ବିଶ୍ୱକୁ ଋଷ ଦେଖାଇଲା ଦମ୍, ଅନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲ ’ସରମତ’ର ପରୀକ୍ଷା

ମସ୍କୋ: ଯୁଦ୍ଧର ଘନଘଟା ଭିତରେ ଋଷର ମହାଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷା । ଅନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲ ସରମତର ପରୀକ୍ଷା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । କ୍ଷେପଣାସ୍ତ୍ର ପରୀକ୍ଷା ପରେ ଋଷର ଶତ୍ରୁମାନେ ଏବେ ଦୁଇ ଥର ଚିନ୍ତା କରିବା ଦରକାର ବୋଲି କହିଛନ୍ତି ପୁଟିନ । ଏହି କ୍ଷେପଣାସ୍ତ୍ର ମଧ୍ୟ ଆଣବିକ ସାମଗ୍ରୀ ପରିବହନ କରିପାରିବାର କ୍ଷମତା ହାସଲ କରିଛି । ଏପରିକି ଆଣ୍ଟିମିସାଇଲ ଡିଫେନସ୍ ସିଷ୍ଟମ ବି ଏହାକୁ ଠାବ କରିପାରିବ ନାହିଁ ।

ପ୍ରାୟ ୨୦୦ ଟନ ଓଜନର ବିଶ୍ବର ସବୁଠାରୁ ଶକ୍ତିଶାଳୀ ଓ ଭୟଙ୍କର କ୍ଷେପଣାସ୍ତ୍ର ପୃଥିବୀର ଯେକୌଣସି ଅଞ୍ଚଳକୁ ଟାର୍ଗେଟ କରିପାରିବ । ସରମତ କ୍ଷେପଣାସ୍ତ୍ର ସମେତ ଋଷ ନିକଟରେ ରହିଛି କିନଜାଲ ଓ ଆଭନଗାର୍ଦ ହାଇପରସୋନିକ ମିସାଇଲ । ଯାହାକି ଯେକୌଣସି ଶତ୍ରୁ ରାଷ୍ଟ୍ର ଉପରେ ଆକ୍ରମଣ କରିବାକୁ ସକ୍ଷମ । ଗତମାସରେ ପ୍ରଥମ ଥର ଲାଗି ୟୁକ୍ରେନ ବିରୋଧରେ ଋଷ ପ୍ରୟୋଗ କରିଥିଲା କିନଜାଲ ମିସାଇଲ । ସେପଟେ ଖୁବ୍ ଶୀଘ୍ର ମାରିୟୁପୋଲ ସ୍ଥିତ ଆଜଭୋସ୍ତାଲ ଷ୍ଟିଲ ପ୍ଲାଣ୍ଟକୁ କବଜା କରାଯିବ ବୋଲି କହିଛି ଋଷ । ସେଠାରେ ଅନେକ ବିଦ୍ରୋହୀ, ୟୁକ୍ରେନ ସୈନ୍ୟ ଓ ୧ ହଜାରରୁ ଅଧିକ ନାଗରିକ ରହିଛନ୍ତି । ଏହି ପ୍ଲାଣ୍ଟକୁ କବଜା କଲେ ମାରିୟୁପୋଲ ଋଷ ହାତକୁ ଯିବା ନିଶ୍ଚିତ ।

ସେପଟେ ଆଲୋଚନା କରି ବିଫଳ ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ କହିଛନ୍ତି, ପୁଟିନଙ୍କୁ ଭରସା କରିବା ଅର୍ଥ କୁମ୍ଭୀର ସହ ବନ୍ଧୁତା ବାନ୍ଧିବା । ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟା ଆଉ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ପ୍ରାୟ ୫ ଲକ୍ଷ ୟୁକ୍ରେନ ନାଗରିକଙ୍କୁ ଋଷକୁ ବଳପୂର୍ବକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଜାତିସଂଘରେ ନିଯୁକ୍ତ ୟୁକ୍ରେନର ସ୍ଥାୟୀ ପ୍ରତିନିଧି କହିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ୧ ଲକ୍ଷ ୨୧ ହଜାର ଶିଶୁ । ଶାନ୍ତି ଫେରାଇ ଆଣିବା ଲାଗି ଋଷ ରାଷ୍ଟ୍ରପତି ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ।