ଆକାଂକ୍ଷୀ ଜିଲ୍ଲା ସମୀକ୍ଷା: ସରକାରୀ ନା ଦଳୀୟ କାର୍ଯ୍ୟକ୍ରମ ?

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀମାନଙ୍କର ଆକାଂକ୍ଷୀ ଜିଲ୍ଲା ସମୀକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ୧୦ ଆକାଂକ୍ଷୀ ଜିଲ୍ଲାର ସମୀକ୍ଷା କରିବାକୁ ୧୦ ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସୁଛନ୍ତି । ଏ ଭିତରେ ଗୋଟିଏ ଆକାଂକ୍ଷୀ ଜିଲ୍ଲାର ସମୀକ୍ଷା ସରିଥିବାବେଳେ ଆଜି ଆଉ ଏକ ଜିଲ୍ଲାର ସମୀକ୍ଷା କାର୍ଯ୍ୟକ୍ରମ ରହିଛି । ତେବେ ଏହି ଆକାଂକ୍ଷା ଜିଲ୍ଲା ସମୀକ୍ଷା ଏକ ସରକାରୀ କାର୍ଯ୍ୟକ୍ରମ ନା ଦଳୀୟ ତାକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ । ଗତିକାଲି କେନ୍ଦ୍ର  ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ସଞ୍ଜୀବ କୁମାର ବାଲିୟନ କୋରାପୁଟ ଜିଲ୍ଲାର ବିକାଶ କାର୍ଯ୍ୟ ସମୀକ୍ଷା କରିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଏହି ସମୀକ୍ଷା କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ଏକ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରାଯାଇଥିବା ଦେଖିବାକୁ ମିଳିଛି ।

ଗତକାଲି କେନ୍ଦ୍ରମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକକୁ ସରକାରୀ ଅଧିକାରୀଙ୍କ ସମେତ ବିଜେପିର ଦଳୀୟ ନେତା ଓ କର୍ମୀଙ୍କୁ ଡକାଯାଇଥିଲା । କିନ୍ତୁ ବୈଠକକୁ ସ୍ଥାନୀୟ ବିଜେଡି ବିଧାୟକ କିମ୍ବା ବିଜେଡି ଓ କଂଗ୍ରେସର ପୌରାଞ୍ଚଳ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଡକାଯାଇ ନଥିଲା । ଆଦିବାସୀ ଅଧ୍ୟୂଷିତ କୋରାପୁଟ ଜିଲ୍ଲାର ବିକାଶମୂଳକ କାର୍ଯ୍ୟର ସମୀକ୍ଷା ଅବସରରେ କେବଳ ବିଜେପିର ନେତା ଓ କର୍ମୀଙ୍କୁ ଡକାଯାଇଥିବାବେଳେ ବିଜେଡି ଓ କଂଗ୍ରେସର ଜନ ପ୍ରତିନିଧିମାନଙ୍କୁ ଡକାଯାଇ ନଥିବାରୁ ଆପତ୍ତି ଉଠାଇଛନ୍ତି ବିଧାୟକ ରଘୁରାମ ପୋଡାଲ ।

ବିଜେଡି ବିଧାୟକ ବଦ୍ରି ପାତ୍ର ଏ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ବିରୋଧୀ ସବୁବେଳେ ପ୍ରୟାସ କରନ୍ତି । ଏପରି କଲେ ସେମାନେ ଭାବୁଛନ୍ତି ୨୦୨୪ ନିର୍ବାଚନରେ ଭଲ ଫଳ ମିଳିବ । ରାଜ୍ୟ ସରକାର ସବୁବେଳେ ସହଯୋଗ କରିବାକୁ ରାଜି । ଆକାଂକ୍ଷା ଜିଲ୍ଲା ପରିଦର୍ଶନ କରିବା ସମୟରେ କେନ୍ଦ୍ର ମନ୍ତ୍ରୀମାନେ ସ୍ଥାନୀୟ ପ୍ରଶାସନ ଓ ବିଧାୟକଙ୍କୁ ନେଇକି ଯିବା କଥା । ସେ ନ ଡାକି ଭୁଲ କରୁଛନ୍ତି । ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି, ଓଡ଼ିଆ ଜାତି ଅଭ୍ୟର୍ଥନା କ୍ଷେତ୍ରରେ କେବେ ତ୍ରୁଟି କରେ ନାହିଁ । ଇତିହାସରେ ଏହା ନାହଁ କି ହେବ ନାହିଁ । କେନ୍ଦ୍ର ମନ୍ତ୍ରୀ ପ୍ରୋଟୋକଲ ଅନୁସାରେ ଆସନ୍ତି ଓ ଯାଆନ୍ତି । ବିରୋଧୀଙ୍କ ଅଭିଯୋଗ ରାଜନୈତିକ ଓ ବ୍ୟକ୍ତିଗତ ହୋଇପାରେ । ବିଜେପି ଛାନିଆ ଓ ବ୍ୟସ୍ତ ଯେ ସେମାନେ ଓଡ଼ିଶାରେ ଶୂନ୍ୟ ହୋଇଯିବେ । ଆଗକୁ ସେହିଟା ହିଁ ହେବ । କିଛି ପ୍ରଭାବ ରହିବ ନାହିଁ କେନ୍ଦ୍ର ମନ୍ତ୍ରୀମାନଙ୍କ ଗସ୍ତର । କେନ୍ଦ୍ର ସରକାର ତ ଟଙ୍କା ନ ଦେଇ ଅବହେଳା କରୁଛନ୍ତି । ବିଜେପି ନିଜ ନିଜ ଭିତରେ ଆକ୍ରମଣ କରୁଛନ୍ତି । ନିଜ ନିଜ ଭିତରେ ସେମାନଙ୍କ ସମ୍ପର୍କ ନାହିଁ । ସେମାନଙ୍କ ଦଳୀୟ କନ୍ଦଳ ବହୁତ । ବିଜେଡିର ଚରିତ୍ର ନୁହେଁ ଅନ୍ୟଙ୍କୁ ଆକ୍ରମଣ କରିବା । ଏହା ଶୃଙ୍ଖଳିତ ଦଳ ବୋଲି କହିଛନ୍ତି ଅଶ୍ୱିନୀ ପାତ୍ର ।