ସୀମା ଟପୁଛି ତାଲିବାନର କ୍ରୁରତା: ଶିଶୁପୁତ୍ରକୁ ମୃତ୍ୟୁଦଣ୍ଡ ଦେଲେ ଆତଙ୍କୀ, ରାସ୍ତାରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

କାବୁଲ: କ୍ରୁରତାର ସୀମା ଟପିଛି ତାଲିବାନ । ବିଦ୍ରୋହୀ ବାହିନୀ ସଦସ୍ୟଙ୍କ ପୁଅ ସନ୍ଦେହରେ ଏକ ଶିଶୁପୁତ୍ରକୁ ମୃତ୍ୟୁଦଣ୍ଡ ଦେଇଛି ତାଲିବାନ । ଆଫଗାନିସ୍ତାନ ତାଖର ପ୍ରଦେଶର ଏକ ଶିଶୁକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଶିଶୁଟିର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏହାର ଏକ ଭିଡିଓ ଭାଇରାଲ କରିଛି ପଞ୍ଜସୀରର ସ୍ଥାନୀୟ ଗଣମାଧ୍ୟମ । ଟ୍ୱିଟରରେ ଏହି ଭିଡିଓ ପୋଷ୍ଟ କରାଯାଇଛି । ପିଲାଟିର ରକ୍ତ ଭିଜା ମୃତଦେହ ରାସ୍ତାରେ ପଡ଼ିଥିବା ବେଳେ ୩ଜଣ ଶିଶୁ ବସି କାନ୍ଦୁଛନ୍ତି ।

ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପରେ ପଞ୍ଜଶୀର ଅକ୍ତିଆର କରିବାକୁ ଚେଷ୍ଟା କରିଥିଲା । ମାତ୍ର ବିଦ୍ରୋହୀ ଗୋଷ୍ଠୀ ଏହାର ଦୃଢ଼ ବିରୋଧ କରିବା ସହ ବହୁଦିନ ରକ୍ତାକ୍ତ ସଂଘର୍ଷ ଜାରି ରହିଥିଲା । ଶେଷରେ ତାଲିବାନ ଏହି ଅଭେଦ୍ୟ ଗଡ଼କୁ ଅକ୍ତିଆରକୁ ନେଇଛି । ଏହାପରେ ବିଦ୍ରୋହୀ ଗୋଷ୍ଠୀ ଓ ସେମାନଙ୍କ ପରିବାରକୁ ଅକଥନୀୟ ନିର୍ଯାତନା ଦେଉଛନ୍ତି ତାଲିବାନ ଆତଙ୍କୀ ।

ଗତ ସପ୍ତାହରେ ଚାରିଜଣ ଅପହରଣକାରୀଙ୍କୁ ହତ୍ୟା କରି ସର୍ବସମ୍ମୁଖରେ ଟାଙ୍ଗି ଦେଇଥିଲେ ତାଲିବାନୀ । ତାଲିବାନ ଶାସନରେ ଅପହରଣକୁ ବରଦାସ୍ତ କରାଯିବନି ଓ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଅପହରଣକାରୀଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିଲେ ତାଲିବାନ ଆତଙ୍କୀ ।

Leave a Reply