କେକେଙ୍କ ମୃତ୍ୟୁରେ ନୂଆ ଖୁଲାସା; ଓଠ ଓ ମୁଣ୍ଡରେ ଅଛି କ୍ଷତ ଚିହ୍ନ

କୋଲକାତା: ଲୋକପ୍ରିୟ ଗାୟକ କ୍ରିଷ୍ଣାକୁମାର କୁନ୍ନାଥ ଓରଫ କେକେଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଆକସ୍ମିକ ବିୟୋଗରେ ସଂଗୀତପ୍ରେମୀ ସ୍ବବ୍ଧ ହୋଇଛନ୍ତି। ସମସ୍ତଙ୍କର ପ୍ରିୟ କେକେ ଯେ, ଏମିତି ଅବେଳରେ ଚାଲିଯିବେ, ତାହା କେହି ସହଜରେ ବିଶ୍ବାସ କରୁନାହାନ୍ତି। କୋଲକାତାରେ ଏକ ଶୋ କରୁଥିବା ବଳେ ହଠାତ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା । ହସପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବରୁ ତାଙ୍କର ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଥିଲା । କିନ୍ତୁ ଏବେ କେକେଙ୍କ ଓଠ ଓ ମୁଣ୍ଡରେ କ୍ଷତ ଚିହ୍ନ ଥିବା ଅଭିଯୋଗ ହୋଇଛି। ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ଅନ୍ୟପଟେ କେକେଙ୍କ ପରିବାର ଆଜି ସକାଳେ କୋଲକାତାରେ ପହଞ୍ଚିଛନ୍ତି । କେକେଙ୍କ ମୃତ୍ୟୁକୁ ନେଇ ନ୍ୟୁ ମାର୍କେଟ ପୋଲିସ ଷ୍ଟେସନରେ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ ହୋଇଛି। କେକେଙ୍କ ମୃତ୍ୟୁର କାରଣ କେବଳ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡ଼ିବ। କେକେ ସାରା ଭାରତରେ ଜଣେ ଲୋକପ୍ରିୟ ଗାୟକ ଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଓ ବଙ୍ଗଳା ଆଦି ଭାଷାରେ ଅନେକ ଗୀତ ଗାଇଛନ୍ତି କେକେ ।

କେକଙ୍କ  ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏହାସହ ବହୁ ସିନେ କଳାକାର ମଧ୍ଯ କେକେଙ୍କ ବିୟୋଗରେ ମର୍ମାହତ। ଅକ୍ଷୟ କୁମାର, ଶ୍ରେୟା ଘୋଷାଲ, ପ୍ରିତମ୍ଙ୍କ ପରି ଅନେକ ବଡ଼ ବଡ଼ ସେଲେବ୍ରିଟି ଟ୍ୱିଟ କରି ଶୋକ ବ୍ୟକ୍ତ କରିଛନ୍ତି।