ବାପା ଶବ ଦାହ କରିବାକୁ ଯାଇଥିବା ଲୋକଙ୍କୁ ପୁଅର ଆକ୍ରମଣ

କେନ୍ଦୁଝର: ସମ୍ପତ୍ତି ମୋହ ଆଗରେ ତୁଚ୍ଛ ପଡ଼ିଲା ରକ୍ତ ସମ୍ପର୍କ । ସମ୍ପତ୍ତି ନମିଳିବାରୁ ବାପାଙ୍କ ଶବକୁ କାନ୍ଧ ତ ଦେଲାନି ପୁଅ । ବରଂ ବାପାଙ୍କ ଶବକୁ କାନ୍ଧ ଦେଇଥିବା ସାନ ଭାଇ ଓ ପଡ଼ୋଶୀଙ୍କୁ ଆକ୍ରମଣ କଲା ବଡ଼ ପୁଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା କପୁଣ୍ଡି ଗାଁରେ । ଗାଁର ୯୭ ବର୍ଷୀୟ ବୃଦ୍ଧ ଚୌଧୁରୀ ନାଏକଙ୍କ ମୃତ୍ୟୁ ପରେ ତାଙ୍କ କୋକେଇ ନେଇ ଯାଉଥିବା ଲୋକଙ୍କୁ ଚୌଧୁରୀଙ୍କ ବଡପୁଅ ରାହାସ ନାଏକ ଓ ତାଙ୍କର ୫ଜଣ ପୁଅ ମିଶି ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ମାଡ଼ ମାରିଥିବା ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

ସାନପୁଅ ଶିବପ୍ରସାଦ ନାଏକଙ୍କ ଘରେ ରହୁଥିଲେ ବୃଦ୍ଧ ଚୌଧୁରୀ ନାଏକ । ଏଥିପାଇଁ ଏକ ଜମି ସେ ଶିବପ୍ରସାଦଙ୍କୁ ଦେଇଥିଲେ । ଏହି ଜମିରୁ ଭାଗ ନେବା ପାଇଁ ଚୌଧୁରୀଙ୍କ ବଡ଼ପୁଅ ରାହାସ ନାଏକ ଦାବି କରୁଥଲା । ହେଲେ ବାପା ତାଙ୍କୁ ଜମି ଦେଇନଥିଲେ । ଫଳରେ ରାଗ ରଖିଥିଲା ବଡ଼ ପୁଅ । ଗତକାଲି ବାପାଙ୍କ ମୃତ୍ୟୁ ପରେ ଶବ ସଂସ୍କାର ପାଇଁ ଶିବପ୍ରସାଦ ବଡ଼ଭାଇ ରାହାସଙ୍କୁ ଡାକିଥଲେ । ହେଲେ ସେ ଆସିନଥିଲେ । ତେଣୁ ପଡ଼ୋଶୀଙ୍କ ସହାୟତାରେ ଶିବପ୍ରସାଦ ବାପାଙ୍କ କୋକେଇ ନେଇ ଯାଉଥିବା ବେଳେ ଆକ୍ରମଣ କରିଥିଲେ ବଡ଼ ଭାଇ ରାହାସ ଓ ତାଙ୍କ ୫ପୁଅ । ତେବେ ମାମଲା ଥାନାକୁ ଯିବା ପରେ ଶବ ସତ୍କାର ହୋଇଥିବା ଜଣାପଡ଼ିଛି ।

Leave a Reply