ବିଲଡରଙ୍କ ପାଖରୁ ପ୍ଲଟ କି ଫ୍ଲାଟ କିଣୁଥିଲେ ଦେଖନ୍ତୁ ରେରା ପଞ୍ଜୀକୃତ କି ନାହିଁ: ନହେଲେ ଜମି ଯିବ, ଟଙ୍କା ବି ଯିବ

1 min read

ଭୁବନେଶ୍ବର: ରିଅଲ ଇଷ୍ଟେଟ କାରବାରକୁ ସ୍ବଚ୍ଛ କରିବା ପାଇଁ ରେରା ଆଇନ ଆସିବା ପରେ କେବଳ ବେଆଇନ ଆପାର୍ଟମେଣ୍ଟ ନୁହେଁ, ବେଆଇନ ପ୍ଲଟ କାରବାର ଉପରେ ବି ଲାଗିଛି ଅଙ୍କୁଶ । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଅଞ୍ଚଳର ଏକ ଅଣ ପଞ୍ଜୀକୃତ ପ୍ଲଟିଂ ସ୍କିମର ବିକ୍ରି କବଲା ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରେରା କୋର୍ଟ । ଏଥିସହ ବେଆଇନ ଭାବେ ଜମି ପଞ୍ଜୀକରଣ କରିଥିବା ଯୋଗୁଁ ବାଲିଅନ୍ତାର ପୂର୍ବତନ ସବ୍-ରେଜିଷ୍ଟ୍ରାର ଏବଂ ଏବେକାର ସବ୍-ରେଜିଷ୍ଟ୍ରାରଙ୍କ ବିରୋଧରେ ଆକ୍ସନ ନେବାକୁ ଆଇଜିଆରଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ବାଲିଅନ୍ତା ଭଳି ରାଜ୍ୟର ଅନ୍ୟ କେଉଁଠି କିପରି ବେଆଇନ ଭାବେ ଅଣ ପଞ୍ଜୀକୃତ ପ୍ଲଟେଡ ସ୍କିମ ବିକ୍ରି ନହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ରେରା କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ ।

ରାଜଧାନୀ କିମ୍ବା ରାଜ୍ୟର କୌଣସି ସହରରେ ପ୍ଲଟ କିଣୁଛନ୍ତି କି ? କୌଣସି ବିଲଡରଙ୍କଠାରୁ ପ୍ଲଟ କିଣିବା ପୂର୍ବରୁ ଏହା ରେରା ପଞ୍ଜୀକୃତ କି ନାହିଁ ଜାଣିବା ଜରୁରୀ । ନ ହେଲେ ଜମି ବି ଯିବ ଆଉ ଜମି ପାଇଁ ଦେଇଥିବା ଅର୍ଥ ବି ବୁଡ଼ିବ । ବାଲିଅନ୍ତା ତହସିଲର ପ୍ରତାପଶାସନ ମୌଜା । ପ୍ଲଟ ନମ୍ବର ୪୬୪୩, ଖାତା ନମ୍ବର ୮୯୯ । ଚକ କିସମର ଜମିକୁ ମନଇଚ୍ଛା ଭାଙ୍ଗି ପ୍ଲଟିଂ ସ୍କିମ କରି ବିକ୍ରି ହୋଇଥିଲା । ଏହି ପ୍ଲଟେଡ ସ୍କିମ ରେରା ପାଖରେ ପଞ୍ଜୀକୃତ ହୋଇ ନଥିଲା । କ୍ରେତା ଏହା ଜାଣି ନପାରି ୨୦୨୧ରେ ଜମି ଖଣ୍ଡେ କିଣିଥିଲେ । ଘର କରିବାକୁ ବ୍ୟାଙ୍କକୁ ଋଣ ପାଇଁ ଗଲାବେଳେ ଜଣାପଡ଼ିଥିଲା ସତ । ଏହାପରେ କ୍ରେତା ରେରା କୋର୍ଟର ଦ୍ବାରସ୍ଥ ହୋଇଥିଲେ । ମାମଲାର ବିଚାର କରି ରେରା କୋର୍ଟ ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ, ସଦସ୍ୟ ଗୋପାଳ ପଟ୍ଟନାୟକ ଓ ପ୍ରଦୀପ ବିଶ୍ବାଳ ଏହି ବିକ୍ରି କବଲାକୁ ବାତିଲ କରିଛନ୍ତି । କେବଳ କବଲା ବାତିଲ କରିନାହାନ୍ତି, କବଲା ପଞ୍ଜୀକୃତ କରିଥିବା ବାଲିଅନ୍ତା ପୂର୍ବତନ ଓ ଏବେକାର ସବ୍ ରେଜିଷ୍ଟ୍ରାରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଆଇଜିଆରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆପାର୍ଟମେଣ୍ଟ ଭଳି ୮ରୁ ଊର୍ଦ୍ଧ୍ବ ପ୍ଲଟ ଥିଲେ ଏହାକୁ ରେରା କୋର୍ଟରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ । ତେଣୁ ପ୍ଲଟ କିଣିବା ପୂର୍ବରୁ କ୍ରେତାମାନେ ପ୍ଲଟେଡ ସ୍କିମ୍ ରେରା ପାଖରେ ପଞ୍ଜୀକୃତ ହୋଇଛି କି ନାହିଁ ଯାଞ୍ଚ ହେବା ଜରୁରୀ ବୋଲି କହିଛନ୍ତି ରେରା ଆକ୍ଟିଭିଷ୍ଟ ।

୨୦୧୮ରୁ ୫ ଶହ ବର୍ଗମିଟରରୁ ଅଧିକ ପ୍ଲଟେଡ ସ୍କିମ ରେରାରେ ପଞ୍ଜୀକୃତ ହେବା ଜରୁରୀ ବୋଲି ବିଜ୍ଞପ୍ତି ବାହାରିଥିବା ବେଳେ ୨୦୨୧ରେ ବାଲିଅନ୍ତା ସବ୍-ରେଜିଷ୍ଟର ଏହାକୁ ଅବଜ୍ଞା କରିଥିଲେ । କେବଳ ଏହି ଗୋଟିଏ ପ୍ଲଟ ନୁହେଁ, ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା, ହଂସପାଳ, ଉତ୍ତରା, ସୁନ୍ଦରପଦା, ଖଣ୍ଡଗିରି, ଚନ୍ଦକା ଅଞ୍ଚଳରେ ଅନେକ ବିଲଡର ବିନା ପଞ୍ଜୀକରଣରେ ଲୋକଙ୍କୁ ପ୍ଲଟ ବିକି ଚାଲିଛନ୍ତି । ରାଜଧାନୀରେ ଖଣ୍ଡେ ପ୍ଲଟ ପାଇଁ ସ୍ବପ୍ନ ଦେଖୁଥିବା ଲୋକମାନେ ବାସ୍ତବ ସ୍ଥିତି ଯାଞ୍ଚ ନ କରି ଲକ୍ଷ ଲକ୍ଷ ଟଙ୍କା ଦେଇ ଜମି କିଣି ଫସୁଛନ୍ତି । ବିଲଡରମାନେ ମଧ୍ୟ ପ୍ଲଟ ବିକ୍ରି କରିବା ଚକ୍କରରେ ଆଇନ କାନୁନକୁ ମାନୁ ନଥିବା ଦେଖାଯାଉଛି । ରେରା ଆଇନ ଆସିବା ପରେ ଜମି କାରବାରକୁ ସ୍ବଚ୍ଛ କରିବା ପାଇଁ ଅଣ୍ଟା ଭିଡ଼ିଛି ରେରା କୋର୍ଟ । ବିଲଡରମାନେ ମଧ୍ୟ ଗ୍ରାହକଙ୍କୁ ପ୍ରତିଶ୍ରୁତି ଅନୁସାରେ କାମ କରିବା କଥା ବୋଲି ଓଡ଼ିଶା କ୍ରେଡାଇ ପୂର୍ବତନ ସଭାପତି ଡି.ଏସ୍. ତ୍ରିପାଠୀ କହିଛନ୍ତି ।

ପ୍ଲଟେଡ ସ୍କିମରେ ଗ୍ରାହକ କିଣୁଥିବା ଜମିରେ ବିଜୁଳି, ସଡ଼କ, ପାଣିର ସୁବିଧା ଯୋଗାଇବା ଦାୟିତ୍ବ ସଂପୃକ୍ତ ବିଲଡର ସଂସ୍ଥାର । ସେଥିପାଇଁ ପ୍ଲଟର ଦର ମଧ୍ୟ ଅଧିକ ରହିଥାଏ । ଏଥିପାଇଁ ପ୍ଲଟେଡ ସ୍କିମ ରେରା ପଞ୍ଜୀକରଣ ଜରୁରୀ । ହେଲେ କିଛି ବିଲଡର ଏଥିରେ ଉଲ୍ଲଙ୍ଘନ କରୁଥିବାରୁ ରେରା କୋର୍ଟଙ୍କ ନିର୍ଦ୍ଦେଶ ସ୍ବଚ୍ଛ କାରବାର ପାଇଁ ବାଟ ଫିଟାଇବ ବୋଲି ଆଶା ରହିଛି ।