ରାଜ୍ୟରେ ରେକର୍ଡ ପରିମାଣ ଜିଏସଟି ଆଦାୟ

1 min read

ଭୁବନେଶ୍ବର: ରାଜ୍ୟରେ ବଢୁଛି ଜିଏସଟି ଆଦାୟ । ଏଥିରେ ଖଣିକ୍ଷେତ୍ରର ରହିଛି ସିଂହଭାଗ ଅବଦାନ । ଟିକସ ଫାଙ୍କି ଉପରେ ହେଉଛି ଜୋରଦାର ଚଢ଼ାଉ । ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ମାସରେ ରେକର୍ଡ ପରିମାଣର ଜିଏସଟି ଆଦାୟ ହୋଇଛି । ରାଜ୍ୟ ଜିଏସଟି ଗତବର୍ଷ ଏପ୍ରିଲ ତୁଳନାରେ ଏଥର ୫୨ ପ୍ରତିଶତ ବୃଦ୍ଧି ପାଇଛି । ଗତବର୍ଷ ଏପ୍ରିଲ ମାସରେ ୧୧ଶହ ୨୬ କୋଟି ୬୭ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ ଏଥର ୫୨ ପ୍ରତିଶତ ବୃଦ୍ଧି ପାଇ ୧୭ ଶହ ୧୪ କୋଟି ୭୮ ଲକ୍ଷ ଟଙ୍କା ଆଦାୟ ହୋଇଛି ।

ସେହିପରି ଗ୍ରସ ଜିଏସଟି ୩୮୪୯ କୋଟି ୪୯ ଲକ୍ଷରୁ ୨୮ ପ୍ରତିଶତ ବୃଦ୍ଧି ପାଇ ୪ ହଜାର ୯୧୦ କୋଟି ୨୩ ଲକ୍ଷରେ ପହଞ୍ଚିଛି । କେନ୍ଦ୍ରୀୟ ଜିଏସଟି ଆଦାୟରେ ବି ୧୮ ପ୍ରତିଶତ ବୃଦ୍ଧି ହୋଇଛି । ନୂଆ ଖଣି ଲିଜ୍ ଏବଂ ଅଧିକ ଖଣି କାରବାର ଯୋଗୁଁ ମାଇନିଂ ସେକ୍ଟରର ରହିଛି ଅଧିକ ଅବଦାନ । ଜିଏସଟି କର୍ତ୍ତୃପକ୍ଷଙ୍କ ଉତ୍ତମ ପରିଚାଳନା, ଲଗାତାର ଚଢାଉ ସହ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଯୋଗୁଁ ଜିଏସଟି ଆଦାୟ ବଢ଼ିଛି ବୋଲି ଜିଏସଟି କମିଶନର କହିଛନ୍ତି ।

ଟିକସ ଫାଙ୍କିବାର ବାଟ ବନ୍ଦ ହେଉଛି । କିଏ କେତେ ବେପାର କରୁଛି, ଲୋକଙ୍କଠାରୁ ଟିକସ ନେଇ କିଏ ଜମା କରୁନାହିଁ, ବୈଷୟିକ ଜ୍ଞାନ କୌଶଳ ସାହାଯ୍ୟରେ ଏସବୁ ଆନାଲାଇଜ୍ କରାଯାଉଛି । ଯେଉଁଠି ବ୍ୟତିକ୍ରମ ହେଉଛି, ଜିଏସଟି କର୍ତ୍ତୃପକ୍ଷ ସେଠି ଯାଞ୍ଚ କରିବା ସହ ଜରିମାନା ଆଦାୟ କରୁଛନ୍ତି । ଲଗାତାର ଚଢାଉ ସହ ବ୍ୟବସାୟୀଙ୍କୁ ସବୁବେଳେ ସେଚେତନ କରାଯାଉଛି । ୨ ବର୍ଷ ତଳେ ୬୦ ପ୍ରତିଶତ ଟିକସ ଦାତା ଜିଏସଟି ପରିସରକୁ ଆସିଥିଲେ । ଏବେ ଏହି ସଂଖ୍ୟା ୯୦ ପ୍ରତିଶତରେ ପହଞ୍ଚିଲାଣି ।

ଜିଏସଟି ଆଦାୟ ରେକର୍ଡ ପରିମାଣର ବୃଦ୍ଧି ପାଇଁ ଖଣି କ୍ଷେତ୍ରର ଅବଦାନ ସବୁଠାରୁ ଅଧିକ । ଖଣି କାରବାରରୁ ଜିଏସଟି ଆଦାୟ ୧୭୯ ପ୍ରତିଶତ ବଢିଥିବା ବେଳେ ନିର୍ମାଣ କ୍ଷେତ୍ରରେ ୨୭୦ ପ୍ରତିଶତ ଏବଂ ଅନ୍ୟ ବ୍ୟବସାୟ କ୍ଷେତ୍ରରେ ୧୦୫ ପ୍ରତିଶତ ବୃଦ୍ଧି ହୋଇଛି । ଫାଇଭ-ଟି ନୀତି ଆଧାରରେ ଅଭିଯୋଗ ସମାଧାନ ନିର୍ଦ୍ଦିଷ୍ଟ ସମୟ ସୀମାରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।