ବଢୁଛି ସୁଦାନ ସଙ୍କଟ, ଦେଶଛାଡ଼ି ପଳାୟନ କଲେଣି ବହୁ ଲୋକ

1 min read

ସୁଦାନ: ବଢୁଛି ସୁଦାନ ସଙ୍କଟ। ଯୁଦ୍ଧବିଧ୍ବସ୍ତ ଦେଶରେ ପ୍ରାୟ ୩ ଲକ୍ଷ ୩୦ ହଜାର ଲୋକ ଘର ଛାଡିଥିବାବେଳେ ଦେଶଛାଡ଼ି ପଳାୟନ କଲେଣି ପ୍ରାୟ ୧ ଲକ୍ଷ ଲୋକ । ଏନେଇ ସ୍ପର୍ଶକାତର ରିପୋର୍ଟ ଦେଇଛି ଜାତିସଂଘ ।

ଜାତିସଂଘ ଶରଣାର୍ଥୀ ସଂକ୍ରାନ୍ତ ଉଚ୍ଚାୟୁକ୍ତ ବା UNHCR ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ସଙ୍କଟ ଏତେ ତୀବ୍ର ହେଲାଣି ଯେ କିଛିଦିନ ମଧ୍ୟରେ ମୋଟ ୮ ଲକ୍ଷ ଲୋକ ପଡୋଶୀ ରାଷ୍ଟ୍ରକୁ ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି। ପଶ୍ଚିମ ଓ ଦକ୍ଷିଣ ଡାରଫର ଅଞ୍ଚଳରେ ସବୁଠାରୁ ଅଧିକ ସମସ୍ୟା ସୃଷ୍ଟି ହୋଇଛି।

ରେଗୁଲାର ଆର୍ମିରେ ପାରାମିଲିଟାରୀ ରାପିଡ ସପୋର୍ଟ ଫୋର୍ସ ବା RSFକୁ ସାମିଲ କରିବା ପ୍ରସଙ୍ଗକୁ ନେଇ ସାମରିକ ନେତା ଆବଦେଲ ଫତାହ ଅଲ-ବୁରହାନ ଓ ଅର୍ଦ୍ଧସାମରିକ ବାହିନୀ ନେତା ଜେନେରାଲ ମହମ୍ମଦ ହାମଦାନ ଡାଗଲୋଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ମହମ୍ମଦ ହାମଦାନ କହିଛନ୍ତି- ସମସ୍ତ ଆର୍ମି ବେସକୁ ଅଧିକୃତ କରିବା ଯାଏ ସଂଗ୍ରାମ ଜାରି ରହିବ।

ସେପଟେ ସାମରିକ ନେତା ଆବଦେଲ ଫତାହ କହିଛନ୍ତି- ଅର୍ଦ୍ଧସାମରିକ ବାହିନୀକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ ନ କରିବା ଯାଏ କୌଣସି କଥାବାର୍ତ୍ତା କରାଯିବ ନାହିଁ । ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଆମେରିକା, ବ୍ରିଟେନ, ଇୟୁ, ଚୀନ ଓ ଋଷ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲେ ବି ସଫଳତା ମିଳିପାରିନାହିଁ । ନିଜ ନିଜ ଦେଶର ନାଗରିକଙ୍କୁ ଫେରାଇ ଆଣିବା ଲାଗି ଅଧିକାଂଶ ରାଷ୍ଟ୍ର ପକ୍ଷରୁ ଅପରେସନ ଜାରି ରହିଛି ।