ସୁକତେଲ ବ୍ରିଜ ଭୁଶୁଡ଼ିବା ଘଟଣାରେ କଳା ତାଲିକାଭୁକ୍ତ ହେଲା ଠିକା ସଂସ୍ଥା

ବଲାଙ୍ଗିର: ବଲାଙ୍ଗିର ପାଟଣାଗଡ଼ ସୁକତେଲ ବ୍ରିଜ ଭୁଶୁଡ଼ିବା ଘଟଣା । କଳା ତାଲିକାଭୁକ୍ତ ହେଲା ଠିକା ସଂସ୍ଥା । ରାଜ୍ୟ ସରକାରଙ୍କ ଅନୁମୋଦନକ୍ରମେ ଗ୍ରାମ୍ୟ ଉନ୍ନୟନ ବିଭାଗ ସଂପୃକ୍ତ ଠିକାସଂସ୍ଥା ରାମକୁମାର ଅଗ୍ରଓ୍ୱାଲ ପ୍ରାଇଭେଟ୍‌ ଲିମିଟେଡ୍‌କୁ କଳା ତାଲିକାଭୁକ୍ତ କରିଛି । ଗତ ଏପ୍ରିଲ ୨୯ତାରିଖରେ ମରାମତି କାର୍ଯ୍ୟ ଚାଲୁଥିବା ବେଳେ ବ୍ରିଜ ଭୁଶୁଡ଼ି ପଡ଼ିଥିଲା । ଯେଇଥିଲେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।

ଗତ ୩୦ ତାରିଖରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ଘଟଣାର ତଦନ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ମେ ୮ ତାରିଖରେ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଦାୟୀ କରି ନିଲମ୍ବିତ କରାଯାଇଥିଲା । ନିମ୍ନମାନର ବ୍ରିଜ ନିର୍ମାଣ କରିଥିବା ଠିକା ସଂସ୍ଥା ମାଲିକ ସଞ୍ଜୟ ଅଗ୍ରଓ୍ୱାଲ ଫେରାର ଅଛନ୍ତି ।

ତେବେ ସୁକତେଲ ନଦୀ ଉପରେ ନିର୍ମିତ ବ୍ରିଜ ନିମ୍ନମାନର ନିର୍ମାଣ କାର୍ଯ୍ୟ, ବାହାର ରାଜ୍ୟର ଶ୍ରମିକଙ୍କୁ ବିନା ଲେବର ଲାଇସେନ୍‌ସରେ ବେଆଇନ ଭାବେ ନିୟୋଜିତ କରିବା ଓ ଠିକାଦାରଙ୍କ ଅବହେଳା ଯୋଗୁଁ ବ୍ରିଜ ମରାମତି ସମୟରେ ୨ଜଣଙ୍କ ମୃତ୍ୟୁ ଘଟଣାରେ ଠିକା ସଂସ୍ଥାକୁ ଦାୟୀ କରି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Leave a Reply