ଖୋଲୁଛି କଟକ ବନ୍ଧୁକ କାରଖାନା ଗୁମର, ଓଡ଼ିଶାରେ ବିକ୍ରି ହୋଇଛି ଶହେରୁ ଅଧିକ

କଟକ: ୨ ଦିନିଆ ରିମାଣ୍ଡରେ ବନ୍ଧୁକ କାରିଗର । କୋଲକାତାରୁ କଟକ ଭାୟା ମୁଙ୍ଗେର । କ୍ରିମିନାଲଙ୍କ ହାତରେ ଦେଶୀ ବନ୍ଧୁକ । କଟକ ବୟାଳିଶ ମୌଜା ବନ୍ଧୁକ ବେପାରର ଧୀରେ ଧୀରେ ଖୋଲୁଛି ଗୁମର । ୨ ଦିନିଆ ରିମାଣ୍ଡରେ ଆସି ସତ ଉଗାରୁଛନ୍ତି ଅଭିଯୁକ୍ତ । ଗୁହାଳ ନାଁରେ ଚାଲିଥିଲା ବନ୍ଧୁକ କାରଖାନା । ଚଢ଼ାଉ କରି ପୁଳାପୁଳା ବନ୍ଧୁକ ଓ କଞ୍ଚାମାଲ ଜବତ ପରେ ଏବେ ଅନେକ ରୋଚକ ତଥ୍ୟ ଏସଟିଏଫ ହାତରେ ଲାଗିଛି ।
ଜଙ୍ଗଲ ଭିତରେ କେବଳ ବ୍ୟାରେଲ, ସ୍ଲାଇଡ଼, ହ୍ୟାଣ୍ଡଗ୍ରୀପ ତିଆରି ହୋଇ ସେସବୁକୁ ମୁଙ୍ଗେର ପଠାଯାଉଥିଲା । ୫ ହଜାର ଟଙ୍କାର ଏଠାରୁ ଅର୍ଦ୍ଧ ନିର୍ମିତ ପିସ୍ତଲ ମୁଙ୍ଗେର ଯାଉଥିଲା । ସେଠାରେ ଫିନିସିଂ ପରେ ଏହାକୁ ୫୦ ହଜାର ଟଙ୍କାରେ ବିକ୍ରି କରାଯାଉଥିଲା । ଏସବୁର ତଦନ୍ତ ପାଇଁ ମୁଙ୍ଗେର ଏକ ସ୍ପେଶାଲ ଟିମ ଗସ୍ତ କରି ବିହାରର ଗ୍ୟାଙ୍ଗଷ୍ଟାର ଗ୍ରୁପ ଶତାଧିକ ପିସ୍ତଲର ଅର୍ଡର ଦେଇଥିବା କଥା ଜାଣିବାକୁ ପାଇଛି । କୋଲକାତାରୁ କଞ୍ଚାମାଲ ଆସୁଥିଲା । ଆଉ ଗୋଟିଏ ଟିମ ସେହି ସ୍ଥାନକୁ ଖୁବଶୀଘ୍ର ଗସ୍ତ କରିବ । ଏସଟିଏଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପରେ ଓଡ଼ିଶାରେ କେତେ ବନ୍ଧୁକ ବିକ୍ରି ହୋଇଛି ସେ ନେଇ ଆରମ୍ଭ ହୋଇଛି ତନାଘନା । କିଏ, କେତେ ଟଙ୍କାରେ ଏହି ବନ୍ଧୁକ କିଣିଛନ୍ତି, ସେ ନେଇ ସମ୍ପୂର୍ଣ୍ଣ ସୂଚନା ଏହି ୨ ଦିନରେ ମିଳିପାରେ ବୋଲି ଏସଟିଏଫ ସୂତ୍ରରୁ ଜଣାପଡ଼ିଛି ।
ବନ୍ଧୁକ ଡିଲରେ ଲଗାମ ଲଗାଇବା ପାଇଁ ୨୦୧୪ରେ ଆରମ୍ଭ ହୋଇଥିଲା ଅପରେସନ ବ୍ଲାକ ସ୍ମୋକ । କୁଇକ ଆକ୍ସନ ଟିମ୍ ଏହାର ତଦନ୍ତ ଭାର ନେବା ସହ ସେହିବର୍ଷ ୯୩ଟି ମାଉଜର ଓ ୨୪୯ଟି ଅଫୁଟା ଗୁଳି ଜବତ କରିଥିଲା । ୨୦୧୫ରେ ୧୧୩ଟି ମାମଲା ରୁଜୁ କରାଯିବା ସହ ୬୩ଟି ମାଉଜର ସହ ୧୬୨ଟି ଅଫୁଟା ଗୁଳି ଜବତ ହୋଇଥିଲା । ୨୦୧୬ରେ ୧୨୨ଟି ମାମଲା ରୁଜୁ ହେବା ସହ ୮୯ଟି ମାଉଜର ଓ ୨୧୨ଟି ଅଫୁଟା ଗୁଳି ଜବତ ହୋଇଥିଲା । ୩ ବର୍ଷରେ ୩୭୮ ଜଣଙ୍କୁ ଗିରଫ କରି ଅପରାଧୀଙ୍କ ମନରେ ଛନକା ପୂରାଇ ଥିଲା କ୍ୟୁଏଟି । ଏବେ ସ୍ପେଶାଲ କ୍ରାଇମ ୟୁନିଟ ଓ ସ୍ପେଶାଲ ସ୍କ୍ବାଡ ମଧ୍ୟ ସଂଗଠିତ ଅପରାଧକୁ ମାତ ଦେବାକୁ ଯାଇ ବିଗତ କିଛି ଦିନ ଭିତରେ ନିଶା ମାଫିଆ, ବନ୍ଧୁକ ବେପାରୀ ଓ ଜମି ଦଲାଲଙ୍କ ନିଦ ହଜାଇ ଦେବା ସହ ଅତ୍ୟାଧୁନିକ ବନ୍ଧୁକ କାରବାରରେ ରୋକ ଲଗାଇଥିଲା । ପରେ ପରେ ଏସଟିଏଫର ଏହି ବଡ଼ ରେଡ଼ ଅପରାଧୀଙ୍କ ଛାତିରେ ଛନକା ପୂରାଇଛି ।
ତେବେ ସବୁଠାରୁ ବଡ଼ କଥା ହେଉଛି ପ୍ରାୟ ଦେଢ଼ ବର୍ଷ ହେଲା ବନ୍ଧୁକ କାରଖାନା ଚାଲିଥିବା ବେଳେ ପୋଲିସ ଜାଣିପାରୁ ନଥିଲା କିପରି ? କେତେ ଲୋକ ଏହି ଚୋରା ବନ୍ଧୁକ କିଣିଛନ୍ତି ? ୩ ଦିନିଆ ରିମାଣ୍ଡରେ ଏସବୁ ଉପରୁ ହଟିପାରେ ପର୍ଦ୍ଦା ।