‘ସିଷ୍ଟମ ସହିତ ରୁହନ୍ତୁ, ଚୋରଙ୍କ ସହିତ ଭୁଆଁ ବିରାଡ଼ି ହୁଅନ୍ତୁ ନାହିଁ’

ଭୁବନେଶ୍ବର: ଧାନ କିଣାକୁ ନେଇ ବିଧାନସଭାରେ ଆଜି ବିରୋଧୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା । କଂଗ୍ରେସ ଆଗତ ମୁଲତବି ପ୍ରସ୍ତାବର ଉତ୍ତର ଦେଇ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ସିଷ୍ଟମ ସହିତ ରୁହନ୍ତୁ, ଚୋରଙ୍କ ସହିତ ଭୁଆଁ ବିରାଡ଼ି ହୁଅନ୍ତୁ ନାହିଁ ।

କଂଗ୍ରେସ ପକ୍ଷରୁ ଆଗତ ମୁଲତବି ପ୍ରସ୍ତାବ ଆଲୋଚନାରେ ଭାଗ ନେଇ କଂଗ୍ରେସ ଏବଂ ବିଜେପି ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ ।  କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଥିଲେ, ସବୁ ମଣ୍ଡିରେ କାହିଁକି ସିସିଟିଭି ଲାଗିପାରିଲା ନାହିଁ ? ନିୟମ ଉଲ୍ଲଂଘନ କାହିଁକି ହେଉଛି ? ପୂର୍ବରୁ ଚାଲିଥିବା ବ୍ୟବସ୍ଥା କାହିଁକି ଅକାମୀ ହେଲା ? ଚାଷୀ ବଞ୍ଚିବେ କେମିତି ?

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଅଭିଯୋଗ କରିଥିଲେ ଯେ ଟୋକନ ସମସ୍ୟା ପାଇଁ ଶହଶହ ଚାଷୀ ହନ୍ତସନ୍ତ ହେଉଛନ୍ତି । ଟୋକନ ପାଇ ମଧ ଚାଷୀ ଧାନ ବିକି ପାରୁନାହାନ୍ତି । ମଣ୍ଡିରେ କଟନି ଛଟନି କରାଯାଉଛି । ଅସାଧୁ ମିଲର ଫାଇଦା ନେଉଛନ୍ତି । ଆଦର୍ଶ ମଣ୍ଡି ହୋଇପାରୁନାହିଁ ।

ଯାହାର ଉତ୍ତର ଦେଇଥିଲେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସେ କହିଥିଲେ, ଟେକ୍ନୋଲୋଜି ବ୍ୟବହାର କରି ଧାନ ଜମି ସର୍ଭେ କରାଯାଇଛି । ୧ ଲକ୍ଷ ୮ ହଜାର ଅଧିକ ଚାଷୀ ନୂତନ ଭାବେ ପଞ୍ଜୀକୃତ ହୋଇଛନ୍ତି । ୯୧ ଜଣ ସୋସାଇଟି ସେକ୍ରେଟାରୀଙ୍କୁ ନିଲମ୍ବନ କରାଯାଇଛି । ଏହାସହ ବିରୋଧୀଙ୍କୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ ଯେ ସିଷ୍ଟମ ସହିତ ରୁହନ୍ତୁ, ଚୋରଙ୍କ ସହିତ ଭୁଆଁ ବିରାଡ଼ି ହୁଅନ୍ତୁ ନାହିଁ । ସରକାର ଭୂତଚାଷୀଙ୍କୁ ଚିହ୍ନଟ କରି ରାଜ୍ୟ ରାଜକୋଷର ୧୦୯ କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି ।