ନିଜ ସେନା ତିଆରି କରିଥିବା ମହିଳା କମାଣ୍ଡର ସଲିମାଙ୍କୁ ଧରିଲା ତାଲିବାନ

କାବୁଲ: ତାଲିବାନ ଡରରେ ଆଫଗାନିସ୍ତାନର ବଡ଼ ବଡ଼ ମୁଜାହିଦ୍ଦିନ ଯୋଦ୍ଧା ଆତ୍ମସମର୍ପଣ କିମ୍ବା ପଳାୟନ କରିଥିବା ବେଳେ ବଲଖ ପ୍ରଦେଶର ମହିଳା ଗଭର୍ଣ୍ଣର ସଲିମା ମଜାରି ଏକାକୀ ଯୁଦ୍ଧକ୍ଷେତ୍ରରେ ତାଲିବାନକୁ ଚ୍ୟାଲେଞ୍ଜ କରୁଥିଲେ । ତାଲିବାନ କବଳରୁ ନିଜ ରାଜ୍ୟକୁ ରକ୍ଷା କରିବା ପାଇଁ ଯୁଦ୍ଧ ଲଢୁଥିବା ମଜାରି କିନ୍ତୁ ଶେଷରେ ତାଲିବାନ ହାତରେ ପଡିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ମଜାରିଙ୍କୁ ତାଲିବାନ ଗିରଫ କରିଛି । ସୂଚନାଯୋଗ୍ୟ ଯେ, ମଜାରୀ ନିଜର ଗୋଟିଏ ସେନା ତିଆରି କରି ତାଲିବାନ ବିରୋଧରେ ଯୁଦ୍ଧ ଲଢୁଥିଲେ ।

ଆଫଗାନିସ୍ତାନର ଏକ ମାତ୍ର ମହିଳା ଗଭର୍ଣ୍ଣର ସଲିମା ଯୁଦ୍ଧ ଆରମ୍ଭରୁ ନିଜକୁ ଏଥିପାଇଁ ପ୍ରସ୍ତୁତ କରିଥିଲେ । ସେ ପ୍ରଶାସନିକ କାର୍ଯ୍ୟ ସହିତ ଫ୍ରଣ୍ଟଲାଇନରେ ଥିବା ସୈନିକଙ୍କ ସହିତ ମିଶି ତାଲିବାନର ମୁକାବିଲା କରୁଥିଲେ । ତାଙ୍କୁ ପିକ୍ ଅପ୍ ଭ୍ୟାନରେ ସାମ୍ନା ସିଟରେ ବସି ନିଜ ସେନା ସହିତ ଫ୍ରଣ୍ଟ ଲାଇନକୁ ଯାଉଥିବା ଦେଖିବାକୁ ମିଳୁଥିଲା ।

ସଲିମାଙ୍କ ସେନାରେ ସାମିଲ ହେବାକୁ ଲୋକ ନିଜ ପାଳିତ ପଶୁ ବିକ୍ରି କରି ଅସ୍ତ୍ରଶସ୍ତ୍ର କିଣୁଥିଲେ । ତାଲିବାନ ଶାସନରେ ମହିଳାମାନଙ୍କୁ କୌଣସି ପ୍ରକାରର ସ୍ୱାଧିନତା ମିଳିବ ନାହିଁ ଓ ଜୀବନ ଦୁର୍ବିସାହ ହୋଇଯିବ ବୋଲି ମଜାରୀ ଜାଣିଥିଲେ । ତେଣୁ ସେ କାବୁଲର ପତନ ପରେ ମଧ୍ୟ ତାଲିବାନ ବିରୋଧରେ ନିଜ ଯୁଦ୍ଧ ଜାରି ରଖିଥିଲେ ।

ଆଗରୁ କୁହାଯାଉଥିଲା ଯେ, କାବୁଲର ପତନ ପରେ ମଜାରୀ ଇରାନରେ ଶରଣ ନେଇଛନ୍ତି । କିନ୍ତୁ ଏବେ ତାଲିବାନ ତାଙ୍କୁ ଗିରଫ କରିଥିବା ଦାବି କରୁଛି । ସୂଚନାଯୋଗ୍ୟ ଯେ, ମଜାରୀଙ୍କ ଜନ୍ମ ଇରାନର ଏକ ଶରଣାର୍ଥୀ ଶିବିରରେ ହୋଇଥିଲା । ସୋଭିଏତ ଋଷ ଆଫଗାନିସ୍ତାନ ଦଖଲ କରିବା ପରେ ମଜାରୀଙ୍କ ପରିବାର ଆଫଗାନିସ୍ତାନ ଛାଡି ଇରାନ ଚାଲିଯାଇଥିଲେ । ସେଠାରେ ୧୯୮୦ ମସିହାରେ ମଜାରୀଙ୍କ ଜନ୍ମ ହୋଇଥିଲା ।

Leave a Reply