୮୪ ବର୍ଷ ବୟସ୍କ ସ୍ତାନ ସ୍ୱାମୀଙ୍କ ପରଲୋକ, ମାଓବାଦୀ ମାମଲାରେ ହୋଇଥିଲେ ଗିରଫ

ମୁମ୍ବାଇ: ଆତଙ୍କବାଦ ନିରୋଧ ଆଇନ ଅନୁସାରେ ଗିରଫ ହୋଇ ଜେଲରେ ଥିବା ସାମାଜିକ କର୍ମୀ ଫାଦର ସ୍ତାନ ସ୍ବାମୀଙ୍କ ପରଲୋକ ଘଟିଛି । ୮୪ ବର୍ଷ ବୟସ୍କ ସ୍ତାନ ବହୁଚର୍ଚ୍ଚିତ ଏଲଗାର ପରିଷଦ ମାମଲାରେ ଗିରଫ ହୋଇଥିଲେ । ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କ ପରଲୋକ ଘଟିଛି । ଗତ ବର୍ଷ ଅକ୍ଟୋବରରୁ ଜେଲରେ ଥିବା ସ୍ତାନ ଶେଷ ପର୍ଯ୍ୟନ୍ତ ମୁକୁଳିବା ଲାଗି ଆଇନଗତ ଲଢେଇ ଜାରି ରଖିଥିଲେ । ସେ ଜଣେ ମାଓବାଦୀ ଓ ଦେଶରେ ଅସ୍ଥିରତା ସୃଷ୍ଟି କରିବା ଲାଗି ସେ ଉଦ୍ୟମ କରିଥିଲେ ବୋଲି ହୋଇଥିବା ଅଭିଯୋଗ କ୍ରମେ ସେ ଗିରଫ ହୋଇଥିଲେ ।

ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ବା ୟୁଏପିଏ ଅନୁସାରେ ତାଙ୍କୁ ଗିରଫ କରାଯାଇଥିଲା । ବହୁଚର୍ଚ୍ଚିତ ଏଲଗାର ପରିଷଦ ମାମଲାରେ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ବିଶ୍ବବିଦ୍ୟାଳୟ ପ୍ରଫେସର ହାନି ବାବୁଙ୍କ ସମେତ ୧୮ ଜଣଙ୍କୁ ଗିରଫ କରାଗଲାଣି । ଗତ ୨୦୧୮ ଜାନୁଆରୀ ୧ରେ ପୁଣେରେ ଐତିହାସିକ ଭୀମା କୋରେଗାଁ ଯୁଦ୍ଧର ୨୦୦ ତମ ବାର୍ଷିକୀ ପାଳନ କରିବା ଲାଗି ଲକ୍ଷାଧିକ ଦଳିତ ଏକତ୍ରିତ ହୋଇଥିଲେ । ସଭା ଚାଲିଥିବାବେଳେ ହିଂସା ଘଟିଥିଲା  ।

ଅନେକ ଯାନବାହନ ପୋଡିଦିଆଯାଇଥିଲା । ପ୍ରଥମେ ପୋଲିସ ପକ୍ଷରୁ ମାମଲା ଦାଏର ହୋଇଥିବାବେଳେ ପରେ ଏହାର ତଦନ୍ତ ଭାର ଏନଆଇଏକୁ ଦିଆଯାଇଥିଲା । ଷ୍ଟାନଙ୍କ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ହ୍ୟୁମାନ ରାଇଟସ ଡିଫେଣ୍ଡର୍ସ ଲାଗି ନିୟୋଜିତ ଜାତିସଂଘର ସ୍ବତନ୍ତ୍ର ରାପୋର୍ଟିୟର ମ୍ୟାରି ଲୟଲର । କହିଛନ୍ତି ଷ୍ଟାନଙ୍କ ମୃତ୍ୟୁ ଏକ ହୃଦୟ ବିଦାରକ ଘଟଣା । ସେହିପରି ମାନବାଧିକାର ସକାଶେ ୟୁରୋପିଆନର ସ୍ବତନ୍ତ୍ର ପ୍ରତିନିଧି ଏମନ ଗିଲମୋର ବି ଦୁଃଖ ପ୍ରକାଶ କରିଛନ୍ତି ।

Leave a Reply