ପାକିସ୍ତାନର ତାଲିବାନ ପ୍ରୀତି ଯୋଗୁ SAARC ବୈଦଶିକ ମନ୍ତ୍ରିସ୍ତରୀୟ ସମ୍ମିଳନୀ ବାତିଲ

ନୂଆଦିଲ୍ଲୀ: ପାକିସ୍ତାନର ତାଲିବାନ ପ୍ରୀତି ଯୋଗୁ ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ ବା ସାର୍କ ବୈଦଶିକ ମନ୍ତ୍ରିସ୍ତରୀୟ ସମ୍ମିଳନୀ ବାତିଲ ହୋଇଛି । ଆସନ୍ତା ୨୫ ତାରିଖରେ ହେବାକୁ ଥିବା ଏହି ସମ୍ମିଳନୀରେ ତାଲିବାନକୁ ଅନୁମତି ଦେବା ଲାଗି ପାକିସ୍ତାନ ଚାପ ପ୍ରୟୋଗ କରିବା ପରେ ବୈଠକ ବାତିଲ ହୋଇଛି ।

ଅସରଫ ଗନି ସରକାରର କୌଣସି ପ୍ରତିନିଧିଙ୍କୁ ସାର୍କ ବୈଠକରେ ସାମିଲ କରାଯାଇପାରିବ ନାହିଁ ବୋଲି ପାକିସ୍ତାନ ଦାବି କରିବା ପରେ ବୈଠକର ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରିଥିଲା । ବର୍ତ୍ତମାନର ଆଫଗାନିସ୍ତାନ ରାଜନୈତିକ ସ୍ଥିତି ଦୃଷ୍ଟିରୁ ତାଲିବାନକୁ ବୈଠକରେ ସାମିଲ ନ କରିବା ଲାଗି ଅଧିକାଂଶ ସଦସ୍ୟ ରାଷ୍ଟ୍ର ମତ ଦେଇଛନ୍ତି ।

ବିଭିନ୍ନ ସଦସ୍ୟ ରାଷ୍ଟ୍ରର ବିରୋଧ ସତ୍ତ୍ୱେ ପାକିସ୍ତାନ ନିଜ ଜିଦରେ ଅଟଳ ରହିବାରୁ ଶେଷରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବାତିଲ ହୋଇଛି । ନ୍ୟୁୟର୍କରେ ଜାତିସଂଘ ସାଧାରଣ ଆସେମ୍ବିଲରେ ୭୬ ତମ ବୈଠକ ବସିବାକୁ ଯାଉଥିବାବେଳେ ସାର୍କର ଏହି ବୈଠକ ଅନେକ ଅନ୍ତର୍ଜାତୀୟ ଗୁରୁତ୍ୱ ବହନ କରୁଥିଲା । ମାତ୍ର ପାକିସ୍ତାନ ଯୋଗୁ ଏହା ସମ୍ଭବ ହୋଇପାରିନାହିଁ । ସାର୍କର ସଦସ୍ୟ ରାଷ୍ଟ୍ରଗୁଡିକ ହେଲେ ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ନେପାଳ, ମାଳଦ୍ୱୀପ, ଶ୍ରୀଲଙ୍କା, ଭୁଟାନ ଓ ବାଂଲାଦେଶ ।

Leave a Reply