ପୁରୁଣା ମାଲିକଙ୍କୁ ଭେଟିବା ପାଇଁ ୬୪କିମି. ଚାଲିଚାଲି ଗଲା କୁକୁର

1 min read

ମାଲିକ ପାଇଁ ତା’ କୁକୁର ସବୁବେଳେ ବିଶ୍ୱସ୍ତ ହୋଇରହିଥାଏ । ଏଇ ଯେମିତି ଆୟଲାଣ୍ଡର ଏକ କୁକୁର ‘କୁପର’ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ କୁପର ନିଜ ପୁରୁଣା ମାଲିକକୁ ଭେଟିବା ପାଇଁ ଭୋକ ଉପାସରେ ୬୪ କିମି. ଚାଲିଚାଲି ଯାଇଛି ।

ଦ ସନ୍ ୱେବସାଇଟର ରିପୋର୍ଟ ଅନୁଯାୟୀ, ଉତ୍ତର ଆୟଲାଣ୍ଡର ଡନଗାନନ ସହରରେ ଏକ କୁକୁର ପ୍ରାୟ ୬୪ କିମି. ଚାଲିଚାଲି ନିଜ ମାଲିକ ପାଖରେ ପହଞ୍ଚିଛି । ଏଥିପାଇଁ ଗୋଲଡେନ୍ ରିଟ୍ରୀବର ପ୍ରଜାତିର ଏହି କୁକୁରକୁ ୨୭ ଦିନ ଲାଗିଥିଲା।

କୁପରର କାହାଣୀ ଆରମ୍ଭ ହୋଇଛି ଟୋବରମୋର ଅଞ୍ଚଳରୁ । ଏହି ସହରରେ କୁପରର ପିଲାଦିନ କଟିଥିଲା । ପରେ ମାଲିକ କୁପର ଓ ତା’ ଭାଇ ଜର୍ଜକୁ ଏକ pet shopରେ ବିକି ଦେଇଥିଲେ । ପରବର୍ତ୍ତୀ ସମୟରେ ଟୋବରମୋରରୁ ୬୪ କିମି. ଦୂରରେ ରହୁଥିବା ନାଇଜିଲ୍ ନାମକ ଜଣେ ଫଟୋଗ୍ରାଫର କୁପରକୁ କିଣି ନେଇଥିଲେ ।

ଯଦିଓ କୁପରକୁ ଏକ ନୂଆ ଘର ସହ ନୂଆ ସାଥୀ ମିଳିଥିଲା, ତଥାପି ସେ ପୁରୁଣା ସ୍ମୃତିକୁ ଭୁଲି ପାରିନଥିଲା । କିଛି ଦିନ ପରେ ନାଇଜିଲ୍  ପୋଷା କୁକୁର ମୋଲି ଓ କୁପରକୁ ବାହାରକୁ ନେଇଥିଲେ ବୁଲାଇବା ପାଇଁ । ଏହି ସମୟରେ ଗାଡ଼ିରୁ ବାହାରିବା ପରେ ହଟାତ୍ କ୍ଷୀପ୍ର ଗତିରେ କେଉଁଆଡେ ଉଭାନ ହୋଇଯାଇଥିଲା ସେ । ବହୁ ଖୋଜାଖୋଜି ପରେ ନମିଳିବାରୁ ନାଇଜିଲ୍ ତା’ର ନିଖୋଜ ରିପୋର୍ଟ ଦେଇଥିଲେ । ଏଥିସହ ଲଷ୍ଟ ପଜ୍ ନାମକ ସଂସ୍ଥା ସହ ମିଶି ଖୋଜିବା ସଙ୍ଗେସଙ୍ଗେ ତା’ର ପୋଷ୍ଟର ମଧ୍ୟ ସବୁଠି ଲଗାଇଥିଲେ ।

ଏପ୍ରିଲ୍ ୨୬ରେ ଉକ୍ତ ସଂସ୍ଥାକୁ ଖବର ଆସିଥିଲା,  କୁପରକୁ ଟୋବରମୋର ଅଞ୍ଚଳରେ ଦେଖାଯାଇଛି । ଘଟଣା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇପଡିଥିଲେ ନାଇଜିଲ୍ ଓ ସମ୍ପୃକ୍ତ ସଂସ୍ଥା । କାରଣ ୬୪ କିମି. ଯାତ୍ରା କରି ପୁରୁଣା ମାଲିକ ପାଖକୁ ଯିବା ପାଇଁ କୁପରକୁ ମୁଖ୍ୟ ରୋଡ, ଜଙ୍ଗଲ, ପଡ଼ିଆ, କଣ୍ଟ୍ରୀ ରୋଡ୍ ଓ ଟ୍ରାଫିକ୍ ଆଦି ଅତିକ୍ରମ କରି ଯିବାକୁ ପଡିଥିବ ।

ଏନେଇ ନାଇଜିଲ୍ କହିଛନ୍ତି, କୁପର ଏବେ ଘରକୁ ଫେରିଆସିଛି । ଧିରେଧିରେ ଖାଇବା ପିଇବା ଆରମ୍ଭ କରିଛି ।