ଯୁଗାବସାନ: ଲକ୍ଷେ ରାଜାର ମଉଡ଼ମଣିଙ୍କୁ ଝୁରୁଛି ରାଇଜ

ଭୁବନେଶ୍ୱର: ଆଉ ଶୁଭିବନି ସେ ପରିଚିତ ସ୍ବର । ଥମିଗଲା, ନିରବିଗଲା। ସବୁ ମାୟା ମୋହକୁ ପର କରିଦେଲେ। ବାହୁଡିଗଲେ କମଳ ଦେଶ ରାଜକୁମାର । ଆରପାରିକୁ ଚାଲିଗଲେ ଓଡିଆ ସଂଗୀତ ଆକାଶର ଚିକମିକ ଧ୍ରୁବତାରା ପ୍ରଫୁଲ୍ଲ କର। ସାରା ଓଡ଼ିଶା ତାଙ୍କୁ ଝୁରୁଛି, ବାହୁନୁଛି । ଯୁଗାବସାନ । ଓଡ଼ିଶାକୁ ଆଉ ନିଛକ ଓଡିଆପଣକୁ ବିଦେଶରେ ପରିଚିତ କରାଉଥିଲା ନିର୍ଭେଜାଲ ସ୍ବର। ସେ ସ୍ବରର ନାଁ ଥିଲା ପ୍ରଫୁଲ୍ଲ କର। ଓଡ଼ିଆ ସଂଗୀତର ମହାଦ୍ରୁମ । ସଂଗୀତ ଓ ସାହିତ୍ୟରେ ଧୂରୀଣ ଲକ୍ଷେ ରାଜାର ମଉଡ଼ମଣିଙ୍କୁ ପାଛୋଟି ନେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ସେଇଠି ଚାଲିବ ସଂଗୀତର ଦରବାର । ହାତରେ ପୁଷ୍ପ ଧନୁ ଧରିବେ ଏ ସଂଗୀତ ସମ୍ରାଟ ।

ଦିନେ ନୁହଁ କି ଦୁଇଦିନ । ଓଡ଼ିଆ ସଂଗୀତ ଦୁନିଆକୁ ୬ଦଶନ୍ଧି ହେବ ସେ ଆଚ୍ଛାଦିତ କରି ରଖିଥିଲେ । ସେ ଥିଲେ ଭିନ୍ନ ଆଉ ନିଆରା । ସାରା ଜୀବନରେ ସଫଳ ବ୍ୟକ୍ତି ମାନେ ଯେତିକି ସଫଳତା ପାଇନଥିବେ, ଅଧା ଜୀବନରେ ଢେର ଅଧିକ ସଫଳତା ପାଇଥିଲେ ଏ ସଂଗୀତ ପୁରୁଷ । ଜଣେ ଗୀତିକାର, ସଂଗୀତ ନିର୍ଦେଶକ ଓ କଣ୍ଠଶିଳ୍ପୀ ଭାବେ ତାଙ୍କର ଥିଲା ପରିଚୟ । ପ୍ରଶାନ୍ତ ନନ୍ଦ ଙ୍କ ଫିଲ୍ମ ମମତାରେ ସଂଗୀତ ନିର୍ଦେଶକ ଭାବେ ପାଦ ଦେଲେ । ଫିଲ୍ମର ୮ଟି ଯାକ ଗୀତ ହେଲା ସୁପରହିଟ। ପ୍ରଥମ ସିନେମାରୁ ଚହଳ ପଡ଼ିଲା ।

ଭଜନ, ଜଣାଣ, ଆଧୁନିକ ଆଉ ଶାସ୍ତ୍ରୀୟ ସଂଗୀତରେ ସେ ତିଆରି କରିଥିଲେ ନୂଆଧାରା । ସେ ଥିଲେ ଟ୍ରେଣ୍ଡସେଟର । ଓଡିଶୀ ସଂଗୀତକୁ ତାଙ୍କ ଅବଦାନ ଅତୁଳନୀୟ। ବହୁ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକଙ୍କ ପାଇଁ ସେ ମାଟିର ଦ୍ରୋଣ । କେବଳ ସଂଗୀତ ନୁହେଁ, ସ୍ତମ୍ଭକାର ଭାବେ ‘ସାଉଁଟା କାହାଣୀ’ ରେ ପାଠକଙ୍କୁ ବାନ୍ଧି ରଖୁଥିଲେ ପ୍ରଫୁଲ୍ଲ । ତାଙ୍କ ପରଲୋକରେ ଓଡିଶା ଜଣେ ଯୁଗପୁରୁଷଙ୍କୁ ହରାଇଲା । ସାରା ରାଜ୍ୟ ଆଉ ପ୍ରତିଟି ଓଡିଆ ତାଙ୍କ ବିୟୋଗରେ ମର୍ମାହତ । ସମସ୍ତେ ଜାଳୁଛନ୍ତି ଲୁହର ଦୀପାଳି । ଚିର ଅମର ପ୍ରଫୁଲ୍ଲ କର, ଅମର ସେଇ ଶବ୍ଦ ଆଉ ସ୍ବର । ପ୍ରଣାମ ଯୁଗପୁରୁଷ । କୋଟି ପ୍ରଣାମ ।