ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ଏକ ଆଧ୍ୟାତ୍ମିକ ପରିବେଶ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯିବ ସ୍ବତନ୍ତ୍ର ପଦକ୍ଷେପ

ପୁରୀ: ଏଣିକି ପ୍ରତିଦିନ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦୈନିକ ସକାଳୁ ବେଦ ପାଠ ଏବଂ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ଏକ ଆଧ୍ୟାତ୍ମିକ ପରିବେଶ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଯେଭଳି ଏକ ନୂଆ ଅନୁଭୂତି ନେଇ ଫେରିବେ ସେଥିପାଇଁ ଏହି ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ନିଆଯାଇଛି। ଦୋଳପୂର୍ଣ୍ଣିମା ରୁ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ପ୍ରତିଦିନ ସକାଳ ୬ଟା ରୁ ୭ଟା ମଧ୍ୟରେ ସିଂହଦ୍ଵାର ସମ୍ମୁଖରେ ବେଦ ପାଠ ଅନୁଷ୍ଠିତ ହେବ। ପରେ ପରିକ୍ରମା ମାର୍ଗରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ। ସେହିପରି ପ୍ରତିଦିନ ସନ୍ଧ୍ୟାରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ପଶ୍ଚିମ ଓ ଉତ୍ତର ଦ୍ଵାର କୋଣରେ ଥିବା ସ୍ବତନ୍ତ୍ର ଗ୍ୟାଲେରୀରେ ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଗୋଟିପୁଅ, ମାହାରୀ ନୃତ୍ୟ ସହିତ ମହାପ୍ରଭୁଙ୍କ ବିଭିନ୍ନ କଥାବସ୍ତୁକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।