ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ୩ ମୃତ, ସ୍ୱାମୀ, ସ୍ୱୀ ଓ ଶିଶୁ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ ୧୬ ନମ୍ୱର ଜାତୀୟ ରାଜପଥର ନେଉଳପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅକାଳରେ ଚାଲିଗଲା ୩ ଜୀବନ ।  ଗୋଟିଏ ଆମ୍ୱୁଲାନ୍ସ ଏକ ବାଇକ୍‌କୁ ଧକ୍କା ଦେବା ଫଳରେ ଶୁକ୍ରବାର ଅପରାହ୍ନଣେ ୩ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ତାଙ୍କର ଜଣେ ଶିଶୁ ଅଛନ୍ତି । ମିଳିଥିବା ସୂଚନା ମୁତାବକ ରାସ୍ତାକାମ ଯୋଗୁଁ ସବୁ ଯାନବାହନ ଗୋଟିଏ ପାଖ ଦେଇ ଯାଉଥିଲେ । ଅପରାହ୍ଣ ସମୟରେ ସମାନ ରାସ୍ତାରେ ଯାଉଥିବା ଆମ୍ୱୁଲାନ୍ସ ଓ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ବାଇକରେ ଥିବା ୩ ଜଣ ଧକ୍କା ଖାଇବା ପରେ ତଳେ ପଡ଼ିଯାଇଥିଲେ । ଏବଂ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ରହିଛି । ତେବେ ଏଯାବତ୍ ମୃତକଙ୍କ ପରିଚୟ ମିଳିପାରିନାହିଁ । ଏଥିସହିତ ଆମ୍ବୁଲାନ୍ସ ରେ ଥିବା ରୋଗୀଙ୍କୁ ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ ବଡ଼ଚଣା ମେଡିକାଲ ରେ ଭର୍ତି କରିଛନ୍ତି । ତେବେ ଦୁର୍ଘଟଣା ପରେ ଆମ୍ୱୁଲାନ୍ସ ଡ୍ରାଇଭର ସେଠାରୁ ଚମ୍ପଟ ମାରିଛନ୍ତି । ଅପରପକ୍ଷରେ ଘଟଣା ସମ୍ପର୍କରେ ସୂଚନା ପାଇଁ ୩ ମୃତଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି ପୋଲିସ ।

 

Leave a Reply