ଭୁବନେଶ୍ୱରରୁ ପୁରୀ ଅଭିମୁଖେ ’କୁଇନ୍ସ ବ୍ୟାଟେନ୍ ମସାଲ’

ଭୁବନେଶ୍ୱର: ପୁରୀ ଅଭିମୁଖେ ‘କୁଇନ୍ସ ବ୍ୟାଟେନ୍‌ ମସାଲ’।  ଗତକାଲି କୁଇନ୍ସ ମସାଲ ଭୁବନେଶ୍ୱରରେ ପହଞ୍ଚିଥିଲା  । ୨୦୨୨ ବର୍ମିଙ୍ଗହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ରାଣୀଙ୍କ ଦ୍ୱାରା ପ୍ରଦତ୍ତ ଏହି ମସାଲ ।  ଓଡ଼ିଶାରେ ‘କୁଇନ୍ସ ବ୍ୟାଟେନ୍‌ ମସାଲ’ ଯାତ୍ରା ଅନ୍ତର୍ଜାତିକ ଯାତ୍ରାର ଅଂଶବିଶେଷ ।  ଆନ୍ତର୍ଜାତିକ ଯାତ୍ରା ଅବସରରେ ମସାଲ ୭୨ ରାଷ୍ଟ୍ର ପରିକ୍ରମା କରିବ । ଏହି ମସାଲ ଶୋଭାଯାତ୍ରା ଗତବର୍ଷ ଅକ୍ଟୋବର ୭ରୁ ବର୍ମିଙ୍ଗହାମ୍ ପ୍ୟାଲେସରୁ ଆରମ୍ଭ ହୋଇଥିଲା । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଣୀ ଏଲିଜାବେଥ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ତାଙ୍କର ବାର୍ତ୍ତା ଦେଇଥିଲେ ।

ଏହି ମସାଲ ୨୬୯ ଦିନ ଧରି ପରିକ୍ରମା କରିବ । ପାଖାପାଖି ୧ ଲକ୍ଷ ୪୦ ହଜାର କିଲୋମିଟର ପରିକ୍ରମା କରିବା ପରେ ଉଦଘାଟନୀ ସମାରୋହ ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ଥଳକୁ ଫେରିବ । ଗତକାଲି ମସାଲକୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ ହକି ଓଡ଼ିଶା ପ୍ରମୋସନ୍‌ କାଉନସିଲର ଅଧ୍ୟକ୍ଷ ଦିଲୀପ ତିର୍କୀ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ଅଧିକାରୀ ଏବଂ ଓଡ଼ିଶା ଅଲିମ୍ପିକ୍‌ ଆସୋସିଏସନର କର୍ମଚାରୀ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଜଣାଶୁଣା କ୍ରୀଡ଼ାବିତ୍ ଅନୁରାଧା ବିଶ୍ୱାଳ ଓ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଉପସ୍ଥିତ ଥିଲେ । ଆଜି ହକି ଷ୍ଟାଡିୟମରେ ’ବ୍ୟାଟେନ’ ପହଞ୍ଚିବା ପରେ ଫଟୋ ସୁଟ୍ କରାଯାଇଥିଲା । ଏହାପରେ ପୁରୀ ଅଭିମୁଖେ ବାହାରିଛି ‘କୁଇନ୍ସ ବ୍ୟାଟେନ୍‌ ମସାଲ’ ।

Leave a Reply