ଓଡ଼ିଶା ଉପକୂଳରେ ହିଟ୍ କରିବ ବାତ୍ୟା ଆସାନୀ

ଭୁବନେଶ୍ବର: ଦିନକ ପରେ ଦକ୍ଷିଣ ଆଣ୍ଡାମାନ ସାଗରରେ ପଡ଼ିପାରେ ସମ୍ଭାବ୍ୟ ବାତ୍ୟା ‘ଆସାନୀ’ର ମୂଳଦୁଆ । ଲଘୁଚାପ ହେବା ନେଇ ନିଶ୍ଚିତ ହୋଇଛି ଭାରତୀୟ ପାଣିପାଗ ବିଭାଗ । କିନ୍ତୁ ବାତ୍ୟା ରୂପରେଖ ନେଇ ଏଯାଏଁ ସ୍ପଷ୍ଟ ହୋଇନି ଚିତ୍ର । ୫ ତାରିଖରୁ ବଙ୍ଗୋପସାଗରରେ ବଦଳିବ ପାଗ । ଲଘୁଚାପ ପରେ ଜଣାପଡ଼ିବ ସମ୍ଭାବ୍ୟ ବାତ୍ୟାର ଲ୍ୟାଣ୍ଡଫଲ ଡେଷ୍ଟିନେସନ । ଅଧିକାଂଶ ମଡେଲର ଆକଳନ କହୁଛି, ଓଡ଼ିଶା ଉପକୂଳରେ କରିବ ହିଟ୍‌ ।

ବାତ୍ୟା ପାଇଁ ଅନୁକୂଳ ହେଉଛି ପାଗ । ବଙ୍ଗୋପସାଗରରେ ଏକାଠି ହେଉଛି ମେଘଖଣ୍ଡ । ସାଟେଲାଇଟ୍‌ରୁ ମିଳିଲା ଚିତ୍ର । ଦିନକ ପରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ ଘଣ୍ଟାରେ ନେବ ଲଘୁଚାପର ରୂପ । ସାମ୍ଭାବ୍ୟ ବାତ୍ୟା ନେଇ ଆଇଏମ୍‌ଡିର ଘନଘନ ବୈଠକ । ସିଷ୍ଟମ୍ ଉପରେ ତୀକ୍ଷ୍ନ ନଜର । ଆସନ୍ତା ୬ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବା ନିଶ୍ଚିତ ହୋଇଛି । ଏହା ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ଏବଂ ବାତ୍ୟାରେ ପରିଣତ ହେବାର ଅଧିକ ଆଶଙ୍କା ଦେଖାଦେଇଛି । ପାଣିପାଗ ମଡେଲ ଓ୍ବିଣ୍ଡି ପକ୍ଷରୁ ଜାରି ହୋଇଥିବା ଗ୍ରାଫିକ୍ସ ଅନୁସାରେ ବାତ୍ୟାଟି ଅତି ତ୍ରୀବ୍ର ବେଗରେ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ । କିନ୍ତୁ ଲଘୁଚାପ ପରେ ଏହାର ଗତିପଥ ଏବଂ ତୀବ୍ରତା ଜଣାପଡ଼ିବ । ସେପଟେ ସାମ୍ଭାବ୍ୟ ଲଘୁଚାପ ସୃଷ୍ଟି ପରେ ବାତ୍ୟା ସମ୍ପର୍କରେ ଚିତ୍ର ସ୍ପଷ୍ଟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପାଣିପାଗ ବିଜ୍ଞାନୀ ଆର.କେ ଜେନାମଣି କହିଛନ୍ତି ।

ସେପଟେ ବାତ୍ୟା ପାଇଁ ପାଗ ଅନୁକୁଳ ଥିବା କହିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ଦୁଇ ତିଦି ଦିନ ମଧ୍ୟରେ ବାତ୍ୟାର ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ । ଏପ୍ରିଲରେ ଦାନା ବାନ୍ଧି ମେ’ ୫ ତାରିଖରେ ସ୍ଥଳଭାଗ ଛୁଇଁଥିବା ବାତ୍ୟା ଫନିର ଉତ୍ପତ୍ତି ଏବଂ ଆସାନୀର ଉତ୍ପତି ସ୍ଥଳ ଭିନ୍ନ ଭିନ୍ନ ହୋଇପାରେ । ତେଣୁ ଆସାନୀ ସେତେ ପ୍ରଭାବୀ ହୋଇ ନପାରେ ବୋଲି ଆକଳନ କରାଯାଉଛି । କିନ୍ତୁ ବାତ୍ୟା ସମୟରେ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ଅନ୍ୟପଟେ ଓଡ଼ିଶାରେ ଆଜି ସାମାନ୍ୟ ତାତି ବଢିଥିବା ବେଳେ ଲୋକ ଅସହ୍ୟ ଗୁଳୁଗୁଳୁରେ ସନ୍ତୁଳି ହେଉଛନ୍ତି । ସେହିପରି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି ।

ଯଦି ଲଘୁଚାପ ବାତ୍ୟାରେ ପରିଣତ ହୁଏ, ତେବେ ତା’ର ପ୍ରଭାବ ଉପକୂଳ ଓଡ଼ିଶାରେ ପଡିବ । ବିଶେଷକରି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଞ୍ଜରେ ବର୍ଷା ଓ ପବନ ହେବ ।