ଆଇନ ରଦ୍ଦ ପରେ ବି ବିଭିନ୍ନ ଥାନାରେ ମାମଲା, ଅସନ୍ତୋଷ ବ୍ୟକ୍ତ କଲେ SC

1 min read

ନୂଆଦିଲ୍ଲୀ: ଧାରା ସମ୍ପର୍କରେ ଅବଗତ ନାହାନ୍ତି କେନ୍ଦ୍ର ସରକାର । ଧାରା ଉଠିଯାଇଛି, ହେଲେ ଏବେ ବି ସେହି ଧାରାରେ ରୁଜୁ ହେଉଛି ହଜାର ହଜାର ମାମଲା । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଗଭୀର ଚିନ୍ତାପ୍ରକଟ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ। ୨୦୧୫ରୁ ଆଇଟି ଆକ୍ଟ ୬୬Aକୁ ରଦ୍ଦ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ହେଲେ ଏହାପରେ ବି ୬୬Aଆକ୍ଟ ଆଧାରରେ ସାରାଦେଶରେ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି । ମୁଖ୍ୟତଃ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ନେଇ ୟୁଜର୍ସଙ୍କ ବିରୋଧରେ ଏହି ଆକ୍ଟ ଆଧାରରେ ମାମଲା ରୁଜୁ ହେଉଛି । ଏହାକୁ ନେଇ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜଷ୍ଟିସ ଆର ଏଫ୍ ନରିମନ, କେଏମ୍ ଜୋସେଫ୍ ଏବଂ ବିଆର ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି ତୁରନ୍ତ ଜବାବ ରଖିବାକୁ କହିଛନ୍ତି ।

ମାନବାଧିକାର ଉପରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଂସ୍ଥା PUCL ବା ପିପୁଲ ୟୁନିଅନ ଫର ସିଭିଲ ଲିବର୍ଟିଜ ଏ ନେଇ ଦାଏର କରିଥିବା ପିଟିସନର ବିଚାର ବେଳେ କୋର୍ଟ କେନ୍ଦ୍ରକୁ ନୋଟିସ୍ କରିଛନ୍ତି । ୧୧ଟି ରାଜ୍ୟରେ ଏବେ ବି ୬୬A ଧାରା ଆଧାରରେ ୭୪୫ଟି ମାମଲାର ଶୁଣାଣି କୋର୍ଟରେ ଚାଲିଛି ବୋଲି PUCL ପିଟିସନରେ ଦର୍ଶାଯାଇଛି । ୨୦୧୫ରେ ଧାରା ରଦ୍ଦ ହେବା ପରେ ଏହି ଆକ୍ଟରେ ୧୩ଶହ ୫ଟି କେସ୍ ଦାଏର ହୋଇଛି ।ମହାରାଷ୍ଟ୍ରରେ ସବୁଠୁ ଅଧିକ ୩୮୧ଟି ମାମଲା ରୁଜୁ କରାଯାଇଛି । ସେହିପରି ଝାରଖଣ୍ଡରେ ୨୯୫ଟି କେସ୍ ଓ ୟୁପିରେ ୨୪୫ଟି କେସ୍ ରୁଜୁ ହୋଇଛି ।

ତେବେ କୋର୍ଟରେ ଏହି ପିଟିସନର ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ କେ କେ ଭେଣୁଗୋପାଳ କହିଛନ୍ତି, ଆଇନ ବହିରେ ଏ ବାବଦରେ ଉଲ୍ଲେଖ କରାଯାଇନାହିଁ । ୨୦୧୫ରେ ସୁପ୍ରିମକୋର୍ଟ ଏହି ଆଇନକୁ ଅସମ୍ବିଧାନିକ ଦର୍ଶାଇ ରଦ୍ଦ କରିଥିଲେ । ଏ ନେଇ ଆଇନର ମୂଳଧାରରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇନାହିଁ । ତେଣୁ ପୋଲିସ ଧାରା ୬୬Aକୁ ବ୍ୟବହାର କରୁଛି ବୋଲି ଆଟର୍ଣ୍ଣି ଜେନେରାଲ କହିଛନ୍ତି । ଆଟର୍ଣ୍ଣି ଜେନେରାଲଙ୍କ ଉତ୍ତରେ ଅସନ୍ତୋଷ ବ୍ୟକ୍ତ କରିବା ସହ କେନ୍ଦ୍ର ସରକାରଙ୍କୁ ନୋଟିସ ପଠାଇଛନ୍ତି ଖଣ୍ଡପୀଠ ।

Leave a Reply