ଗାଜା ଯୁଦ୍ଧରେ ଭାରତୀୟଙ୍କ ମୃତ୍ୟୁ, ଜାତିସଂଘ ପାଇଁ କରୁଥିଲେ କାମ

ନୂଆଦିଲ୍ଲୀ : ଗାଜା ଯୁଦ୍ଧରେ ବଳି ପଡୁଛନ୍ତି ଭାରତୀୟ ।  ପୁଣି ଜାତିସଂଘ ପାଇଁ କାମ କରୁଥିବା ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗାଜାର ରଫାରେ ମିଳିତ ଜାତିସଂଘର ଏକ ଗାଡିକୁ ନିଶାନା କରି ଆକ୍ରମଣ ହୋଇଥିଲା । ଯେଉଁଥିରେ ଜାତିସଂଘର ସୁରକ୍ଷା ବିଭାଗ (ଡିଏସଏସ)ର ଜଣେ ଭାରତୀୟ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ଘଟଣାରେ ଏଯାଏଁ ମୃତ ଭାରତୀୟ ଜଣଙ୍କ ପରିଚୟ ମିଳିପାରି ନାହିଁ । ସୂଚନା ଅନୁଯାୟୀ ସେ ଭାରତୀୟ ସେନାର ପୂର୍ବତନ ସୈନିକ ଥିବା ଅନୁମାନ କରାଯାଉଛି ।

ଅନ୍ୟପକ୍ଷେ ଜାତିସଂଘର ମହାନିର୍ଦ୍ଦେଶକ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍  ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି  ଏବଂ ଏହି ଆକ୍ରମଣକୁ ନିନ୍ଦା କରିବା ସହ ପୂରା ଘଟଣାର ଯାଞ୍ଚ କରିବାକୁ ନର୍ଦ୍ଦେଶ ଦେଇଛନ୍ତି । ସେ ମୃତ ଭାରତୀୟଙ୍କ ପରିବାର ପାଇଁ ସମବେଦନା ଜଣାଇଛନ୍ତି । ସେ କହିଛନ୍ତି, ଗାଜାରେ ହେଉଥିବା ଆକ୍ରମଣରେ କେବଳ ନାଗରିକ ନୁହଁନ୍ତି ଏପରିକି ମାନବୀୟ କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି । ଯୁଦ୍ଧ ବିରାମ ଏବଂ ସେ ସମସ୍ତ ବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ସେ ପୁନର୍ବାର ଅପିଲ କରିଛନ୍ତି ।