତ୍ର ମହଜୁଦ ଥିବାରୁ ଲଢେଇରେ ସେମାନଙ୍କ ବିଜୟ ଘଟିଛି । ଖୁବ୍ ଶୀଘ୍ର ଆଉ କିଛି ଜିଲ୍ଲା ବି ବିରୋଧୀଙ୍କ ଅକ୍ତିଆରକୁ ଯିବା ନିଶ୍ଚିତ ହୋଇଛି ।

କାବୁଲର ସ୍ଥିତି ସ୍ବାଭାବିକ ଥିବା ବେଳେ ପଞ୍ଜଶିର ଉପତ୍ୟକାରେ ତାଲିବାନ ବିରୋଧୀ ଶକ୍ତି ଏକ ହୋଇଛନ୍ତି । ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ନେତୃତ୍ବରେ ବିଭିନ୍ନ ତାଲିବାନ ବିରୋଧୀ ଗୋଷ୍ଠୀ ମେଣ୍ଟ ବାନ୍ଧିଛନ୍ତି । ଏହି ଗୋଷ୍ଠୀକୁ ସହାୟତା କରୁଛନ୍ତି ଅହମ୍ମଦ ଶାହ ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ । ସେପଟେ କାବୁଲରେ ପହଞ୍ଚିଥିବା ମୁଲ୍ଲା ଅବଦୁଲ ଘନି ବରଦାର ସରକାର ଗଠନ ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି ।

ଆଫଗାନିସ୍ତାନର ଭବିଷ୍ୟତ ଫଳାଫଳ ନେଇ କିଛି କୁହାଯାଇପାରିବ ନାହିଁ । ହେଲେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବିଡେନ । ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ୧୪ ହଜାର ଲୋକଙ୍କୁ ଏୟାରଲିଫ୍ଟ କରାଗଲାଣି । ତଥାପି ଆହୁରି ଅନେକ ଲୋକ ଫସିଥିବାରୁ ସେମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ଆମେରିକାର ୬ ହଜାର ସୈନ୍ୟ ଉଦ୍ଧାର ପ୍ରକ୍ରିୟାରେ ନିୟୋଜିତ ଅଛନ୍ତି । ତେବେ ଆଫଗାନିସ୍ତାନର ଚୂଡାନ୍ତ ଫଳାଫଳ କଣ ହେବ ସେନେଇ କିଛି କହିହେବ ନାହିଁ ।

ତାଲିବାନ ସହ ଯୋଗାଯୋଗରେ ଆମେରିକା ରହିଛି । ଏହା ସହ ନାଟୋ ସହିତ ମଧ୍ୟ ଆମେରିକାର ଆଲୋଚନା ଜାରି ରହିଛି । ଦୀର୍ଘ ୨୦ ବର୍ଷ ଧରି ଆମେରିକାକୁ ଯେଉଁ ଆଫଗାନ ନାଗରିକ ସହାୟତା କରିଆସିଥିଲେ, ସେମାନଙ୍କୁ ଉଦ୍ଧାର କରାଯିବ ବୋଲି କହିଛନ୍ତି ବିଡେନ । ସେପଟେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଯଦି ଆବଶ୍ୟକ ପଡେ ତେବେ ତାଲିବାନ ସହ ତାଙ୍କ ଦେଶ କାର୍ଯ୍ୟ କରିବ । ଏହାସହ ଆଫଗାନିସ୍ତାନ ବ୍ୟାପାରକୁ ନେଇ ବିରୋଧର ଶିକାର ହୋଇଥିବା ବୈଦେଶିକ ମନ୍ତ୍ରୀ ଡୋମିନିକ ରାବଙ୍କୁ ମଧ୍ୟ ଜନସନ ସମର୍ଥନ କରିଛନ୍ତି । ତେଣେ ତାଲିବାନ କବଳରୁ ଖସିଛି ଆଫଗାନିସ୍ତାନର ତିନି ଜିଲ୍ଲା । ବଘଲାନ ପ୍ରଜାତନ୍ତ୍ରର ବାନୁ, ପୋଲ-ଇ-ହେସାର ଓ ଦେ ସାଲେହ ଜିଲ୍ଲା ଯାଇଛି ବିରୋଧୀ ଶକ୍ତିଙ୍କ ହାତକୁ । ତାଲିବାନ ବିରୋଧରେ ଏବେ ବିଭିନ୍ନ ବିରୋଧୀ ଶକ୍ତି ଏକ ହେଉଛନ୍ତି । ଏହି ୩ ଜିଲ୍ଲା ଲାଗି ହୋଇଥିବା ଲଢେଇରେ 60ରୁ ଅଧିକ ତାଲିବାନୀ ପ୍ରାଣ ହରାଇଛନ୍ତି ।

Leave a Reply