ଶ୍ରୀମନ୍ଦିରରେ ପାଳିତ ହେଲା ଫାଲଗୁନ ଶୁକ୍ଳ ଦଶମୀ, ୪ ଦିନ ଧରି ପାଳିତ ହେବ ଦୋଳ ଉତ୍ସବ

ପୁରୀ: ମଙ୍ଗଳବାର ଫାଲଗୁନ ଶୁକ୍ଳ ଦଶମୀ ବା ଫଗୁ ଦଶମୀ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି । ଆଜିଠାରୁ ଦୋଳୋତ୍ସବର ପ୍ରାରମ୍ଭ ହୋଇଥିବା ବେଳେ ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପାଳିତ ହେବ ଉତ୍ସବ । ଆସନ୍ତାକାଲି ଠାରୁ ଶ୍ରୀଜୀଉମାନଙ୍କର ୪ ଦିନ ଧରି ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଚାଚେରୀ ବେଶ । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଛି।

ଶ୍ରୀଜିଉଙ୍କ ଫଗୁ ଦଶମୀ । ଶ୍ରୀମନ୍ଦିରରେ ପାଳିତ ହେଲା ଫାଲଗୁନ ଶୁକ୍ଳ ଦଶମୀ। ୪ ଦିନ ଧରି ପାଳିତ ହେବ ଦୋଳ ଉତ୍ସବ । ଚଳିତ ବର୍ଷ ଅଧିକ ଏକ ଦିନ ମଳ ପଡ଼ୁଥିବାରୁ ମହାପ୍ରଭୁଙ୍କର ୪ ଦିନଧରି ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଚାଚେରୀ ବେଶ । ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ୩ ବାଡ଼ରେ ତିନି ଠାକୁରଙ୍କର ମଇଲମ କରାଯାଇ ନାଲି ଲୁଗା ଲାଗି ହୋଇଥିବା ବେଳେ ସର୍ବାଙ୍ଗ ହୋଇ ଚାଚେରୀ ବେଶ କରାଯିବ । ଏହି ଚାଚେରୀ ବେଶ ପରେ ଚାଚେରୀ ଭୋଗ ହୋଇ ଅନ୍ୟାନ୍ୟ ନୀତି ଶେଷହେବା ପରେ ଆଜ୍ଞାମାଳ ପାଇ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ ଏବଂ ଭୂଦେବୀ ମହାଜନ ସେବକମାନଙ୍କ ଦ୍ବାରା ଜୟବିଜୟ ଦ୍ଵାର ଲଣ୍ଡାବର୍ତ୍ତକୁ ଆସିବେ । ପରେ ମୁଦିରସ୍ତ ସେବକ ଫଗୁ ଚନ୍ଦନ ମୁଣି ପ୍ରସାଦ ଲାଗି କରିବା ସହ ବନ୍ଦାପନା ଓ ଆଲଟ ଚାମର ସେବା ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଏହି ବିଶେଷ ନୀତି ସହ ଶ୍ରୀକ୍ଷେତ୍ରରେ ଆରମ୍ଭ ହୁଏ ଦୋଳଉତ୍ସବ।

ହିନ୍ଦୁ ରୀତିନୀତି ଓ ଉତ୍କଳୀୟ ପରମ୍ପରାରେ ଦୋଳଉତ୍ସଭ ସମୟରେ ପୁରପଲ୍ଲୀ ହୋଇଥାଏ ଉତ୍ସବ ମୁଖର । ଫଗୁ ଦଶମୀ ଠାରୁ ଆରମ୍ଭ ହୋଇଥାଏ ପାରମ୍ପରିକ ଅବିରରେ ରଙ୍ଗ ଖେଳ। ଶ୍ରୀଜଗନ୍ନାଥ ମନ୍ଦିରରେ ଏହି ସମୟରେ ମହାବାହୁଙ୍କ ସ୍ବତନ୍ତ୍ର ଦର୍ଶନ ପାଇଁ ସମସ୍ତ ବ୍ଯବସ୍ଥା କରାଯାଇଛି । ଦର୍ଶନ ସହ ଭକ୍ତି ଅର୍ଘ୍ୟ ପ୍ରଦାନ କରିବାକୁ ଦୂରଦୂରାନ୍ତରୁ ଛୁଟି ଆସନ୍ତି ଭକ୍ତ।