ଭୁବନେଶ୍ବର: ବେଲଗାମ ପେଟ୍ରୋଲ ଓ ଡିଜେଲ ଦର । ଯୁକ୍ରେନ ଯୁଦ୍ଧ ପାଇଁ ସୂର୍ଯ୍ୟମୁଖୀ ତେଲ, ଅଟା ଓ ଗହମ ଜାତୀୟ ଉତ୍ପାଦର ଦର ବି ଆକାଶଛୁଆଁ  । ମହଙ୍ଗା ମାଡରେ ସଢୁଥିବା ଖାଉଟି ପାଇଁ ଏବେ ବେଡି ଉପରେ ଆହୁରି କୋରଡା ମାଡ ଦେବାକୁ ଯାଉଛି ଚିନି । ଦେଶରେ ଚିନିର କୃତ୍ରିମ ଅଭାବ ସୃଷ୍ଟି ହେବା ଆଶଙ୍କା ଉପୁଜିଛି । ବିଶ୍ବରେ ଏକ ନମ୍ବର ଚିନି ଉତ୍ପାଦନକାରୀ ରାଷ୍ଟ୍ର ବ୍ରାଜିଲରେ ମରୁଡି ପାଇଁ ଉତ୍ପାଦନ ବାଧାପ୍ରାପ୍ତ । ଭାରତ ଦ୍ବିତୀୟ ବୃହତ ଉତ୍ପାଦନକାରୀ ରାଷ୍ଟ୍ର । ଏହାର ଫାଇଦା ନେବା ପାଇଁ ବଡ଼ ବଡ଼ ରପ୍ତାନୀକାରୀ କମ୍ପାନୀମାନେ ଚିନି ହୋର୍ଡିଂ କରିବା ଆରମ୍ଭ କରିଦେଇଛନ୍ତି ।

ଚିନି ଅଭାବରୁ ଋଷ ଓ ଇଉରୋପରେ ଦର ହୁ ହୁ ହୋଇ ବଢ଼ି ଚାଲିଛି । ଚଳିତବର୍ଷ ଭାରତରେ ୩ କୋଟି ୧୦ ଲକ୍ଷ ଟନ୍‌ ଚିନି ଉତ୍ପାଦନ ହୋଇଛି । ମାସିକ ୨୩ ଲକ୍ଷ ଟନ୍‌ ହିସାବରେ ଦେଶରେ ବାର୍ଷିକ ଘରୋଇ ଚାହିଦା ପାଇଁ ୨ କୋଟି ୭୬ ଲକ୍ଷ ଟନ୍‌ ଆବଶ୍ୟକ । ଏବେ ଚିନି ଖୁଚୁରା ବଜାରରେ ୪୦ ଟଙ୍କାରେ ବିକ୍ରି ହେଉଛି । ଯୋଗାଣ ବି ସ୍ବାଭାବିକ ରହିଛି । କିନ୍ତୁ ଆଗକୁ ଭାରତ ସରକାର ରପ୍ତାନୀ ଉପରେ କଟକଣା ନ ଲଗାଇଲେ ଚିନିରେ ବଳକା ରାଷ୍ଟ୍ର ହୋଇ ବି ଭାରତରେ ଚିନିରେ ଘୋର ସଂକଟର ସାମନା କରିବାକୁ ପଡିପାରେ ।

ଓଡ଼ିଶାରେ ମାସିକ ୬୦ରୁ ୭୦ ହଜାର ଟନ୍‌ ଚିନି ଆବଶ୍ୟକ । ହିସାବ ଲଗାଇଲେ ବାର୍ଷିକ ରାଜ୍ୟର ଚିନି ଆବଶ୍ୟକତା ୫ ଲକ୍ଷ ଟନ୍‌ରୁ ସାଢ଼େ ୫ ଲକ୍ଷ ଟନ୍‌ । ରାଜ୍ୟର ଆସିକା ଓ ଢେଙ୍କାନାଳରେ ଥିବା ଦୁଇଟି ଚିନିକଳରୁ ବାର୍ଷିକ ମାତ୍ର ୩୦ ହଜାର ଟନ୍‌ ଚିନି ଉତ୍ପାଦନ ହେଉଛି । ଯାହାକି ଆବଶ୍ୟକତାର ମାତ୍ର ୬ ପ୍ରତିଶତ । ବାକି ୯୪ ପ୍ରତିଶତ ଚିନି ମହାରାଷ୍ଟ୍ର, ଉତ୍ତରପୂର୍ବ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରୁ ଆମଦାନୀ କରି କେନ୍ଦ୍ର ସରକାର ଯୋଗାଇଥାନ୍ତି । ରାଜ୍ୟ କୃଷି ବିଭାଗର ତଥ୍ୟ ଅନୁଯାୟୀ ଆଖୁ ଚାଷୀଙ୍କୁ କ୍ବିଣ୍ଟାଲ ଆଖୁ ପିଛା ଏଫ୍‌ଆର୍‌ପି ଦର ହିସାବରେ ୨୭ ଟଙ୍କା ୫୦ ପଇସାରୁ ୨୮ ଟଙ୍କା ମିଳୁଛି । ଚିନି ରପ୍ତାନୀ ବୃଦ୍ଧି ପାଇଲେ ଆଖୁ ଚାଷୀମାନେ ଭଲ ଅର୍ଥ ପାଇବେ । କିନ୍ତୁ ଘରୋଇ ଚାହିଦା ପୂରଣ ନ କରି ରପ୍ତାନୀକୁ ଗୁରୁତ୍ବ ଦେଲେ ଦେଶରେ ଚିନି ଦର ହୁ ହୁ ହୋଇ ବଢ଼ିଯିବ ।

ବର୍ତ୍ତମାନର ସ୍ଥିତିକୁ ଦେଖି କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ଏବର୍ଷ ଚିନି ରପ୍ତାନୀ ୮୦ ଲକ୍ଷ ଟନ୍‌ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଛି । କିନ୍ତୁ ଏବେ ସୁଦ୍ଧା ଭାରତରୁ ୭୫ ଲକ୍ଷ ଟନ୍‌ ଚିନି ରପ୍ତାନୀ ହୋଇ ସାରିଲାଣି । ରପ୍ତାନୀକାରୀମାନେ କେନ୍ଦ୍ର ସରକାରଙ୍କ ଏହି ନିୟମକୁ କେତେଦୂର ପାଳନ କରିବେ ସେ ନେଇ ଆଶଙ୍କା ପ୍ରକାଶ ପାଇଛି ।