ଆଜି ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ, ସ୍ଥାନ ପାଇବ ପ୍ରତିରକ୍ଷା, ଆତଙ୍କବାଦ ପ୍ରସଙ୍ଗ

1 min read

ନୂଆଦିଲ୍ଲୀ: ଆଜି ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ୟୁକ୍ରେନ ସଂକଟ ମଧ୍ୟରେ ଜନସନଙ୍କ ଦୁଇ ଦିନିଆ ଭାରତ ଗସ୍ତ ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ ହୋଇଛି । ଜନସନ୍ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଜନସନ । ଦୁଇ ନେତାଙ୍କ ମଧ୍ୟରେ ଆଲୋଚନାରେ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗ ସହ ୟୁକ୍ରେନ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇବ । ଆତଙ୍କବାଦ, ବାଣିଜ୍ୟ ପ୍ରସଙ୍ଗରେ ମଧ୍ୟ ଦୁଇ ଦେଶ ମଧ୍ୟରେ ବ୍ୟାପକ ଆଲୋଚନା ହେବା ସମ୍ଭାବନା ରହିଛି । ୟୁକ୍ରେନ ପ୍ରସଙ୍ଗରେ ଭାରତ ଆଭିମୁଖ୍ୟ ବଦଳାଇବା ପାଇଁ ଜନସନ୍ ଚାପ ପ୍ରୟୋଗ କରିପାରନ୍ତି ।

ବ୍ରିଟେନରେ ଖଲିସ୍ତାନୀ ସଂଗଠନ ସହ ଜଡ଼ିତ ସଦସ୍ୟମାନଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପ କଥା ଉଠାଇବା ଭାରତ । ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବ୍ରିଟେନଠାରେ ଦାବି କରିବ ନୂଆଦିଲ୍ଲୀ । ତେବେ, ଦ୍ବିପାକ୍ଷିକ ବାଣିଜ୍ୟିକ ସଂପର୍କ ବୃଦ୍ଧି ମୋଦି-ଜନସନଙ୍କ କଥାବାର୍ତ୍ତାରେ ପ୍ରମୁଖ ଭାବେ ସ୍ଥାନ ପାଇବ । ଭାରତୀୟ ବଜାରରେ ଅଧିକ ପ୍ରବେଶ ଅଧିକାର ଚାହୁଁଛି ବ୍ରିଟେନ୍ । ଗସ୍ତର ପ୍ରଥମ ଦିନରେ ଆଜି ଜନସନ୍ ଗୁଜରାଟ ଦୁଗ୍ଧ ଶିଳ୍ପ ପ୍ରତିନିଧିଙ୍କୁ ଭେଟିବେ ।