ଋଷରେ ପୁଣି କରୋନା କାଳ: ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୦୨୮,ଦେଶରେ ଦରମା ସହ ଛୁଟି ଘୋଷଣା କଲେ ରାଷ୍ଟ୍ରପତି

ମସ୍କୋ: ରୁଷରେ ପୁଣି କାୟା ମେଲାଇଲା କରୋନା । ସ୍ଥିତି ହେଲାଣି ଗୁରୁତର । ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ୭ ଦିନ କାମ ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଆସନ୍ତା ୩୦ରୁ ସାରା ଦେଶରେ କାମ ବନ୍ଦ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ଏବଂ ପରେ ଏହା ବୃଦ୍ଧି କରାଯିବାର ସମ୍ଭାବନା ରହିଛି । ତୁରନ୍ତ ସମସ୍ତ ନାଗରିକ ଟିକା ନେବା ଲାଗି ମଧ୍ୟ ପୁଟିନ ପରାମର୍ଶ ଦେଇଛନ୍ତି । ଗତ ୨୪ ଘଣ୍ଟାରେ ମୃତ୍ୟୁସଂଖ୍ୟା  ୧୦୨୮ହୋଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା କରୋନାରେ ପ୍ରାଣ ହରାଇଲେଣି ୨ ଲକ୍ଷ ୨୬ ହଜାରରୁ ଅଧିକ ଲୋକ ।

ସାରା ୟୁରୋପରେ ରୁଷର ମୃତ୍ୟୁ ସଂଖ୍ୟା ହୋଇଛି ସର୍ବାଧିକ । ପୁଟିନ କହିଛନ୍ତି ସଂକ୍ରମଣ ଦୃଷ୍ଟିରୁ କ୍ୟାବିନେଟରେ ଗୃହିତ ପ୍ରସ୍ତାବକୁ ସେ ସମ୍ମତି ଦେଇଛନ୍ତି । ବର୍ତ୍ତମାନ ଦେଶରେ ସପ୍ତାହର ୭ ଦିନ ମଧ୍ୟରୁ ୪ଦିନ ଅଣକାର୍ଯ୍ୟଦିବସ ଭାବେ ନିୟମ ଜାରି ରହିଛି । ଏହି ୪ ଦିନରୁ ୨ ଦିନ ରହିଛି ରାଷ୍ଟ୍ରୀୟ ଛୁଟିଦିନ । ଯେଉଁ ଅଞ୍ଚଳରେ କରୋନା ଗୁରୁତର ଆକାର ଧାରଣ କଲାଣି, ସେହି ସବୁ ସ୍ଥାନରେ ତୁରନ୍ତ କାମ ବନ୍ଦ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯିବ ।

ଅନେକ ଲୋକ ଏବେ ବି ଅତି ସଙ୍କଟଜନକ ସ୍ଥିତିରେ କରୋନା ମୁକାବିଲା କରୁଛନ୍ତି ଏବଂ ରିସ୍କ ନେଇ କାମ କରୁଛନ୍ତି । ତେବେ ଜାତୀୟ ତଥା ବୃହତ ସ୍ବାର୍ଥ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଉଛି ବୋଲି କୁହାଯାଇଛି । ଏହା ସହ ସ୍ବାସ୍ଥ୍ୟ ସେବା ପ୍ରତି ସର୍ବାଧିକ ଗୁରୁତ୍ବ ଦିଆଯିବ ବୋଲି ପୁଟିନ କହିଛନ୍ତି । ରୁଷର ୧୪୬ ନିୟୁତ ଲୋକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଟିକା ନେଇଛନ୍ତି ୪୫ ନିୟୁତ ଲୋକ । ଲକ୍ଷାଧିକ ଲୋକ ଏବେ ସଂକ୍ରମିତ ରହିଛନ୍ତି ।

Leave a Reply