ଆଜିଠୁ ଦେବ ଦୀପାବଳି, ଦୀପରେ ଝଲସିବ ଶ୍ରୀକ୍ଷେତ୍ର

ପୁରୀ: ସୋମବାର ହେଉଛି ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି । ଏହି ପବିତ୍ର ତିଥି ଠାରୁ ତିନିଦିନ ଧରି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ଏହାକୁ ଦେବ ଦୀପାବଳି ବୋଲି କୁହାଯାଏ । ଦେବ ଦୀପାବଳିରେ ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହିତ ଦୀପ ଦାନ କରିଥାନ୍ତି । ଦ୍ୱିପହର ଧୂପ ପରେ ମହାପ୍ରଭୁ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ସନ୍ଧ୍ୟାଧୁପ ପରେ ତିନୋଟି ମହାଦ୍ଵୀପ ବଡଦେଉଳ, ଜଗମୋହନ ଓ ଭୋଗମଣ୍ଡପକୁ ଉଠିବା ସହ ରତ୍ନସିଂହାସନ ଆଗରେ ଅରୁଆ ଚାଉଳରେ ଗଛଟିଏ କରାଯିବା ସହିତ ୨୮ଟି ଦ୍ୱିପ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଲାଗିବ। ଜୟବିଜୟ ଦ୍ୱାର ନିକଟରେ ମଧ୍ଯ ଚାଉଳ ଗଛ ସହ ଦୀପ ସମର୍ପଣ କରାଯିବ ।  ତିନି ଦିନ ଧରି ଏହି ଶ୍ରାଦ୍ଧ ପ୍ରଦାନ ପ୍ରଦାନ କରିବେ ମହାପ୍ରଭୁ । ଆଜି ପ୍ରଥମ ଦିନରେ କଶ୍ୟପ ଏବଂ ଅଦିତିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରାଯିବ । ଆସନ୍ତାକାଲି ଅମାବାସ୍ୟା ଦିନ ଦଶରଥ ଓ କୌଶଲ୍ୟା ଓ ତା ପରଦିନ ନନ୍ଦ ଓ ଯଶୋଦା, ଦେବକୀ ଓ ବସୁଦେବ, ଇନ୍ଦ୍ରଦ୍ୟୁମ୍ନ ଓ ଶ୍ରୀଗୁଣ୍ଡିଚାଙ୍କୁ ପିଣ୍ଡଦାନ କରାଯିବ ।