ବାଇଡେନଙ୍କ ୟୁକ୍ରେନ ଗସ୍ତର ଗୋଟେ ଦିନ ପରେ ରୁଷ ସଂସଦରେ ରାଷ୍ଟ୍ରପତି ପୁଟିନଙ୍କ ସମ୍ବୋଧନ; ପାଶ୍ଚାତ୍ୟ ଦେଶ ଉପରେ ବର୍ଷିଲେ

ମସ୍କୋ: ପାଶ୍ଚାତ୍ୟ ଦେଶ ଉପରେ ଦୋଷ ଲଦିଲେ ଋଷ୍ ରାଷ୍ଟ୍ରପତି । ୟୁକ୍ରେନ ସହ ବିବାଦ ନିଆଁରେ ଘିଅ ଢାଳୁଛନ୍ତି ପାଶ୍ଚାତ୍ୟ ଦେଶ । ଆଞ୍ଚଳିକ ବିବାଦକୁ ବିଶ୍ବସ୍ତରୀୟ କରିବାରେ ଆମେରିକାର ଭୂମିକା । ଆଉ ଦୁଇ ଦିନ ପରେ ଋଷ ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୁରିବାକୁ ଯାଉଥିବା ବେଳେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନବାସୀଙ୍କ ସହ ତାଙ୍କର କୌଣସି ଶତ୍ରୁତା ନାହିଁ । ଯୁଦ୍ଧ ବିରାମ ପାଇଁ ଅନେକ ଥର ପ୍ରୟାସ କରାଯାଇଛି । ହେଲେ ୟୁକ୍ରେନକୁ ଆହୁରି ଅସ୍ତ୍ରଶସ୍ତ୍ର ଯୋଗାଇ ଶାନ୍ତି ଉଦ୍ୟମକୁ ଭଣ୍ଡୁର କରିଛି ଆମେରିକା । ୟୁକ୍ରେନ ମଧ୍ୟ ପାଶ୍ଚାତ୍ୟ ଦେଶରୁ ଅସ୍ତ୍ରଶସ୍ତ୍ର ଆଣି ନିଜକୁ ସବୁବେଳେ ଋଷ ସହ ଲଢିବାକୁ ପ୍ରସ୍ତୁତ ରହୁଛି ।

ନିଜ ପାଖରେ ପରମାଣୁ ଅସ୍ତ୍ରଶସ୍ତ୍ର ମହଜୁଦ କରିବା ପାଇଁ ଏବେବି ପ୍ରୟାସ ଜାରି ରଖିଛି ୟୁକ୍ରେନ୍ । ଏଭଳି କ୍ଷେତ୍ରରେ ଆମେ ଚାହିଁଲେ ବି ଶାନ୍ତି ସ୍ଥାପନା ହୋଇପାରୁନାହିଁ ବୋଲି ପୁଟିନ କହିଛନ୍ତି । ପାଶ୍ଚାତ୍ୟ ଦେଶ ପାଇଁ ୟୁକ୍ରେନ୍ ଉପରେ ଆକ୍ରମଣ କରିବାକୁ ଋଷ ବାଧ୍ୟ ହୋଇଛି । ୟୁକ୍ରେନରେ ରାଜନୈତିକ ଅସ୍ଥିରତା ରହୁଥିବା ବେଳେ ସେଭଳି ଦେଶକୁ ଆଣବିକ ଅସ୍ତ୍ରଶସ୍ତ୍ର ଯୋଗାଇବା ଆଦୌ ଠିକ୍ ନୁହେଁ । ଏଭଳି ସ୍ଥିତିରେ ସିଧାସଳଖ ଭାବେ ଋଷ୍ ପ୍ରଭାବିତ ହୋଇଥାନ୍ତା । ତେଣୁ ବାଧ୍ୟ ହୋଇ ଋଷ ଆକ୍ରମଣ କଲା ବୋଲି ପୁଟିନ୍ କହିଛନ୍ତି ।

ପୁଟିନ କହିଛନ୍ତି ମସ୍କୋ ନାଟୋ ସହ ଶାନ୍ତି ବାର୍ତ୍ତାର ପ୍ରସ୍ତାବ ଦେଇଥିଲା କିନ୍ତୁ ନାଟୋ ଏହା ଉପରେ ଉପଯୁକ୍ତ ପ୍ରତିକ୍ରିୟା ଦେଇନଥିଲା । ଡୋନବାସ ଅଞ୍ଚଳରେ ଶାନ୍ତି ସ୍ଥାପନ କରିବା ପାଇଁ ଆମେ ସବୁ ପ୍ରକାର ପ୍ରୟାସ କରିଥିଲୁ ଯାହା କି ୨୦୧୪ପରଠୁ ହିଁ ସମ୍ବେଦନଶୀଳ ରହିଥିଲା କିନ୍ତୁ ଆମ ପିଠି ପଛରେ ଅଲଗା ଷଡ଼ଯନ୍ତ୍ର ରଚାଯାଉଥିଲା । ପୁଟିନ କହିଛନ୍ତି, ୟୁକ୍ରେନ ଏବଂ ଡୋନବାସ ମିଛର ପ୍ରତୀକ ବନିଯାଇଛନ୍ତି । ପୁଟିନ ପଶ୍ଚିମୀ ଦେଶ ଉପରେ ଚୁକ୍ତିରୁ ପଛକୁ ହଟିବା, ଭୁଲ୍ ବୟାନବାଜୀ କରିବା ଏବଂ ନାଟୋର ବିସ୍ତାର କରିବା ନେଇ ଆରୋପ ଲଗାଇଛନ୍ତି ।

ପୁଟିନ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶଗୁଡ଼ିକ ହିଁ ଏହି ଯୁଦ୍ଧର ଦୋଷୀ ଅଟନ୍ତି ଏବଂ ଆମେ କେବଳ ଏହାକୁ ରୋକିବା ପାଇଁ ସେନାର ଉପଯୋଗ କରୁଛୁ । ରୁଷ ରାଷ୍ଟ୍ରପତି ନିଜ ସମ୍ବୋଧନରେ ଦାବି କରି କହିଥିଲେ ଯେ, ୟୁକ୍ରେନର ଲୋକ ନିଜର ପଶ୍ଚିମୀ ଆକାମାନଙ୍କ ପାଖରେ ବନ୍ଧକ ହୋଇଯାଇଛନ୍ତି । ପଶ୍ଚିମୀ ଦେଶ ୟୁକ୍ରେନର ରାଜନୀତି, ଅର୍ଥବ୍ୟବସ୍ଥା ଏବଂ ସେନା ଉପରେ କବଜା କରି ନେଇଛି । ପୁଟିନ ୟୁକ୍ରେନର ବର୍ତ୍ତମାନର ସରକାର ଉପରେ ଆରୋପ ଲଗାଇଥିଲେ ଯେ ସେମାନେ ନିଜ ଦେଶର ହିତ ଦେଖୁନାହାନ୍ତି ଏବଂ ବିଦେଶୀ ଶକ୍ତିମାନଙ୍କ ହିତ ପାଇଁ କାମ କରୁଛନ୍ତି । ଆମକୁ ଚ୍ୟାଲେଞ୍ଜ କରାଯାଉଛି, ହେଲେ ଆମେ ପଛକୁ ହଟିବୁ ନାହିଁ । ଆମର ସଂସକୃତିକୁ ଯିଏ କ୍ଷତି ପହଞ୍ଚାଇବାକୁ ଚାହୁଁଛନ୍ତି ତାଙ୍କୁ ଜବାବ ଦିଆଯିବ ।

ସେ ଆଗକୁ କହିଥିଲେ ଯେ ଆମେ ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଥିଲୁ କିନ୍ତୁ ଆମେରିକା ସମେତ ପଶ୍ଚିମ ଦେଶଗୁଡିକ କାମ ବିଗାଡ଼ି ଦେଇଥିଲେ । ରୁଷ ରାଷ୍ଟ୍ରପତି କହିଥିଲେ, ଆମେରିକା ୟୁକ୍ରେନରେ ସେହି ଖେଳ ଖେଳୁଛି ଯେଉଁ ଖେଳ ସେ ଇରାକ ଏବଂ ସିରିଆ ଭଲି ଦେଶରେ କରିଥିଲା । ଆମ ପାଇଁ ଯୁଦ୍ଧ ଶେଷ ବିକଳ୍ପ ଥିଲା, ଯାହା ଉପରେ ଆମକୁ ନିଷ୍ପତ୍ତି ନେବାକୁ ପଡ଼ିଥିଲା । ଆମେ କୌଣସି ପ୍ରକାର ସଂଘର୍ଷ ଚାହୁଁନୁ ହେଲେ ପଶ୍ଚିମୀ ଦେଶ ଏଭଳି ସ୍ଥିତି ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି ରୁଷ୍ ରାଷ୍ଟ୍ରପତି ପୁଟିନ ।

ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ୍ ଆସି ଜେଲେନସ୍କିଙ୍କୁ ଭେଟିଥିବା ବେଳେ ୟୁକ୍ରେନର ଆତ୍ମବିଶ୍ବାସକୁ ଦୃଢ କରିଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ ଆହୁରି ଅସ୍ତ୍ରଶସ୍ତ୍ର ୟୁକ୍ରେନରେ ପହଞ୍ଚିବ ବୋଲି ବାଇଡେନ ପ୍ରତିଶ୍ରୁତି ଦେଇଛନ୍ତି । ଯାହା ଯୁଦ୍ଧକୁ ଶେଷ ନକରିବା ପାଇଁ ଆମେରିକା ବଡ଼ ଷଡ଼ଯନ୍ତ୍ର କରୁଛି ବୋଲି ପୁଟିନ୍ କହିଛନ୍ତି । ଗୋଟିଏ ଗରିବ ଦେଶକୁ ଯେତିକି ଅର୍ଥ ସହଯୋଗ କରାଯାଇନି । ତାଠୁ ଅଧିକ ଅର୍ଥ କେବଳ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର କିଣିବାକୁ ଦିଆଯାଇଛି ବୋଲି ପୁଟିନ କହିଛନ୍ତି ।