ଅସମ୍ଭାଳ ଖରା, ସମ୍ଭାବ୍ୟ ବାତ୍ୟା ଭୟ: ବଦଳିବ କି ଖରାଛୁଟି ନିର୍ଦ୍ଦେଶନାମା

ଭୁବନେଶ୍ବର: କରୋନା ପାଇଁ ଦୁଇ ବର୍ଷ ହେଲା ଠିକରେ ହେଇପାରିନି କ୍ଲାସରୁମ୍ ପାଠପଢା । ବଳକା କୋର୍ସ ସାରିବାକୁ ମେ’ ମାସ ଖରା ଛୁଟି ବାତିଲ କରାଯାଇ ଜୁନ୍ ୬ରୁ ୧୬ ଯାଏଁ ଘୋଷଣା କରାଯାଇଛି । ତେବେ ପ୍ରବଳ ଖରା ସାଙ୍ଗକୁ ସମ୍ଭାବ୍ୟ ବାତ୍ୟା ନେଇ ଖରା ଛୁଟିରେ ବଦଳିବା ସମ୍ଭାବନା ଦେଖାଦେଇଛି । ଆଜିଠୁ ଖରା ଯୋଗୁଁ ସକାଳ ୬ରୁ ୯ ଯାଏଁ କ୍ଲାସ ହେଉଛି । ଏହା ମେ’ ୧୬ ଯାଏଁ କରିବାକୁ ନିଷ୍ପତ୍ତି ହୋଇଛି । ହେଲେ ଖରା ଓ ଅସମ୍ଭାଳ ଗୁଳୁଗୁଳି ଯୋଗୁଁ ଛୁଟି କାଟ ନିଷ୍ପତ୍ତି କୋହଳ କରିବାକୁ ଚିନ୍ତା କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ମେ’ ୧୭ରୁ ୩୦ ଯାଏଁ ଖରା ଛୁଟି କରାଯାଇପାରେ । ଏପରି ହେଲେ ଜୁନ୍ ମାସ ଖରା ଛୁଟି ବାତିଲ କରାଯାଇ ମେ ୩୧ରୁ ପାଠପଢା ଚାଲିବ । ତେବେ ତିନି ଦିନ ରଜ ଛୁଟି ପାଇବେ ଛାତ୍ରଛାତ୍ରୀ । ରାଜ୍ୟ ସରକାର ଯଦି ଖରା ଛୁଟି ସୂଚୀ ଏପରି ଭାବେ ପରିବର୍ତ୍ତନ କରନ୍ତି, କୋର୍ସ ସାରିବାକୁ ସମସ୍ୟା ହେବ ନାହିଁ ବୋଲି ଶିକ୍ଷକଙ୍କ ମହଲରୁ ମତ ପ୍ରକାଶ ପାଇଛି ।

ଖରା ଛୁଟି କାଟ ସମୟରୁ ହିଁ ଅଭିଭାବକମାନେ ସଂଶୋଧନ ଦାବି କରୁଥିଲେ । ମେ’ ମାସରେ ଖରା ପ୍ରଖର ଥିବାବେଳେ ଜୁନରେ ପାଗରେ ପରିବର୍ତ୍ତନ ଆସେ । ତେଣୁ ମେ’ ମାସରେ ଛୁଟି କରି ଜୁନରେ କ୍ଲାସ କରିବାକୁ ଦାବି କରିଥିଲେ ଅଭିଭାବକ ।

ମେ’ ମାସରେ ଛୁଟି ହେଲେ, ସେହି ସମୟ ଭିତରେ ସ୍ବତନ୍ତ୍ର ପୁସ୍ତିକା ପ୍ରସ୍ତୁତ କରିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । କୋରନା ଯୋଗୁଁ ଦୁଇ ବର୍ଷରେ ଯେଉଁ ୩୦ ପ୍ରତିଶତ ପାଠ ବାଦ୍ ଦିଆଯାଇଥିଲା, ତାହା ଏହି ସ୍ବତନ୍ତ୍ର ପୁସ୍ତିକାରେ ପ୍ରକାଶ କରି ଛାତ୍ରଛାତ୍ରୀଙ୍କୁ ପଢା ଯାଇପାରିବ ।